ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦର ମୂଳରେ ଜମି ରହିଛି। ତେଣୁ ଜମି ବିବାଦର ସମାଧାନ ପ୍ରମାଣ ଆଧାରରେ କରାଯାଇଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ରିପୋର୍ଟ ଆଧାରରେ ଏହା କରାଯାଇଛି। ଧର୍ମ କିମ୍ବା ବିଶ୍ବାସକୁ ବିଚାରକୁ ନେଇ ଜମିର ମାଲିକାନା ବିଚାର କରାଯାଇପାରିବ ନାହିଁ। ଗୋଟିଏ ବିଶ୍ବାସ ଯୁକ୍ତିଯୁକ୍ତ କି ନାହିଁ ତାହା ନ୍ୟାୟିକ ତଦନ୍ତ ପରିସର ବାହାରେ। ଥରେ ଗୋଟିଏ ବିଶ୍ବାସ ପ୍ରତିଷ୍ଠା ହୋଇଗଲେ କୋର୍ଟ ଏଥିରୁ ବିରତ ରହିବା ଉଚିତ। ତେବେ କୋର୍ଟ ଏହା ମଧ୍ୟରେ ସମତୁଲତା ରକ୍ଷା କରିବା ଉଚିତ।
ତଳେ ଥିବା ଢାଞ୍ଚା ମୁସଲମାନଙ୍କର ନୁହେଁ
ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଅଯୋଧ୍ୟାର ବିବାଦୀୟ ମସଜିଦ ତଳେ ପୁରୁଣା ଢାଞ୍ଚା ରହିଛି। ତେବେ ଏଏସଆଇ ଏହା କହିନାହିଁ ଯେ ବିବାଦୀୟ ମସଜିଦଟି ପୁରୁଣା ଢାଞ୍ଚାକୁ ଭଙ୍ଗାଯାଇ କରାଯାଇଛି। ଏହି ରିପୋର୍ଟକୁ ଆଧାର କରି କୋର୍ଟ ଦର୍ଶାଇଥିଲେ ଯେ ତଳେ ନିର୍ମାଣ ହୋଇଥିବା ଢାଞ୍ଚା ମୁସଲମାନମାନଙ୍କର ନୁହେଁ।
୧୮୫୭ ପୂର୍ବରୁ ହିନ୍ଦୁଙ୍କୁ ପୂଜାରୁ ବାଦ୍ ଦିଆଯାଇଥିବାର ପ୍ରମାଣ ନାହିଁ
ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଦସ୍ତାବିଜ୍ ଜନିତ ଯାହା ପ୍ରମାଣ ରହିଛି ସେଥିରୁ ଜଣାପଡ଼ୁନାହିଁ ଯେ, ୧୮୫୭ ମସିହା ପୂର୍ବରୁ ସେଠାରେ ହିନ୍ଦୁମାନଙ୍କୁ ପୂଜାରୁ ବାଦ୍ ଦିଆଯାଇଥିଲା। ବାହ୍ୟ ଅଗଣା ହିନ୍ଦୁମାନଙ୍କର ପୂଜାର ଏକ ପ୍ରମୁଖ ସ୍ଥଳୀ ରହିଥିଲା। ଏଥିଯୋଗୁ ହିନ୍ଦୁମାନେ ଏହି ସ୍ଥାନର ଅବାଧ ଅଧିକାରକୁ ପ୍ରତିଷ୍ଠା କରିପାରିଛନ୍ତି।
ନିଜ ଅଧୀନରେ ଥିବାର ପ୍ରମାଣ ମୁସଲମାନମାନେ ଦେଇପାରି ନାହାନ୍ତି
ଏହି ସ୍ଥାନ ମୁସଲମାନମାନଙ୍କ ଅଧୀନରେ ରହିଥିବାର ପ୍ରମାଣ ସେମାନେ ଦେଇପାରି ନାହାନ୍ତି। ଭିତର ଅଗଣା ବିବାଦୀୟ ସ୍ଥଳ ରହିଥିଲା। ଏହି ସ୍ଥାନକୁ ମୁସଲମାନମାନେ ଛାଡ଼ି ଦେଇଥିବାର ପ୍ରମାଣ ନାହିଁ। ସେହିଭଳି ମୁସଲମାନମାନଙ୍କ ଦ୍ବାରା ନମାଜ ପାଠ ହିନ୍ଦୁମାନଙ୍କୁ ବିଦା କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମଧ୍ୟ ପ୍ରମାଣ ନାହିଁ।
ମୁସଲମାନଙ୍କୁ ମସଜିଦରୁ ବଞ୍ଚିତ କରାଯାଇଛି
ସୁପ୍ରିମ କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ ଏଠାରେ ପ୍ରାୟ ୪୫୦ ବର୍ଷ ପୂର୍ବେ ମସଜିଦ ନିର୍ମାଣ ହୋଇଥିଲା। ୧୯୪୯ ଏବଂ ୧୯୯୨ ଘଟଣା ଯୋଗୁଁ ସେମାନଙ୍କୁ ମସଜିଦରୁ ବଞ୍ଚିତ କରାଯାଇଛି। ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଛନ୍ତି।
ମସଜିଦ୍ ଭଙ୍ଗାକୁ ଅଣଦେଖା କଲେ ଅନ୍ୟାୟ ହେବ
ସର୍ବୋଚ୍ଚ ଅଦାଲତ ମସଜିଦ ଭଙ୍ଗା ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଯେଉଁଠି ଆଇନକୁ ସମ୍ମାନ ଦିଆଯାଏ ସେଠାରେ ମସଜିଦ୍ ଭଙ୍ଗା ପ୍ରସଙ୍ଗ ବିଚାରକୁ ନନେଲେ ତାହା ନ୍ୟାୟର ଅଣଦେଖା ହେବ। ବାବ୍ରୀ ମସଜିଦ ଭାଙ୍ଗିବା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି। ସର୍ବସାଧାରଣ ପୂଜା ସ୍ଥଳୀକୁ ନଷ୍ଟ କରିବା ଥିଲା ସଂଘବଦ୍ଧ ଆକ୍ରମଣ। ବେଆଇନ ଭାବେ ମୁସଲମାନମାନଙ୍କ ପୂଜାସ୍ଥଳୀକୁ ଭଙ୍ଗା ଯାଇଥିବାରୁ ସେମାନଙ୍କୁ ଏହାର ପୁନଃନିର୍ମାଣ କରାଇଦେବାର ଆବଶ୍ୟକତା ରହିଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ନିର୍ମୋହି ଆଖଡ଼ା ଦାବି ଗ୍ରହଣଯୋଗ୍ୟ ନୁହେଁ
ଅନ୍ୟ କେତେକ ପିଟିସନର ବିଚାର କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ରାମ ଜନ୍ମଭୂମି ଏକ ବିଚାର ସମ୍ବନ୍ଧୀୟ ବ୍ୟକ୍ତି ନୁହନ୍ତି। ନିର୍ମୋହି ଆଖଡ଼ାର ଦାବି ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଏହାକୁ ସୁପ୍ରିମ କୋର୍ଟ ବାଦ୍ ଦେଇଛନ୍ତି।
ସରକାରୀ ଟ୍ରଷ୍ଟକୁ ୨.୭୭ ଏକର ଜମି ହସ୍ତାନ୍ତର ହେବ
ମନ୍ଦିର ନିର୍ମାଣ ପାଇଁ ୨.୭୭ ଏକର ଜମିକୁ ସରକାରଙ୍କ ଦ୍ବାରା ପରିଚାଳିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି। ତେବେ ଏହା କୌଣସି ପ୍ରକାର ଶାନ୍ତି ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ। ଅଯୋଧ୍ୟାରେ ଶାନ୍ତି ଶୃଙ୍ଖଳା ରକ୍ଷାକୁ ସରକାର ସୁନିଶ୍ଚିତ କରିବେ।
ଆହ୍ଲାବାଦ ହାଇକୋର୍ଟ ରାୟ ଖାରଜ
ଅଯୋଧ୍ୟା ମନ୍ଦିର-ମସଜିଦ୍ ବିବାଦରେ ଆହ୍ଲାବାଦ ହାଇକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ୩ଟି ପକ୍ଷ ମଧ୍ୟରେ ଉକ୍ତ ଜମିକୁ ସମାନ ଭାବରେ ବାଣ୍ଟି ଦେବାକୁ ରାୟ ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଆଜିର ପରିସ୍ଥିତିରେ ଆଇନଗତ ଦୃଷ୍ଟିରୁ ସବୁଦିନିଆ ହୋଇପାରିବ ନାହିଁ। ଏହା ସମ୍ଭବ ମଧ୍ୟ ନୁହେଁ। ଜମିକୁ ବଣ୍ଟନ କରିଦେଲେ କୌଣସି ପକ୍ଷର ସ୍ବାର୍ଥ ସାଧନ ହେବନାହିଁ କିମ୍ବା ଶାନ୍ତି ବଜାୟ ରଖିବାରେ ମଧ୍ୟ ସହାୟକ ହେବନାହିଁ।
ଖାଲି ଜମିରେ ମସ୍ଜିଦ୍ ନିର୍ମାଣ ହୋଇନଥିଲା
ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍ଆଇ) ଖନନରୁ ବାହାରିଥିବା ପ୍ରମାଣକୁ ଅଣଦେଖା କରାଯାଇ ପାରିବ ନାହିଁ। ମସ୍ଜିଦ ଖାଲି ଜମିରେ ନିର୍ମାଣ ହୋଇନଥିଲା। ମସ୍ଜିଦ୍ ତଳେ ବିଶାଳ ଢାଞ୍ଚା ରହିଥିଲା। ଏଏସ୍ଆଇ ଏହାକୁ ଦ୍ବାଦଶ ଶତାବ୍ଦୀର ମନ୍ଦିର ବୋଲି କହିଥିଲେ। କୋର୍ଟ କହିଛନ୍ତି ଯେ ସେଠାରୁ ଯେଉଁ କଳାକୃତି ମିଳିଥିଲା ତାହା ଇସ୍ଲାମିକ ନୁହେଁ। ଏଏସ୍ଆଇ ରିପୋର୍ଟକୁ ଭରସା ନ କରିବା ପାଇଁ ମୁସ୍ଲିମ ପକ୍ଷର ଯୁକ୍ତିକୁ ଗୋଟିଏ ପଟେ ସୁପ୍ରିମ୍ କୋର୍ଟ ଖାରଜ କରିଥିବା ବେଳେ ଅନ୍ୟପଟେ କହିଛନ୍ତି ଯେ ଖନନରୁ ବାହାରିଥିବା ଢାଞ୍ଚା ଆଧାରରେ ମଧ୍ୟ ହିନ୍ଦୁ ପକ୍ଷରୁ ଦାବିକୁ ଗ୍ରହଣ କରାଯାଇନାହିଁ।
ମନ୍ଦିର ଭାଙ୍ଗି ମସ୍ଜିଦ୍ ନିର୍ମାଣ ହୋଇଥିବା ଏଏସ୍ଆଇ ସାବ୍ୟସ୍ତ କରିପାରି ନାହିଁ
ସମ୍ବିଧାନ ପୀଠର ରାୟରେ କୁହାଯାଇଛି ଯେ ବିବାଦୀୟ ସ୍ଥଳରେ ଯେଉଁ ମସ୍ଜିଦ୍ ନିର୍ମାଣ ହୋଇଥିଲା ତାହା ଏକ ମନ୍ଦିରକୁ ଭାଙ୍ଗି ନିର୍ମାଣ କରାଯାଇଥିବା ନେଇ ଏଏସ୍ଆଇ ପ୍ରମାଣ କରିପାରିନାହିଁ। ତେବେ ଅଯୋଧ୍ୟାରେ ରାମଙ୍କ ଜନ୍ମସ୍ଥାନ ଦାବିକୁ କେହି ବିରୋଧ କରିନାହାନ୍ତି। ବିବାଦୀୟ ସ୍ଥଳରେ ହିନ୍ଦୁମାନେ ପୂଜା କରୁଥିଲେ। ହିନ୍ଦୁଙ୍କ ଏହି ଦାବି କୌଣସି ଆଧାରରେ ଭୁଲ୍ ସାବ୍ୟସ୍ତ ହୋଇନାହିଁ। ରାମଲାଲା ପକ୍ଷରୁ ଐତିହାସିକ ଗ୍ରନ୍ଥର ବିବରଣୀ ରଖାଯାଇଥିଲା। ହିନ୍ଦୁମାନେ ସେଠାରେ ପରିକ୍ରମା ମଧ୍ୟ କରୁଥିଲେ। ଚଉତରା, ସୀତା ରୋଷେଇ ଏବଂ ଭଣ୍ଡାର ମଧ୍ୟ ରହିଥିବା ନେଇ ଦାବିର ଯଥାର୍ଥତା ପ୍ରମାଣ ହୋଇଛି।