ଜାନୁଆରି ପ୍ରଥମ ସପ୍ତାହକୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ୍‌ କୋର୍ଟଙ୍କ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ଅଯୋଧ୍ୟା ବିବାଦର ଶୁଣାଣିକୁ ୨୦୧୯ ମସିହା ଜାନୁଆରି ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି।

ପ୍ରକୃତ ଶୁଣାଣି ଜାନୁଆରି, ଫେବ୍ରୁଆରି କିଂବା ମାର୍ଚ ମାସରେ କରାଯିବ ତାହା ସମୁଚ୍ଚିତ ଖଣ୍ଡପୀଠ ସ୍ଥିର କରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।
୨୦୧୦ ମସିହାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିରୋଧରେ ଆଗତ ଗୁଡ଼ାଏ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଆଜି ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଅଯୋଧ୍ୟା ଅନ୍ତର୍ଗତ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦୀୟ ଜମିକୁ ତିନୋଟି ଭିନ୍ନ ଭିନ୍ନ ଭାଗରେ ବଣ୍ଟନ କରିଥିଲେ।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ବିଚାରପତି ସଞ୍ଜୟ କିଷଡ଼୍‍ କଉଲ୍‌ ଏବଂ କେଏମ୍‌ ଜୋସେଫ ଏହି ମାମଲାରେ ଆସିଥିବା ଆବେଦନର ଅକ୍ଟୋବର ୨୯ ତାରିଖ ଦିନ ଶୁଣାଣି କରିବେ ବୋଲି ସେପ୍ଟମ୍ବର ୨୭ ତାରିଖରେ ନିର୍ଦ୍ଧାରିତ ହୋଇଥିଲା।

ସମ୍ବନ୍ଧିତ ଖବର