ନୂଆଦିଲ୍ଲୀ: ଧାର୍ମିକ ଓ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍‌ରୀ ମସ୍‌ଜିଦ୍ ଜମି ବିବାଦ ମାମଲାରେ ମଧ୍ୟସ୍ଥତା କମିଟିର ପ୍ରୟାସ ବିଫଳ ହୋଇଛି। କମିଟି ଗତକାଲି ସୁପ୍ରିମ୍‌ କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଏଥିରେ ସମାଧାନର ସୂତ୍ର ବାହାରି ପାରିନାହିଁ। ତେଣୁ ଅଗଷ୍ଟ ୬ ତାରିଖରୁ ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ନିୟମିତ ଶୁଣାଣି କରିବେ ବୋଲି ଆଜି କହିଛନ୍ତି।। ମଧ୍ୟସ୍ଥତା କମିଟିରେ ସୁପ୍ରିମ୍‌ କୋର୍ଟର ପୂର୍ବ ବିଚାରପତି ଏଫ୍‌.ଏମ୍‌. କଲିଫୁଲ୍ଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପାଞ୍ଚୁ ସାମିଲ ଥିଲେ। ମଧ୍ୟସ୍ଥତା କମିଟିର ଏହି ପ୍ରୟାସ ୧୫୫ ଦିନ ଧରି ଚାଲିଥିଲା। ମାମଲା ସହିତ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ବ୍ୟାପକ ଆଲୋଚନା କରାଯାଇଥିଲା। କିନ୍ତୁ ଜମି ବିବାଦର ସମାଧାନ ନେଇ କୌଣସି ଫଳପ୍ରଦ ରାସ୍ତା ମିଳିନଥିଲା କି ଏ ନେଇ ସହମତି ହୋଇପାରି ନଥିଲା। ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି ଯେ ମଧ୍ୟସ୍ଥତା କମିଟି ଏ କ୍ଷେତ୍ରରେ ବିଫଳ ହୋଇଥିବାରୁ ଏହି ମାମଲାରେ ୬ ତାରିଖରୁ କୋର୍ଟ ନିୟମିତ ଶୁଣାଣି କରିବେ। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ପୀଠ ଏହି ମାମଲା‌ର ଶୁଣାଣି କରୁଛନ୍ତି। ଏଥିରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍‌ ଏସ୍‌.ଏ. ବୋବଡେ, ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌.ଏ. ନଜିର୍‌।

Advertisment

କିଭଳି ହେବ ନିୟମିତ ଶୁଣାଣି?
ନିୟମିତ ଶୁଣାଣିର ଅର୍ଥ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଶୁଣାଣି ବୋଲି ଅନେକଙ୍କ ଭ୍ରମ ରହିଛି। ବାସ୍ତବରେ ସମ୍ବିଧାନ ପୀଠ ସପ୍ତାହରେ ତିନି ଦିନ ମଂଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ଶୁଣାଣି କରିବେ। ଅନ୍ୟ ଦିନମାନଙ୍କରେ ସମ୍ବିଧାନ ପୀଠ ଅନ୍ୟ ମାମଲା ଦେଖିବେ।

୯୦ ଦିନରେ ଆସିବ ରାୟ
ନିୟମିତ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ତାରିଖ ଧାର୍ଯ୍ୟ କରିଥିବାରୁ ଏବେ ଏହି ଜଟିଳ ବିବାଦ ସମାଧାନର ରାସ୍ତାରେ ଆଗକୁ ବଢ଼ୁଛି। ପ୍ରଧାନ ବିଚାରପତି ଗୋଗଇ ନଭେମ୍ବର ୨୦୧୯ରେ ଅବସର ନେବେ। ତାଙ୍କର ଅବସର ପୂର୍ବରୁ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିବ ବୋଲି ଆଶା କରାଯାଉଛି । ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ବାମୀ ନିୟମିତ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।