ବାବ୍ରୀ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାର ଧନ୍ନୀପୁରରେ ୫ଏକର ଜମି ଦେଲେ ଯୋଗୀ ସରକାର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ୍ ଗଠନ ନେଇ ବୁଧବାର ଦିନ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଗୋଟାଏ ଟ୍ରଷ୍ଟ୍ ଗଠନ କରାଯିବା କଥା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରାମ ମନ୍ଦିର ଟ୍ରଷ୍ଟ ଗଠନ ଘୋଷଣା ହେବା ପରେ ଯୋଗୀ କ୍ୟାବିନେଟ୍ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ଜମି ଦେବା ନିମନ୍ତେ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପିଟିଆଇର ରିପୋର୍ଟ ମୁତାବକ, ଅଯୋଧ୍ୟାର ସୋହାବଲ ତହସିଲରେ ଥିବା ଧନ୍ନୀପୁର ଗାଁରେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ଜମି ଦେବା ନିମନ୍ତେ ଯୋଗୀ ସରକାର ରାଜି ହୋଇଛନ୍ତି। ଉତ୍ତରପ୍ରଦେଶର ସରକାରଙ୍କ ପ୍ରବକ୍ତା ସିଦ୍ଧାର୍ଥନାଥ ସିଂହଙ୍କ କହିବା ମୁତାବକ, ଆଜି ୫ଏକର ଜମି ଆବଣ୍ଟନ ପ୍ରସ୍ତାବକୁ କ୍ୟବିନେଟରେ ପାସ୍ କରିଦିଆଯାଇଛି। ଆମେ ୩ଟି ବିକଳ୍ପ କେନ୍ଦ୍ରକୁ ପଠାଇଥିଲୁ। ୩ଟି ବିକଳ୍ପ ମଧ୍ୟରୁ ଗୋଟାଏ ଉପରେ କେନ୍ଦ୍ର ସହମତି ପ୍ରକାଶ କରିଛି। ମସଜିଦ୍ ପାଇଁ ଧନ୍ନୀପୁରରେ ଜମି ଦିଆଯିବ, ଯାହା ମୁଖ୍ୟାଳୟଠାରୁ ୧୮କିଲୋମିଟର ଦୂରରେ ରହିଛି।
ବୁଧବାର ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଟ୍ରଷ୍ଟ୍ ଗଠନ ନେଇ ଘୋଷଣା କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଦୀର୍ଘ ଦିନର ଆଇନଗତ ସଂଘର୍ଷ ମଧ୍ୟରେ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ। ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖଯୋଗ୍ୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ମୁଁ ୧୩୦ କୋଟି ଭାରତବାସୀଙ୍କୁ ଅଭିବାଦନ ଜଣାଉଛି ବୋଲି ସେ କହିଥିଲେ।