ନୂଆଦିଲ୍ଲୀ: ଦୀର୍ଘ ୭୦ ବର୍ଷ ଧରି ଅଯୋଧ୍ୟା ମାମଲାରେ ଚାଲିଥିବା ଆଇନଗତ ଲଢ଼େଇ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୬ ଅଗଷ୍ଟରୁ ସୁପ୍ରିମ୍ କୋର୍ଟରେ ଏହି ମାମଲାର ନିୟମିତ ଶୁଣାଣି ହେଉଥିବା ବେଳେ ହିନ୍ଦୁ ପକ୍ଷର ଦଲିଲ୍ ସଂପୂର୍ଣ୍ଣ ହୋଇଛି। ସୋମବାରଠାରୁ ମୁସ୍ଲିମ ପକ୍ଷ ସେମାନଙ୍କ ତର୍କ ରଖିବେ। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଏହି ମାମଲାରେ ସପ୍ତାହରେ ୫ ଦିନ ଶୁଣାଣି କରୁଛନ୍ତି। ଏଭଳି ସ୍ଥିତିରେ ନଭେମ୍ବରରେ ପ୍ରଧାନ ବିଚାରପତିଙ୍କ ଅବସର ପୂର୍ବରୁ ଚୂଡ଼ାନ୍ତ ରାୟ ଆସିବା ସମ୍ଭାବନା ବଳବତ୍ତର ହୋଇଛି ।
ହିନ୍ଦୁ ପକ୍ଷର ଶୁଣାଣି ବେଳେ ଅନେକ କୌତୁହଳଜନକ ତଥ୍ୟ ଚର୍ଚ୍ଚାରେ ରହିଥିଲା। ବିବାଦୀୟ ଜମିର ମାଲିକାନାକୁ ନେଇ ରାଜସ୍ବ ରେକର୍ଡ ଉପସ୍ଥାପନ କରିବାକୁ ସୁପ୍ରିମ୍ କୋର୍ଟ କହିବା ପରେ ଏହାର ଜବାବରେ ନିର୍ମୋହୀ ଆଖଡ଼ା ପକ୍ଷରୁ କୁହାଯାଇଥିଲା ଯେ ୧୯୮୨ରେ ଏକ ଡକାୟତୀ ହୋଇଥିଲା ଏବଂ ଏଥିରେ ସମସ୍ତ ରେକର୍ଡ ପଳାଇଥିଲା। ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଏଭଳି ଧାର୍ମିକ ମାମଲା ଅଦାଲତକୁ ଆସିଛି କି ବୋଲି ଜଷ୍ଟିସ୍ ଏସ୍ଏ ବୋବଡେ ପ୍ରଶ୍ନ କରିଥିଲେ। ଏହା ଉପରେ ରାମଲଲା ଓକିଲ ପରାଶରନ କହିଥିଲେ ଯେ ଏଭଳି ତଥ୍ୟ ଆମ ପାଖରେ ନାହିଁ, ଆମେ ସନ୍ଧାନ କରି ଜଣାଇବୁ। ପ୍ରଭୁ ଶ୍ରୀରାମଙ୍କ ବଂଶଧର ଅଯୋଧ୍ୟା କିମ୍ବା ବିଶ୍ବର ଅନ୍ୟ କେଉଁଠି ଅଛନ୍ତି କି ବୋଲି ଖଣ୍ଡପୀଠଙ୍କ ପ୍ରଶ୍ନରେ ହିନ୍ଦୁ ପକ୍ଷର ଓକିଲ କହିଥିଲେ ଯେ ଏ ବାବଦରେ ଆମ ପାଖରେ ତଥ୍ୟ ନାହିଁ। ଏହାପରେ କେତେକ ରାଜ ପରିବାର ନିଜକୁ ପ୍ରଭୁ ଶ୍ରୀରାମଙ୍କ ବଂଶଧର ବୋଲି କହିଥିଲେ। ଶୁଣାଣିର ନବମ ଦିନରେ ରାମଲଲା ବିରାଜମାନର ଓକିଲ ସି.ଏସ୍. ବୈଦ୍ୟନାଥନ ତର୍କ ରଖି କହିଥିଲେ ଭଗବାନ ରାମଲଲା ନାବାଳକ। ନାବାଳକଙ୍କ ସମ୍ପତ୍ତିକୁ କେହି ବିକ୍ରି କରିପାରିବେ ନାହିଁ କି ବଳପୂର୍ବକ କବ୍ଜା କରିପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/ayodhya.jpg)