ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟ ବିବାଦ, ମୁସ୍‌ଲିମ୍‌ ପକ୍ଷର ଶୁଣାଣି ଆରମ୍ଭ

ବିବାଦୀୟ ସ୍ଥଳରେ ମନ୍ଦିର ଥିବା ପ୍ରମାଣିତ ହୋଇନାହିଁ: ସୁନ୍ନି ୱକଫ୍‌ ବୋର୍ଡ 36

ନୂଆଦିଲ୍ଲୀ: ରାମ ମନ୍ଦିର-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାରେ ପ୍ରାୟ ଅଧା ଶୁଣାଣି ‌ଶେଷ ହୋଇଛି। ହିନ୍ଦୁ ପକ୍ଷର ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜିଠାରୁ ମୁସ୍‌ଲିମ୍‌ ପକ୍ଷର ଶୁଣାଣି ଆରମ୍ଭ ହୋଇଛି। ପୂର୍ବରୁ କୋର୍ଟ ହିନ୍ଦୁ ପକ୍ଷଙ୍କ ଦଲିଲ୍‌ ଉପରେ ୧୬ ଦିନ ଶୁଣାଣି କରିଥିଲେ। ହିନ୍ଦୁ ପକ୍ଷରୁ ରାମଲଲା ବିରାଜମାନ ଏବଂ ନିର୍ମୋହୀ ଆଖଡ଼ା ନିଜ ପକ୍ଷ ରଖିଥିଲେ। ଆଜି ମୁସ୍‌ଲିମ ପକ୍ଷରୁ ସୁନ୍ନି ୱକର୍ଫ ବୋର୍ଡର ଓକିଲ ରାଜୀବ ଧୱନ ପକ୍ଷ ରଖି କହିଥିଲେ ଯେ ବିବାଦୀୟସ୍ଥଳରେ ମନ୍ଦିର ଥିବା ନେଇ କୌଣସି ପ୍ରମାଣ ନାହିଁ। ଏଏସ୍‌ଆଇ ଖନନରୁ ଯାହା ମିଳିଛି ସେଥିରୁ ସେଠାରେ ରାମ ମନ୍ଦିର ଥିବା ନେଇ ସାବ୍ୟସ୍ତ ହୋଇନାହିଁ ବୋଲି ସେ କହିଥିଲେ। ପୂର୍ବରୁ ହିନ୍ଦୁ ପକ୍ଷର ଓକିଲ ସେଠାରେ ହିନ୍ଦୁମାନଙ୍କ ପୂଜାର୍ଚ୍ଚନା ନେଇ ଯାହା ଦର୍ଶାଇଥିଲେ ତାହା ଏକ ମନ୍ଦିରର ଉପସ୍ଥିତିକୁ ସାବ୍ୟସ୍ତ କରୁନାହିଁ ବୋଲି ସେ କହିଥିଲେ। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାମଲାରେ ନଭେମ୍ବରରେ ଚୂଡ଼ାନ୍ତ ରାୟ ଆସିବା ସମ୍ଭାବନା ରହିଛି। ଅଯୋଧ୍ୟ ବିବାଦର ଶୁଣାଣି ସୁପ୍ରିମ୍‌ କୋର୍ଟ ୬ ଅଗଷ୍ଟରୁ ଆରମ୍ଭ କରିଥିଲେ। ପ୍ରଧାନ ବିଚାରପତି ରଂଜନ ଗୋଗଇ ୧୭ ନଭେମ୍ବରରେ ଅବସର ନେବେ। ଏହା ପୂର୍ବରୁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର