ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି ଆରମ୍ଭ

ବିବାଦୀୟ ସ୍ଥଳକୁ କୌଣସି ମୁସଲମାନଙ୍କୁ ୧୯୩୪ ମସିହାରୁ ଛଡ଼ାଯାଇ ନାହିଁ: ନି‌ର୍ମୋହି ଆଖଡ଼ା

ନୂଆଦିଲ୍ଲୀ: ମଧ୍ୟସ୍ଥତା କମିଟି ଦ୍ବାରା ବିବାଦୀୟ ଅଯୋଧ୍ୟା ମାମଲାର ସମାଧାନ ସୂତ୍ର ନବାହାରିବା ଫଳରେ ସୁପ୍ରିମ କୋର୍ଟରେ ଆଜିଠାରୁ ଏହି ମାମଲାର ନିୟମିତ ଶୁଣାଣି ଆରମ୍ଭ ହୋଇଛି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାମଲାରେ ନିର୍ମୋହି ଆଖଡ଼ା ଗୋଟିଏ ପକ୍ଷ ରହିଛି। ଆଜି ମାମଲାର ଶୁଣାଣି ବେଳେ ନିର୍ମୋହି ଆଖଡ଼ାର ଆଇନଜୀବୀ ସୁଶୀଲ ଜୈନ କହିଥିଲେ ‌ଏହି ପରିସର ମଧ୍ୟକୁ ୧୯୩୪ ମସିହାରୁ କୌଣସି ମୁସଲମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନାହିଁ। ଏହା ଆଖଡ଼ାର ଅଧୀନରେ ରହିଆସିଛି। ତେଣୁ ଏହି ଅଞ୍ଚଳକୁ ନିଜର କରିବା ସହିତ ଏଠାରେ ରହିଥିବା ସାମଗ୍ରୀ ଗୁଡ଼ିକର ପରିଚାଳନା ଅଧିକାର ପାଇଁ ନିର୍ମୋହି ଆଖଡ଼ା ଦାବି କରିଥିଲା। ଆଇନଜୀବୀ ଶ୍ରୀ ଜୈନ କହିଥିଲେ, ଶତାଧିକ ବର୍ଷ ଧରି ରାମ ଜନ୍ମସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଗଣା ଅଧୀନରେ ଆମେ ରହିଥିଲୁ। ବାହାର ଅଗଣାରେ ‘ସୀତା ରୋଷେଇ’ ଭଣ୍ଡାର ଗୃହ ଆଦି ରହିଥିଲା। ସେଗୁଡ଼ିକ ଆମ ଅଧୀନରେ ଥିଲା ଏବଂ କୌଣସି କ୍ଷେତ୍ରରେ ସେଗୁଡ଼ିକ ବିବାଦୀୟ ନଥିଲା।

ବିଚାର ଆରମ୍ଭରେ ଖଣ୍ଡପୀଠ ଆରଏସଏସର କେ ଏନ ଗୋବିନ୍ଦାଚାର୍ଯ୍ୟଙ୍କ ଦ୍ବାରା ମାମଲାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ ପାଇଁ ହୋଇଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋ‌ଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୫ ଜଣିଆ ଖଣ୍ଡପୀଠରେ ବିଚାରପତି ଏସ ଏ ବୋବଡେ, ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଏବଂ ଏସ ଏ ନଜିର ରହିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଫଏମଆଇ କଲିଫୁଲ୍ଲାଙ୍କ ନେତୃତ୍ବରେ ଗଠିତ ମଧ୍ୟସ୍ଥତା କମିଟି ସମାଧାନ ରାସ୍ତା ବାହାର କରିବାରେ ବିଫଳ ହୋଇଥିବା ବିଷୟ ସୁପ୍ରିମ କୋର୍ଟ ଗତ ୨ ତାରିଖରେ ଅବଗତ ହୋଇଥିଲେ। ମଧ୍ୟସ୍ଥତା କମିଟିରେ ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଖ୍ୟାତନାମା ଆଇନଜୀବୀ ଶ୍ରୀରାମ ପଞ୍ଚୁ ରହିଥିଲେ।

ସମ୍ବନ୍ଧିତ ଖବର