ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ଜମି ବିବାଦ: ପୂର୍ଣ୍ଣ ନ୍ୟାୟ ପାଇଁ ଦାବି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ଜମି ବିବାଦ ମାମଲାରେ ଆଜି ପଂଚମ ଦିବସର ଶୁଣାଣି ସଂପୂର୍ଣ୍ଣ ହୋଇଛି । ରାମଲାଲା ବିରାଜମାନର ଆଇନଜୀବୀ ଆଜି ଯୁକ୍ତି ଉପସ୍ଥାପନ କରିଥିଲେ। ବରିଷ୍ଠ ଓକିଲ ପରାଶରନ ସମ୍ବିଧାନ ପୀଠକୁ କହିଥିଲେ ଯେ ଅଯୋଧ୍ୟା ଜମିକୁ ନେଇ ସବୁ ବିବାଦରେ ପୂର୍ଣ୍ଣ ନ୍ୟାୟ ମିଳିବା ଉଚିତ। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ମୁସ୍‌ଲିମ ପକ୍ଷର ଓକିଲ ରାଜୀବ ଧୱନ ସପ୍ତାହରେ ୫ ଦିନ ଶୁଣାଣିକୁ ବିରୋଧ କରିଥିଲେ। ଆଜି ମଧ୍ୟ ସୁପ୍ରିମ୍‌ କୋର୍ଟ ଉଭୟ ପକ୍ଷଙ୍କୁ ସେମାନଙ୍କ ଦାବି ମୁତାବକ ଦଲିଲ୍‌ ଉପସ୍ଥାପନ କରିବାକୁ କହିଥିଲେ। ତେବେ ଲୋକଙ୍କ ଆସ୍ଥା, ବିଶ୍ବାସ ଏବଂ ପରମ୍ପରାକୁ ନେଇ ଏ କ୍ଷେତ୍ରରେ ବିଚାର କରିବାକୁ ରାମଲାଲା ପକ୍ଷରୁ ଦୃଢ଼ ଯୁକ୍ତି ଦର୍ଶାଯାଇଥିଲା। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ରାମଲାଲା ଓକିଲଙ୍କୁ କହିଥିଲେ, କେବଳ ଗୋଟିଏ ଧାରଣାକୁ ନେଇ, ସେହି ଧାରଣା ଆଧାରରେ ସମସ୍ତଙ୍କୁ ପରିଚାଳିତ କରିହେବନାହିଁ। ଏଠାରେ ଅନ୍ୟ ମତ ଓ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଥିଲେ।

ରାମଲାଲା ବିରାଜମାନ ପକ୍ଷରୁ ଯୁକ୍ତିରେ କୁହାଯାଇଥିଲା ଯେ ୧୯୪୯ରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ରଖାଯିବା ପୂର୍ବରୁ ମଧ୍ୟ ସେଠାରେ ହିନ୍ଦୁମାନେ ପୂଜାର୍ଚ୍ଚନା କରୁଥିବା ସଂକ୍ରାନ୍ତ ପ୍ରମାଣ ରହିଛି। ହିନ୍ଦୁମାନଙ୍କର ଏହା ଏକ ପବିତ୍ର ସ୍ଥଳ ଏବଂ ସେଠାରେ ସର୍ବଦା ଦର୍ଶନ ପାଇଁ ଭିଡ଼ ଲାଗି ରହୁଥିଲା। କୌଣସି ସ୍ଥାନ ପୂଜନୀୟ ହେବାପାଇ ସେଠାରେ ମୂର୍ତ୍ତି ରହିବା ଜରୁରୀ ନୁହେଁ। ‌ଗଂଗା ଏବଂ ଗୋବର୍ଦ୍ଧନ ପର୍ବତର ଉଦାହରଣ ଦେଇ ସେ କହିଥିଲେ ଯେ ବର୍ତ୍ତମାନର ଜମି ସଂକ୍ରାନ୍ତରେ ମଧ୍ୟ ଏହି ଆଧାରରେ ନିଷ୍ପତ୍ତି ନିଆଯାଉ।

ସମ୍ବନ୍ଧିତ ଖବର