ଅଯୋଧ୍ୟା ମାମଲା ଲାଗି ଗଠିତ ଖଣ୍ଡପୀଠରେ ସାମିଲ ହେଲେ ଆଉ ଦୁଇ ବିଚାରପତି; ୨୯ରେ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର ଲାଗି ଉଦ୍ଧିଷ୍ଟ ସୁପ୍ରିମକୋର୍ଟ ଖଣ୍ଡପୀଠକୁ ପୁର୍ନଗଠନ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ୍‌ ଗୋଗେଇ।

ଜାନୁଆରି ୨୯ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ମୁଖ୍ୟ ବିଚାରପତି ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଅବ୍ଦୁଲ ନାଜିରଙ୍କୁ ସାମିଲ କରିଛନ୍ତି। ୨୦୧୮ ଅକ୍ଟୋବରରେ ଶୁଣାଣି ହେବାକୁ ଥିବା ରାମ ଜନ୍ମଭୂମୀ-ବାବ୍ରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଜାନୁଆରି ୨୯ରେ ପହଞ୍ଚିଛି।

ଗତ ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗେଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଗତ ୧୦ ତାରିଖରେ ଜଷ୍ଟିସ୍‌ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ। କାରଣ ୨୦ ବର୍ଷ ପୂର୍ବରୁ ସେ ଏହି ମାମଲାରେ ଗୋଟିଏ ପକ୍ଷର ଓକିଲ ଭାବେ କାର୍ଯ୍ୟ କରିଥିଲେ।

ରାମ ଜନ୍ମଭୂମି ବାବ୍ରି ମସଜିଦ୍‌ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି। ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍‌କୁ ଭାଙ୍ଗି ଦିଆଯାଇଥିଲା। ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି। ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ୩୦ ସେପ୍ଟେମ୍ବର ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ  ବିବାଦୀୟ ଜମିକୁ ୩ ଭାଗରେ ବାଣ୍ଟିବା ପାଇଁ ରାୟ ଦେଇଥିଲେ। ଗୋଟିଏ ଭାଗ ହିନ୍ଦୁ ପକ୍ଷକୁ ଦିଆଯିବାକୁ କୋର୍ଟ କହିଥିଲେ। ଯେଉଁଠି ରାମ୍‌ଲାଲାଙ୍କ ମୂର୍ତ୍ତି ରହିଛି ‌ସେହି ଜମିକୁ ହିନ୍ଦୁ ପକ୍ଷଙ୍କୁ ଦେବାପାଇଁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟ ଦୁଇ ଭାଗରୁ ଗୋଟିଏ ଭାଗ ନିର୍ମୋହି ଆଖଡ଼ା ଏବଂ ଅନ୍ୟଭାଗ ସୁନି ସେଣ୍ଟ୍ରାଲ ୱା‌କଫ୍‌ ବୋର୍ଡକୁ ଦେବାକୁ ହାଇକୋର୍ଟ ରାୟ ଦେଇଥିଲେ।

ତେବେ ସମସ୍ତ ପକ୍ଷ ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ। ସୁପ୍ରିମକୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟର ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇଥିଲେ ଏବଂ ପୂର୍ବ ସ୍ଥିତି କାଏମ୍‌ ରଖିବାକୁ କହିଥିଲେ। ଏହାପରେ ଗତବର୍ଷ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଖଣ୍ଡପୀଠ ଗଠନ କରିଥିଲେ।

ସମ୍ବନ୍ଧିତ ଖବର