ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଦିନ ଜାନୁଆରି ୨୨କୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଓ ଭକ୍ତିର ଲହରି ଖେଳିଯାଇଛି। ଏହି ଅବସରରେ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ସମେତ ପ୍ରାୟ ୩୦୦ ସ୍ଥାନରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ପ୍ୟାରିସର ଆଇଫିଲ ଟାୱାର ମଧ୍ୟ ‘ପ୍ରାଣପ୍ରତିଷ୍ଠା’ ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି। ଆମେରିକାର ସହରଗୁଡ଼ିକରେ ବଡ଼ଧରଣର ଅଟୋ ରାଲି ଆୟୋଜନ କରାଯିବାର ଯୋଜନା ରହିଛି ଏବଂ ମନ୍ଦିରଗୁଡ଼ିକରେ ସପ୍ତାହବ୍ୟାପୀ ଉତ୍ସବ ଆୟୋଜନ କରାଯାଉଛି। ଫ୍ରାନ୍ସରେ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ଏହାବ୍ୟତୀତ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ମରିସସରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରସାରଣ କରାଯିବ।
ମରିସସ୍ରେ ସାମୂହିକ ଦୀପ ପ୍ରଜ୍ବଳନ
ପ୍ରାୟ ୪୮ ପ୍ରତିଶତ ହିନ୍ଦୁ ଥିବା ମରିସସ୍ ମଧ୍ୟ ଜାନୁଆରି ୨୨ ତାରିଖରେ ରାମମନ୍ଦିର ଉଦ୍ଘାଟନ ଦିନ ହିନ୍ଦୁ ଅଧିକାରୀମାନଙ୍କୁ ଦୁଇଘଣ୍ଟା ଛୁଟି ଦେଇଛି। ରାମମନ୍ଦିର ଉଦ୍ଘାଟନ ଅବସରରେ ମରିସସ୍ରେ ସାମୂହିକ ଦୀପ ପ୍ରଜ୍ୱଳନ କରାଯିବ। ମରିସସରେ ହାଇକମିଶନର ହେମାଣ୍ଡୋୟାଲ ଡିଲମ୍ ଦେଶର ହିନ୍ଦୁ ସମ୍ପ୍ରଦାୟ ପାଇଁ ଆକର୍ଷଣୀୟ ଯୋଜନା କରିଛନ୍ତି। ଏହି ଦ୍ୱୀପଦେଶର ସମସ୍ତ ମନ୍ଦିରକୁ ଦୀପରେ ଆଲୋକିତ କରାଯିବ ଏବଂ ମନ୍ଦିରଗୁଡ଼ିକରେ ରାମାୟଣ ପାଠ କରାଯିବ। ଏହି ପବିତ୍ର ସମାରୋହ କେବଳ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ମରିସସ୍ବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଲମ୍ କହିଛନ୍ତି। ଜାନୁଆରି ୨୨ରେ ମରିସସ୍ ସରକାର ହିନ୍ଦୁ ସରକାରୀ ଅଧିକାରୀମାନଙ୍କ ପାଇଁ ଦୁଇଘଣ୍ଟାର ସ୍ୱତନ୍ତ୍ର ବିରତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ନିଷ୍ପତ୍ତି ଅନୁସାରେ ଅଯୋଧ୍ୟାରେ ଭଗବାନ ରାମଙ୍କ ମୂର୍ତ୍ତିର ‘ପ୍ରାଣପ୍ରତିଷ୍ଠା’ ଅବସରରେ ଆୟୋଜିତ ସ୍ଥାନୀୟ କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟ ସକ୍ରିୟ ଭାବେ ଅଂଶଗ୍ରହଣ କରିପାରିବେ। ମରିସସ୍ ସନାତନ ଧର୍ମ ମନ୍ଦିର ମହାସଂଘର ସଭାପତି ଘୁରବିନ ଭୋଜରାଜ କହିଛନ୍ତି ଯେ ଅଯୋଧ୍ୟା ରାମମନ୍ଦିର ଉଦ୍ଘାଟନ ପୂର୍ବରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ମୁଖ୍ୟଅତିଥି ଭାବେ ଯୋଗଦେବେ। ମରିସସ୍ରେ ଆମର ସମସ୍ତ ହିନ୍ଦୁ ଭାଇଭଉଣୀ ଆଜିକାଲି ସେଲିବ୍ରେସନ ମୁଡ୍ରେ ଅଛନ୍ତି। ଜାନୁଆରି ୧୫ ତାରିଖ ମକର ସଂକ୍ରାନ୍ତିରୁ ଆମର ସମସ୍ତ ମନ୍ଦିରରେ ରାମାୟଣର ଶବ୍ଦ ଗୁଞ୍ଜରିତ ହେଉଛି। ଜାନୁଆରି ୨୨ରେ ଯେତେବେଳେ ଭଗବାନ ରାମଙ୍କୁ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ସିଂହାସନ ଦିଆଯିବ, ଆମେ ଦୀପାବଳି ପରି ଉତ୍ସବ ଆୟୋଜନ କରିବୁ। ଚଳିତ ବର୍ଷ ଦୁଇଥର ଦୀପାବଳିର ଆଲୋକ ପର୍ବ ପାଳନ କରାଯିବ ବୋଲି ଘୁରବିନ୍ କହିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାରେ ବିଲ୍ବୋର୍ଡ ଓ ଉତ୍ସବ
ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍ପି)ର ଆମେରିକା ଶାଖା ଟେକ୍ସାସ, ଇଲିନୋଇସ୍, ନ୍ୟୁୟର୍କ, ନ୍ୟୁଜର୍ସି ଓ ଜର୍ଜିଆ ସମେତ ୧୦ଟି ରାଜ୍ୟରେ ୪୦ରୁ ଅଧିକ ବିଲ୍ବୋର୍ଡ ନିର୍ମାଣ କରିଛି। ଜାନୁଆରି ୧୫ରୁ ସୃଷ୍ଟି ହୋଇଥିବା ଉତ୍ସବର ମାହୋଲ ଆରିଜୋନା ଓ ମିସୁରି ରାଜ୍ୟ ପର୍ଯ୍ୟନ୍ତ ବ୍ୟାପିଛି। ଆମେରିକାରେ ଭଗବାନ ରାମଙ୍କ ଭକ୍ତମାନେ ନ୍ୟୁଜର୍ସିରେ ଏକ ଚମତ୍କାର କାର୍ ରାଲିର ଆୟୋଜନ କରିଛନ୍ତି। ଭଗବାନ ରାମଙ୍କ ଛବି ଥିବା ପତାକାରେ ସଜ୍ଜିତ ଅତି କମ୍ରେ ୩୫୦ଟି କାର୍ ଏଥିରେ ସାମିଲ ହୋଇଛନ୍ତି। ୱାସିଂଟନ ଡିସିର ଟେସଲା କାର୍ ମ୍ୟୁଜିକାଲ ସୋ’ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମେରିଲ୍ୟାଣ୍ଡର ଶ୍ରୀ ଭକ୍ତ ଆଞ୍ଜନେୟ ମନ୍ଦିରରେ ୧୦୦ରୁ ଅଧିକ ଟେସଲା ମାଲିକ ରାମଭକ୍ତ ଏକାଠି ହୋଇ ପାର୍କିଂ ସ୍ଥଳକୁ ଏକ ଦିବ୍ୟ ମଞ୍ଚରେ ପରିଣତ କରିଥିଲେ। ଲୋକପ୍ରିୟ ରାମଭଜନ ସହିତ ସେମାନଙ୍କର ଟେସଲା ଆଲୋକ ଓ ସଙ୍ଗୀତର ଏକ ଆକର୍ଷଣୀୟ ସିମ୍ ଫୋନି ସୃଷ୍ଟି କରିଥିଲା। ଆମେରିକା ବିଶ୍ୱହିନ୍ଦୁ ପରିଷଦ କେବଳ ଚମତ୍କାର ଟେସଲା ସୋ’ ନୁହେଁ ବରଂ ଦେଶର ୨୧ଟି ସହରରେ କାର୍ ରାଲିର ଆୟୋଜନ କରିଥିଲା। ଆଟଲାଣ୍ଟାରୁ ସିଆଟଲ, ହ୍ୟୁଷ୍ଟନରୁ ବୋଷ୍ଟନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ହର୍ଣ୍ଣ ବଜାଇ, ଗେରୁଆ ପତାକା ଉତ୍ତୋଳନ କରିବା ସହ ଭଗବାନ ରାମଙ୍କ ଭଜନ ଗାନ କରିଥିଲେ।
ବିଶାଳ ରଥଯାତ୍ରା ପାଇଁ ଫ୍ରାନ୍ସ ପ୍ରସ୍ତୁତ
ଫ୍ରାନ୍ସ, ପ୍ୟାରିସରେ ରାମ ରଥଯାତ୍ରା ଏବଂ ପୂଜା ଆୟୋଜନ ହେବାକୁ ଯାଉଛି, ଯାହା କି ଭାରତରେ ‘ପ୍ରାଣପ୍ରତିଷ୍ଠା’ର ୨୪ ଘଣ୍ଟା ପୂର୍ବରୁ ଏକ ଉଲ୍ଲେଖନୀୟ ଘଟଣା। ଅପରାହ୍ଣ ୧୨ଟାରେ ପ୍ଲେସ୍ ଡି ଲା ଚାପେଲରୁ ରାମ ରଥଯାତ୍ରା ଆରମ୍ଭ ହୋଇ ଅପରାହ୍ଣ ୩ଟା ସୁଦ୍ଧା ଐତିହାସିକ ଆଇଫିଲ୍ ଟାୱାରର ସ୍ଥାନ ପ୍ଲେସ୍ ଡି ଟ୍ରୋକେଡ୍ରୋରେ ଶେଷ ହେବ। ସକାଳ ସାଢ଼େ ୧୦ଟାରେ ଲା ଚାପେଲେସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା ଓ ବିଶ୍ୱ କଲ୍ୟାଣ ଯଜ୍ଞ ସହ ଯାତ୍ରା ଆରମ୍ଭ ହେବ। ଏହି ସମାରୋହରେ ବ୍ୟାପକ ପୂଜା, ଆରତି, ପ୍ରସାଦ ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଏହି ଶୋଭାଯାତ୍ରା ପ୍ରସିଦ୍ଧ ଆର୍କ୍ ଡି ଟ୍ରିଓମ୍ଫେ, ମୁସି ଡି ଲୁଭର, ପ୍ଲେସ୍ ଡି ଲା ରିପବ୍ଲିକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅତିକ୍ରମ କରି ଶେଷରେ ପ୍ଲେସ୍ ଡି ଟ୍ରୋକେଡ୍ରୋରେ ପହଞ୍ଚିବ।
କାନାଡା ସହରରେ ରାମମନ୍ଦିର ଦିବସ ଘୋଷଣା
କାନାଡାର ଅଣ୍ଟାରିଓର ଓକ୍ଭିଲ୍ ଏବଂ ବ୍ରାମ୍ପଟନ୍ ସହର ୨୨ ଜାନୁଆରି ୨୦୨୪କୁ ‘ଅଯୋଧ୍ୟା ରାମମନ୍ଦିର ଦିବସ’ ଭାବେ ଘୋଷଣା କରିଛି। ବ୍ରାମ୍ପଟନ୍ର ମେୟର ପ୍ୟାଟ୍ରିକ୍ ବ୍ରାଉନ୍ ଏବଂ ଓକ୍ଭିଲ୍ର ମେୟର ରବ୍ ବର୍ଟନ୍ କହିଛନ୍ତି ଯେ ଅଯୋଧ୍ୟାରେ ମନ୍ଦିର ଉଦ୍ଘାଟନ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ସାଂସ୍କୃତିକ, ଧାର୍ମିକ ଏବଂ ଐତିହାସିକ ମହତ୍ତ୍ୱ ରଖୁଛି, ଯାହା ଶତାବ୍ଦୀ ପୁରୁଣା ସ୍ୱପ୍ନ ସାକାର ହେବାକୁ ସୂଚାଉଛି।