ଅଯୋଧ୍ୟା ପୁଣି ଅଶାନ୍ତ, ମନ୍ଦିର ପାଇଁ ହିନ୍ଦୁ ପରିଷଦ, ଶିବସେନା, ଆର୍‌ଏସ୍‌ଏସ୍‌ କର୍ମୀଙ୍କ ସମାବେଶ

୨ ଲକ୍ଷ ଲୋକଙ୍କ ସମାଗମ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଛି। ତୁରନ୍ତ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ ବାଟ ସଫା କରିବା ଲାଗି ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି), ଆର୍‌ଏସ୍‌ଏସ୍‌, ଶିବସେନା ସମେତ ସାଧୁସନ୍ଥମାନେ ଜୋରଦାର ଦାବି କରିଛନ୍ତି। ସଂସଦର ଶୀତ ଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ସେମାନେ ସ୍ବର ଉଠାଇଛନ୍ତି। ଏହାକୁ ନେଇ ଆସନ୍ତାକାଲି ଅଯୋଧ୍ୟାରେ ଭିଏଚ୍‌ପି ପକ୍ଷରୁ ବିଶାଳ ଧର୍ମସଭା ଆୟୋଜନ କରାଯାଉଛି। ଏଥିପାଇଁ ଆଜିଠାରୁ ୨ ଲକ୍ଷ ଲୋକଙ୍କ ସମାଗମ ହୋଇଛି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ଆର୍‌ଏସ୍‌ଏସ୍‌, ୧ ଲକ୍ଷ ଭିଏଚ୍‌ପି ଓ ପ୍ରାୟ ୫ହଜାର ଶିବସେନା କାର୍ଯ୍ୟକର୍ତ୍ତା ରହିଛନ୍ତି। ଅଯୋଧ୍ୟାରେ ୧୪୪ ଧାରା ଲାଗୁ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଅଯୋଧ୍ୟା ଓ ଫୈଜାବାଦ ଅଶାନ୍ତ ହୋଇପଡ଼ିଛି। ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ଯେମିତି ସ୍ଥିତି ଦେଖିବାକୁ ମିଳିଥିଲା, ସେହିଭଳି ସ୍ଥିତି ଉପୁଜିଛି। ଏହାକୁ ନେଇ ଲୋକମାନେ ଭୟର ବାତାବରଣ ମଧ୍ୟରେ କାଳାତିପାତ କରୁଛନ୍ତି।

ଆଜି ପୁଲିସର ବାରଣ ସତ୍ତ୍ବେ ଶିବସେନାର ମେଗା ରାଲି ଅନୁଷ୍ଠିତ ହୋଇଛି। ଗତକାଲି ଠାରୁ ଶିବସେନାର କାର୍ଯ୍ୟକର୍ତ୍ତାମାନେ ସ୍ବତନ୍ତ୍ର ଟ୍ରେନ୍‌‌ରେ ମୁମ୍ବାଇ ପହଞ୍ଚିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ଅପରାହ୍ନରେ ଅଯୋଧ୍ୟା ପହଞ୍ଚିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଏକ ତାରିଖ ଘୋଷଣା କରିବାକୁ ସେ ସରକାରଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ଧର୍ମସଭା ପାଇଁ ସନ୍ଥମାନଙ୍କୁ ଏକାଠି କରିବାରେ ଭିଏଚ୍‌ପି ଲାଗିପଡ଼ିଛି। ଆସନ୍ତାକାଲି ହେବାକୁ ଥିବା ଧର୍ମସଭାରେ ୩,୦୦୦ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକ ମଧ୍ୟ ସାମିଲ ‌ହେବେ ବୋଲି ସୂଚନା ମିଳିଛି। ହିନ୍ଦୁ ସଂଗଠନ ପକ୍ଷରୁ ଏତେ ବଡ଼ ସଭା, ରାଲି ପ୍ରଥମଥର ପାଇଁ ଆୟୋଜନ ହେବାକୁ ଯାଉଛି। ରାଜ୍ୟରେ ଶିବସେନା ପକ୍ଷରୁ କୌଣସି ରାଜନୈତିକ ପୋଷ୍ଟର ଲଗାଇ ନଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସେନା ପକ୍ଷରୁ ‘ପ୍ରଥମେ ମନ୍ଦିର, ପରେ ପୋଷ୍ଟର’ ସ୍ଲୋଗାନ୍‌ ଦିଆଯାଉଛି। ଯୋଗଗୁରୁ ବାବା ରାମଦେବ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରି ବିଜେପିକୁ ଘେରିଛନ୍ତି। ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଶିଘ୍ର ଆଇନ ଆଣିବା ଆବଶ୍ୟକ। ନଚେତ୍‌ ଲୋକମାନେ ନିଜ ଉଦ୍ୟମରେ ଏହାକୁ ନିର୍ମାଣ କରିବେ। ମନ୍ଦିର ପାଇଁ ଲୋକମାନେ ଧୈର୍ଯ୍ୟହରା ହୋଇପଡ଼ିଲେଣି। ରାମ ଜନ୍ମଭୂମିର ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ଆସନ୍ତାକାଲି ହେବାକୁ ଥିବା ଧର୍ମସଭାର କୌଣସି ମହତ୍ତ୍ବ ନାହିଁ। କାରଣ ଅଯୋଧ୍ୟାରେ ଏତେ ବଡ଼ ସଭା କୌଣସି କାମ ଦେବନାହିଁ। ଦିଲ୍ଲୀରେ ଏଭଳି ମହାସଭା ହେବା ଉଚିତ। ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶିବସେନା ନିଜ ବିଫଳତାକୁ ଲୁଚାଇବା ପାଇଁ ଏବେ ଅଯୋଧ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି।

୭୦ହଜାର ସୁରକ୍ଷା କର୍ମୀ ମୁତୟନ
ଅଯୋଧ୍ୟା ଓ ଫୈଜାବାଦରେ ଯେମିତି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନଉପୁଜେ, ‌ସେଥିପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ହେବାକୁ ଥିବା ଭିଏଚ୍‌ପିର ଧର୍ମସଭାକୁ ଆଖିରେ ରଖି ନିରାପତ୍ତା ସ୍ଥିତି ତଦାରଖ କରିବା ଲାଗି ସରକାର ଏଡିଜି (ଲକ୍ଷ୍ନୌ ଜୋନ୍‌) ଆଶୁତୋଷ ପାଣ୍ଡେ ଏବଂ ଆଇଜି (ଝାନ୍‌ସି) ଏସ୍‌ ଏସ୍‌ ବାଘେଲ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି। ଅତିରିକ୍ତ ୧୦ ପ୍ଲାଟୁନ୍‌ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ଓ ପ୍ରଦେଶ ସଶସ୍ତ୍ର ବାହିନୀର ୬୮ ପ୍ଲାଟୁନ୍‌ କର୍ମଚାରୀ ନିୟୋଜିତ କରାଯାଇଛି। ଫୈଜାବାଦ ଓ ଅଯୋଧ୍ୟାକୁ ଲାଗିକରି ଥିବା ଅନ୍ୟ ଜିଲ୍ଲାରୁ ଅତିରିକ୍ତ ପୁଲିସ ଏଠାରେ ନିୟୋଜିତ ହୋଇଛନ୍ତି। ଏଏସ୍‌ପି (ଅଯୋଧ୍ୟା) ସଞ୍ଜୟ କୁମାରଙ୍କ କହିବାନୁସାରେ ପିଏସି (ପ୍ରୋଭିନ୍ସିଆଲ୍‌ ଆର୍ମଡ୍‌ କନ୍‌ଷ୍ଟାବୁଲାରି)ର ଏକ ବନ୍ୟା ମୁକାବିଲା ବାହିନୀ ସରାୟୁ ନଦୀତଟରେ ସଜାଗ ହୋଇ ରହିଛି। ଏହାଛଡ଼ା କୌଣସି ସମ୍ଭାବ୍ୟ ହିଂସାସ୍ଥିତିକୁ ଏଡ଼ାଇବା ପାଇଁ ଏଟିଏସ୍‌ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ କରାଯାଇଛି। ୭୦,୦୦୦ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର