ଅଯୋଧ୍ୟା ମାମଲା: ‘ମଧ୍ୟସ୍ଥତା’କୁ ନେଇ ବିବାଦ

ଶ୍ରୀ ଶ୍ରୀଙ୍କୁ ବିରୋଧ କଲେ ଅୱେସି, ରାମଲାଲା ବିରାଜମାନ ବି ବିରୋଧ କଲା

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦର ସ୍ଥାୟୀ ଏବଂ ସର୍ବମାନ୍ୟ ସମାଧାନ ପାଇଁ ଆଜି ସୁପ୍ରିମ୍‌ କୋର୍ଟ ମଧ୍ୟସ୍ଥି ପ୍ୟାନେଲ୍‌ ଗଠନ କରିଛନ୍ତି। କୋର୍ଟ ଦ୍ବାରା ଗଠିତ ୩ ଜଣିଆ କମିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ସାମିଲ କରାଯାଇଥିବାରୁ ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି ଏହାକୁ ଜୋର୍‌ଦାର ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ରାମଲାଲା ବିରାଜମାନ କମିଟି ମଧ୍ୟ ମଧ୍ୟସ୍ଥତା ପ୍ରକ୍ରିୟା ସଫଳ ହେବ ନାହିଁ ବୋଲି କହିଛି। ପୂର୍ବରୁ ମଧ୍ୟସ୍ଥିମାନେ ବିଫଳ ହୋଇଥିବାରୁ ଏବେ ଆଲୋଚନା ଦ୍ବାରା ରାୟ କିଭଳି ବାହାରିବ ବୋଲି କମିଟି ପ୍ରଶ୍ନ କରିଛି। ଶ୍ରୀ ଶ୍ରୀ ଜଣେ ନିରପେକ୍ଷ ବ୍ୟକ୍ତି ନୁହନ୍ତି ଏବଂ ଏହି ମାମଲାରେ ତାଙ୍କର ପୂର୍ବ ବୟାନ ସଂପୂର୍ଣ୍ଣ ଏକପାଖିଆ ଥିବାରୁ ତାଙ୍କୁ କମିଟିରେ ରଖାଯିବା ଉଚିତ ନଥିଲା ବୋଲି ଅୱେସି କହିଛନ୍ତି। ଅଯୋଧ୍ୟା ମାମଲାରେ ଯଦି ମୁସଲମାନ ନିଜ ଦାବି ଛାଡ଼ିବେ ନାହିଁ ତା’ହେଲେ ଭାରତରେ ସିରିୟା ଭଳି ସ୍ଥିତି ସୃଷ୍ଟି ହେବ ବୋଲି ରବିଶଙ୍କର ପୂର୍ବରୁ ବୟାନ ଦେଇଥିଲେ ବୋଲି ଅୱେସି ଦର୍ଶାଇଥିଲେ। ଏବେ ସେ ମଧ୍ୟସ୍ଥି ଭୂମିକାରେ ଥିବାରୁ ତାଙ୍କର ଦାୟିତ୍ବକୁ ବୁଝି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ବିବାଦର ସମାଧାନ ହିଁ ମୋର ଲକ୍ଷ୍ୟ: ଶ୍ରୀ ଶ୍ରୀ
ମଧ୍ୟସ୍ଥି ଭାବେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ନାମ ସୁପ୍ରିମ୍‌ କୋର୍ଟ ଘୋଷଣା କରିବା ପରେ ଏ ସଂପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ବିବାଦର ସ୍ଥାୟୀ ସମାଧାନ ହିଁ ମୋର ଲକ୍ଷ୍ୟ। ସମସ୍ତଙ୍କ ସ୍ବପ୍ନକୁ ପୂରଣ କରିବା ଏବଂ ସମାଜରେ ସଦ୍‌ଭାବନା ବଜାୟ ରଖିବା ଲକ୍ଷ୍ୟରେ କାର୍ଯ୍ୟ ହେବା ଉଚିତ ବୋଲି ସେ କହିଛନ୍ତି। ଏହି ମଧ୍ୟସ୍ଥତା ଦେଶ ସ୍ବାର୍ଥରେ କରାଯାଉଛି ଏବଂ ସମସ୍ତ ପକ୍ଷଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି କାମ ହେବା ଉଚିତ ବୋଲି ସେ କହିଛନ୍ତି।

ସମସ୍ୟା ସମାଧାନ ପାଇଁ ସବୁ ପ୍ରୟାସ ହେବ: କଲିଫୁଲ୍ଲା
ଅଯୋଧ୍ୟା ବିବାଦର ସମାଧାନ ପାଇଁ ଗଠିତ ତିନି ଜଣିଆ କମିଟିର ଅଧ୍ୟକ୍ଷ ସୁପ୍ରିମ୍‌ କୋର୍ଟର ପୂର୍ବ ବିଚାରପତି ଏଫ୍‌ଏମ୍‌ କଲିଫୁଲ୍ଲା କହିଛନ୍ତି ଯେ ମୋର ନେତୃତ୍ବରେ ଗଠନ କରାଯାଇଥିବା ଏହି କମଟି ସଂପୂର୍ଣ୍ଣ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ବିବାଦର ସମାଧାନ ପାଇଁ ପ୍ରୟାସ କରିବ। ଦେଶର ସ୍ବାର୍ଥ ଏବଂ ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ଆମେ କାମ କରିବୁ ବୋଲି ସେ କହିଛନ୍ତି।

୩ ମଧ୍ୟସ୍ଥି: କଲିଫୁଲ୍ଲା-ଶ୍ରୀ ଶ୍ରୀ-ଶ୍ରୀରାମ
ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ରାସ୍ତା ଆପଣାଇଥିବା ସୁପ୍ରିମ୍‌ କୋର୍ଟ ଆଜି ଏ ବାବଦରେ ୩ ଜଣିଆ କମିଟି ଗଠନ କରିଛନ୍ତି। ସୁପ୍ରିମ୍‌ କୋର୍ଟର ପୂର୍ବ ବିଚାରପତି ଏଫ୍‌ ଏମ୍‌ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ଆଇନଜୀବୀ ଶ୍ରୀରାମ ପାଞ୍ଚୁ। ସମସ୍ତ ମଧ୍ୟସ୍ଥି ତାମିଲନାଡ଼ୁର।

ପୂର୍ବରୁ ବିଫଳ ହୋଇଥିଲା ଶ୍ରୀ ଶ୍ରୀଙ୍କ ପ୍ରୟାସ
ନୂଆଦିଲ୍ଲୀ: ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ପୂର୍ବରୁ ମଧ୍ୟ ଅଯୋଧ୍ୟା ମାମଲାର ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ ବଡ଼ ପ୍ରୟାସ ଆରମ୍ଭ କରିଥିଲେ। ୨୦୧୭ରେ ଶ୍ରୀ ଶ୍ରୀଙ୍କ ଏହି ପ୍ରୟାସ ଆରମ୍ଭ ହୋଇଥିଲା। କିନ୍ତୁ ତାଙ୍କର କେତେକ ପଦକ୍ଷେପକୁ ବିବାଦୀୟ ଦର୍ଶାଇ ବିଭିନ୍ନ ପକ୍ଷ ଆବଶ୍ୟକ ସମର୍ଥନ ଦେଇନଥିଳେ। ଶ୍ରୀ ଶ୍ରୀ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନଭେମ୍ବର ୧୫, ୨୦୧୭ରେ ଭେଟିଥିଲେ। ଏହାପରେ ସେ ନିର୍ମୋହୀ ଆଖଡ଼ା ଏବଂ ଅନ୍ୟ ସଂସ୍ଥାନର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏଥିରେ ତାଙ୍କୁ ଆଦୌ ସଫଳତା ମିଳିନଥିଲା। ମୁସ୍‌ଲିମ୍‌ ପକ୍ଷର କେତେକ ପ୍ରତିନିଧି ତାଙ୍କୁ ଆତ୍ମଘୋଷିତ ମଧ୍ୟସ୍ଥି ବୋଲି ଦର୍ଶାଇଥିଲେ।

ଜଷ୍ଟିସ୍‌ ଏଫ୍‌ ଏମ୍‌ କଲିଫୁଲ୍ଲା
ତାମିଲନାଡ଼ୁ ବାସିନ୍ଦା ଜଷ୍ଟିସ୍‌ କଲିଫୁଲ୍ଲାଙ୍କ ପୂରା ନାମ ହେଉଛି ଫକିର୍‌ ମହମ୍ମଦ ଇବ୍ରାହିମ୍‌ କଲିଫୁଲ୍ଲା। ନିଜର ଦୀର୍ଘ ନ୍ୟାୟିକ କ୍ୟାରିୟର୍‌ରେ ସେ ହାଇକୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ କାମ କରିଛନ୍ତି। ୨୦ ଅଗଷ୍ଟ ୧୯୭୫ରେ ଓକିଲାତିରୁ କ୍ୟାରିଅର୍‌ ଆରମ୍ଭ କରିଥିବା କଲିଫୁଲ୍ଲା ୨୦୦୦ରେ ମାଡ୍ରାସ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨ ଏପ୍ରିଲ ୨୦୧୨ରେ ତାଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୬ ଜୁଲାଇରେ ସେ ଅବସର ଗ୍ରହଣ କରିଥିଲେ।
ଶ୍ରୀ ଶ୍ରୀ ରବିଶଙ୍କର
ମଧ୍ୟସ୍ଥତା କମିଟିରେ ଥିବା ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଆର୍ଟ ଅଫ୍‌ ଲିଭିଂର ସଂସ୍ଥାପକ। ତାଙ୍କର ଦେଶ ବିଦେଶରେ କୋଟି କୋଟି ଅନୁଗାମୀ ରହିଛନ୍ତି। ସେ ୧୯୮୧ରେ ଆର୍ଟ ଅଫ୍‌ ଲିଭିଂର ସ୍ଥାପନା କରିଥିଲେ। ସାମାଜିକ ଏବଂ ସାଂପ୍ରଦାୟିକ ସଦ୍‌ଭାବ ପାଇଁ ସେ ସର୍ବଦା ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ରହିଥାନ୍ତି।
ଶ୍ରୀରାମ ପାଞ୍ଚୁ
ସୁପ୍ରିମ୍‌ କୋର୍ଟ ଦ୍ବାରା ଅଯୋଧ୍ୟା ମାମଲାରେ ଗଠିତ ମଧ୍ୟସ୍ଥତା କମିଟିର ଅନ୍ୟତମ ସଦସ୍ୟ ଶ୍ରୀରାମ ପାଞ୍ଚୁ ୪୦ ବର୍ଷ ଧରି ଆଇନ ସେବା କରିଆସୁଛନ୍ତି। ବିଗତ ୨୦ ବର୍ଷ ମଧ୍ୟରେ ସେ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ମଧ୍ୟସ୍ଥି ଭୂମିକା ନିର୍ବାହ କରିଛନ୍ତି। ସେ ମଧ୍ୟସ୍ଥତା ଚ୍ୟାମ୍ବର୍ସର ସଂସ୍ଥାପକ ମଧ୍ୟ ଅଟନ୍ତି। ଦେଶର ବିଭିନ୍ନ ଅଂଚଳରେ ବ୍ୟବସାୟିକ, କର୍ପୋରେଟ୍‌ ଏବଂ ଅନ୍ୟ କ୍ଷେତ୍ରର ଜଟିଳ ବିବାଦଗୁଡ଼ିକରେ ସେ ମଧ୍ୟସ୍ଥତା କରି ସଫଳତା ହାସଲ କରିଛନ୍ତି।

ଟାଇମ୍‌ ଲାଇନ୍‌
୧୫୨୮: ମୋଗଲ ଶାସକ ବାବର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଭାଙ୍ଗି ସେଠାରେ ମସ୍‌ଜିଦ୍‌ ସ୍ଥାପନ କରିଥିଲେ। ଏହା ବାବ୍‌ରୀ ମସ୍‌ଜିଦ୍‌ ଭାବେ ପରିଚିତ ହେଲା।
୧୯୪୯: ମସ୍‌ଜିଦ୍ ତଳୁ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍ଧାର ହେବା ପରେ ସଂପୃକ୍ତ ଅଂଚଳକୁ ବିବାଦୀୟ ଘୋଷଣା କଲେ ସରକାର।
୧୯୯୨: କରସେବକମାନେ ଅଯୋଧ୍ୟାରେ ବାବ୍‌ରୀ ମସ୍‌ଜିଦ୍‌ ଧ୍ବଂସ କରିଦେଇଥିଲେ। ଏହାକୁ ନେଇ ହୋଇଥିବା ହିନ୍ଦୁ-ମୁସ୍‌ଲିମ ସାଂପ୍ରଦାୟିକ ହିଂସାରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
୨୦୦୧: ସ୍ବତନ୍ତ୍ର ବିଚାରପତି ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ଏଥିରେ ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନୀ ଏବଂ କଲ୍ୟାଣ ସିଂହ ମଧ୍ୟ ସାମିଲ ଥିଲେ।
୨୦୦୨: ଗେଧ୍ରାରେ ୫୮ ଜଣ କରସେବକଙ୍କୁ ଟ୍ରେନ୍‌ ଭିତରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା।
୨୦୧୦: ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିରୁ ଦୁଇ ତୃତୀୟାଂଶ ହିନ୍ଦୁ ପକ୍ଷକୁ ଦେବାକୁ ରାୟ ଦେଇଥିଲେ।
୨୦୧୧: ଅଯୋଧ୍ୟା ଜମି ବିବାଦକୁ ନେଇ ଆହ୍ଲାବାଦ ହାଇକୋର୍ଟ ରାୟ ଉପରେ ରହିତାଦେଶ ଲଗାଇଥିଲେ ସୁପ୍ରିମ୍‌ କୋର୍ଟ।
୨୦୧୭: ସୁପ୍ରିମ୍‌ କୋର୍ଟ ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର ହେବନାହିଁ ବୋଲି କହିଥିଲେ।
୨୦୧୮: ମସ୍‌ଜିଦ୍‌ ଇସ୍‌ଲାମ ପାଇଁ ଅପରିହାଯ୍ୟ ନୁହେଁ ବୋଲି ୧୯୯୪ରେ ଦିଆଯାଇଥିବା ରାୟର ପୁନଃ ସମୀକ୍ଷା ପାଇଁ ବଡ଼ ବେଞ୍ଚ୍‌କୁ ପଠାଇବା ପ୍ରସ୍ତାବକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ।
ମାର୍ଚ୍ଚ ୮, ୨୦୧୯: ମଧ୍ୟସ୍ଥତା ଦ୍ବାରା ମାମଲାର ସମାଧାନ ପାଇଁ ସୁପ୍ରିମ୍‌ କୋର୍ଟ କମିଟି ଗଠନ କଲେ।

ସମ୍ବନ୍ଧିତ ଖବର