ଅଯୋଧ୍ୟା ବିବାଦ: ପୂର୍ବରୁ ବି ବିଫଳ ହୋଇଥିଲା ମଧ୍ୟସ୍ଥତା

୪ ଜଣ ପ୍ରଧାନମନ୍ତ୍ରୀ ପ୍ରୟାସ କରିଥିଲେ

ନୂଆଦିଲ୍ଲୀ: ଅନେକ ଦଶନ୍ଧି ଧରି ଅଦାଲତରେ ଅଯୋଧ୍ୟା ମାମଲାର ଫଏସଲା ହୋଇପାରୁ ନଥିବା ବେଳେ ଏବେ ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ବାବଧାନରେ ମଧ୍ୟସ୍ଥତା ପ୍ରୟାସ ଆରମ୍ଭ ହୋଇଛି। କୋର୍ଟ ଏଥିପାଇଁ ୩ ଜଣ ମଧ୍ୟସ୍ଥିଙ୍କୁ ନେଇ କମିଟି ଗଠନ କରିଛନ୍ତି ଏବଂ ୮ ସପ୍ତାହ ମଧ୍ୟରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଶେଷ କରିବା ପାଇଁ କହିଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଅଯୋଧ୍ୟା ବିବାଦର ସମାଧାନ ପାଇଁ ବହୁବାର ପ୍ରୟାସ ହୋଇଛି। ଦେଶର ୪ ଜଣ ପ୍ରଧାନମନ୍ତ୍ରୀ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପନ୍ଥା ଖୋଜିବା ପାଇଁ ପ୍ରୟାସ କରି ବିଫଳ ହୋଇଛନ୍ତି। ବାବରୀ ମସ୍‌ଜିଦ ଧ୍ବଂସ ପୂର୍ବରୁ ମଧ୍ୟ ଅଯୋଧ୍ୟା ବିବାଦର ସମାଧାନ ମଧ୍ୟସ୍ଥତା ଦ୍ବାରା କରାଯିବା ପାଇଁ ପ୍ରୟାସ ହୋଇଥିଲା। ୧୯୯୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ ପ୍ରଥମେ ଏଭଳି ପ୍ରୟାସ କରିଥିଲେ। କେତେକ ବରିଷ୍ଠ ଅଫିସରଙ୍କୁ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ସେ ଦାୟିତ୍ବ ଅର୍ପଣ କରିଥିଲେ। କିନ୍ତୁ ଏହି ଉଦ୍ୟମ ବିଶେଷ ଫଳପ୍ରଦ ହୋଇନଥିଲା। ଏହାପରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେବା ପରେ ଏହି ବିବାଦର ସମାଧାନ ପାଇଁ ଜୋର୍‌ଦାର୍‌ ପ୍ରୟାସ କରିଥିଲେ ଏବଂ ଏଥିପାଇଁ ଏକ କମିଟି ଗଠନ କରିଥିଲେ। ଏଥିରେ ଶରଦ ପାୱାର, ମୁଲାୟମ ସିଂହ ଯାଦବ ଏବଂ ରାଜସ୍ଥାନର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୈରୋ ସିଂହ ଶେଖାୱତ ସାମିଲ ଥିଲେ। ତେବେ ଚନ୍ଦ୍ରଶେଖରଙ୍କ ସରକାର ତିଷ୍ଠି ପାରିନଥିଲା ଏବଂ ଏହି ପ୍ରୟାସ ବିଫଳ ହୋଇଥିଲା। ଚନ୍ଦ୍ରଶେଖରଙ୍କ ପରେ କେନ୍ଦ୍ରରେ ପି.ଭି. ନରସିଂହ ରାଓଙ୍କ ସରକାର ମଧ୍ୟ ଆଲୋଚନା ମାଧ୍ୟମରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଚେଷ୍ଟା କରିଥିଲେ। ନରସିଂହ ରାଓ କାଞ୍ଚି, ଦ୍ବାରକା ଏବଂ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଏହାର ସମାଧାନ ଦାୟିତ୍ବ ଦେଇଥିଲେ। କିନ୍ତୁ ଏଥିରୁ କୌଣସି ସୁଫଳ ମିଳିନଥିଲା। ୧୯୯୨ରେ ଏହି ବିବାଦ ଆହୁରି ଉଗ୍ର ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦର ଆହ୍ବାନରେ କରସେବକମାନେ ବାବ୍‌ରୀ ମସ୍‌ଜିଦ୍‌କୁ ଧ୍ବଂସ କରିଦେଇଥିଲେ। ୨୦୦୦ରୁ ୨୦୦୨ ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଉଭୟ ପକ୍ଷ ସହିତ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରୟାସ କରିଥିଲେ। ବିଶ୍ବହିନ୍ଦୁ ପରିଷଦ, ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ ଏବଂ ଅନ୍ୟ ସଂଗଠନଗୁଡ଼ିକ ସହ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଆବଶ୍ୟକ ସହଯୋଗ ନ ମିଳିବାରୁ ଏହି ପ୍ରକ୍ରିୟା ଆଗକୁ ବଢ଼ିପାରିଲା ନାହିଁ। ଏହା ପରେ ଡ. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଦିଗରେ କୌଣସି ଖୋଲା ପ୍ରୟାସ ହୋଇନଥିଲା।

ସମ୍ବନ୍ଧିତ ଖବର