ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟରେ ଅଯୋଧ୍ୟା ମାମଲାରେ ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖରେ ହେବ ବୋଲି ଆଜି ଧାର୍ଯ୍ୟ ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିବା ବେଳେ ୫ ଜଣିଆ ସମ୍ବିଧାନ ପୀଠରେ ମାମଲାର ଶୁଣାଣି କରିବାକୁ ସୁନ୍ନି ଓ୍ଵକଫ ବୋର୍ଡ ଦାବି କରିଛି। ପୂର୍ବ ଶୁଣାଣିରେ କୋର୍ଟ ଏହି ମାମଲାରେ ସ୍ପଷ୍ଟ କରିଥିଲେ ଯେ ଅଯୋଧ୍ୟା ବିବାଦକୁ ଜମି ବିବାଦ ଭାବେ ଗ୍ରହଣ କରି କେବଳ ପକ୍ଷଭୁକ୍ତଙ୍କୁ ହିଁ ଶୁଣାଯିବ। ଏଥିରେ ଆଇନଗତ ଭାବେ ପକ୍ଷ ନଥିବା ଲୋକଙ୍କ ଦଲିଲକୁ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ କହିଥିଲେ। ତେବେ ଏହି ମାମଲାରେ ବିଭିନ୍ନ ପକ୍ଷ ମଧ୍ୟରେ କେବଳ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ନିମନ୍ତେ କୋର୍ଟ କହିବେ ନାହିଁ ବୋଲି ୬ ଏପ୍ରିଲରେ ହୋଇଥିବା ଶୁଣାଣିରେ କହିଥିଲେ।
ଆଜି ଶୁଣାଣି ସମୟରେ ସୁନ୍ନି ଓ୍ଵକଫ ବୋଡ ଓକିଲ ରାଜୁ ରାମଚନ୍ଦ୍ରନ କହିଥିଲେ ଯେ ମାମଲାର ଶୁଣାଣି ୫ ଜଣିଆ ସମ୍ବିଧାନ ପୀଠ ଦ୍ୱାରା କରାଯିବା ଜରୁରି ହୋଇପଡ଼ିଛି। ସୁନ୍ନି ଓ୍ଵକଫ ବୋର୍ଡର ଏହି ଦାବିକୁ ରାମଲାଲା ବିରାଜମାନ ସମିତି ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍୍ଭେ ବିରୋଧ କରିଥିଲେ। ସେ କହିଥିଲେ ଯେ ଏହି ପ୍ରସଙ୍ଗ ସମ୍ପତ୍ତି ବିବାଦ ସହିତ ଜଡ଼ିତ। ତେଣୁ ଏହାକୁ ସମ୍ବିଧାନ ପୀଠକୁ ଦେବା ଉଚିତ ହେବନାହିଁ। ଏହି ମାମଲାର ଶୁଣାଣି ଯଥା ଶୀଘ୍ର ସଂପୂର୍ଣ୍ଣ କରିବାକୁ ସାଲ୍୍ଭେ ଗୁରୁତ୍ୱାରୋପ କରିଥିଲେ।
ସାଲ୍ଭେ କହିଥିଲେ ଯେ କୋର୍ଟରେ ୧୯୯୨ ବାବ୍ରି ମସ୍୍ଜିଦ ଘଟଣାକୁ ହିଁ ଆଧାର କରି କେତେକ ପକ୍ଷ ଦଲିଲ ଉପସ୍ଥାପନ କରୁଥିବା ବେଳେ ଦେଶ ୧୯୯୨ରୁ ବହୁତ ଆଗକୁ ଆସିଯାଇଥିବା ସେମାନେ ଭୁଲି ଯାଉଛନ୍ତି। ଏହି ପ୍ରସଙ୍ଗ ଏବେ ଆଉ ସାଂପ୍ରଦାୟିକ ହୋଇ ରହିନାହିଁ ଏବଂ ଜମି ବିବାଦ ହିଁ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗକୁ କୌଣସି ଧର୍ମ ସହିତ ଯୋଡ଼ି ଦେଖାଯିବା ଉଚିତ ନୁହେଁ। ବିବାଦର ସମାଧାନ ପାଇଁ ଏବେ ପ୍ରକୃଷ୍ଟ ସମୟ ଥିବାରୁ ଏହାକୁ ଜଟିଳ ଧାର୍ମିକ ପ୍ରସଙ୍ଗ ନ କରିବା ପାଇଁ ସେ କହିଥିଲେ। ଏ ବାବଦରେ ରାଜନୈତିକ ଆଭିମୁଖ୍ୟ କୋର୍ଟରେ ପ୍ରତିଫଳିତ ହେବା ଉଚିତ ନୁହେଁ ଏବଂ କୋର୍ଟ ବାହାରେ ହିଁ ରାଜନୈତିକ ଆଲୋଚନା ହେବା ଉଚିତ ବୋଲି ସାଲ୍୍ଭେ କହିଥିଲେ। ଉଲ୍ଲେଖଯୋଗ୍ୟ ସେପ୍୍ଟେମ୍ବର ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ମନ୍ଦିର ବିବାଦରେ ଶୁଣାଣି ସଂପୂର୍ଣ୍ଣ କରି ରାୟରେ କହିଥିଲେ ଯେ ବିବାଦୀୟ ସ୍ଥଳକୁ ୩ ଭାଗରେ ବାଣ୍ଟି ଦିଆଯିବା ଉଚିତ। ତେବେ ଏହି ନିଷ୍ପତ୍ତି ବିରୋଧରେ ବିଭିନ୍ନ ପକ୍ଷ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେବେଠାରୁ ଏହି ମାମଲା ସୁପ୍ରିମ୍ କୋର୍ଟରେ ଚାଲିଛି ଏବଂ ଏ ଦିଗରେ କୌଣସି ନିର୍ଣ୍ଣାୟକ ଅଗ୍ରଗତି ହୋଇନାହିଁ।
ଅଯୋଧ୍ୟା ବିବାଦ:ସମ୍ବିଧାନ ପୀଠରେ ଶୁଣାଣି ଦାବି ତେଜିଲା
ମେ’ ୧୫ରେ ପରବର୍ତ୍ତୀ ଶୁଣାଣି
/sambad/media/post_attachments/wp-content/uploads/2018/04/SC-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)