ଅଯୋଧ୍ୟା ମାମଲା : ସୁପ୍ରିମ୍‌ କୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟରେ କାହାକୁ କ’ଣ ମିଳିଲା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ ଜମି ବିବାଦ ମାମଲାରେ ସମୁଦାୟ ୧୪ଟି ପକ୍ଷ ରହିଥିଲେ। ଏସବୁ ପକ୍ଷ ସେମାନଙ୍କ ନିଜ ନିଜ ସପକ୍ଷରେ ଯୁକ୍ତି ଓ ତଥ୍ୟ ବିଚାର ବେଳେ ସୁପ୍ରିମ କୋର୍ଟରେ ଉପସ୍ଥାପନ କରିଥିଲେ। ତେବେ ଏମାନଙ୍କ ମଧ୍ୟରୁ ୫ଟିକୁ ପ୍ରମୁଖ ପକ୍ଷ ଭାବେ ବିବେଚନା କରାଯାଉଛି। ସେମାନେ ହେଲେ ନିର୍ମୋହି ଆଖଡ଼ା, ସିହା ୱାକଫ୍ ବୋର୍ଡ, ସୁନ୍ନି ୱାକଫ୍‌ ବୋର୍ଡ, ରାମ ଲାଲା ବିରାଜମାନ ଏବଂ ଗୋପାଳ ସିଂହ ବିଶାରଦ।

ନିର୍ମୋହି ଆଖଡ଼ାକୁ ମିଳିବନି ଜମି
ଏହି ବିବାଦରେ ହିନ୍ଦୁ ପକ୍ଷର ଏକ ପ୍ରମୁଖ ବାଦୀ ରହିଥିଲା ନିର୍ମୋହୀ ଆଖଡ଼ା। ୨୦୧୦ ମସିହାର ରାୟରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ନିର୍ମୋହି ଆଖଡ଼ା, ରାମ ଲାଲା ଏବଂ ସୁନ୍ନି ୱାକଫ୍ ବୋର୍ଡ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେଇଥିଲେ। କିନ୍ତୁ ସୁପ୍ରିମ କୋର୍ଟ କହିଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ତ୍ରୁଟିପୂର୍ଣ୍ଣ। ସମୁଦାୟ ବିବାଦୀୟ ଜମି ଉପରେ ନିର୍ମୋହି ଆଖଡ଼ା କରୁଥିବା ସମ୍ପୂର୍ଣ୍ଣ ଦାବିକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ଟ୍ରଷ୍ଟ ଗଠନ ହେବ ସେଥିରେ ନିର୍ମୋହି ଆଖଡ଼ାକୁ ସାମିଲ କରାଯିବ କି ନାହିଁ ତାହାର ନିଷ୍ପତ୍ତି ସରକାର ନେବେ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ କହିଛନ୍ତି।

ସିହା ୱାକଫ୍ ବୋର୍ଡ ଦାବି ଅଗ୍ରାହ୍ୟ
ସିହା ୱାକଫ୍ ବୋର୍ଡ ପକ୍ଷରୁ ଅଯୋଧ୍ୟାର ବିବାଦୀୟ ଜମି ଉପରେ ଯେଉଁ ଦାବି କରାଯାଉଥିଲା ତାହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନାହାନ୍ତି। ଖଣ୍ଡପୀଠ ସର୍ବସମ୍ମତିକ୍ରମେ ସିହା ୱାକଫ୍ ବୋର୍ଡର ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସୁନ୍ନି ୱାକଫ୍ ବୋର୍ଡକୁ ଅନ୍ୟତ୍ର ମିଳିବ ୫ ଏକର ଜମି
ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ, ସୁନ୍ନି ୱାକଫ୍ ବୋର୍ଡକୁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥଳରେ ୫ ଏକର ଜମି ସରକାର ଯୋଗାଇ ଦେବେ। ଏଠାରେ ସୁନ୍ନି ୱାକଫ୍ ବୋର୍ଡ ନୂଆ ମସଜିଦ୍ ନିର୍ମାଣ କରିପାରିବ। ଏହି ସ୍ଥାନକୁ ଉଭୟ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାର ମିଳିତଭାବେ ଚିହ୍ନଟ କରିବେ। ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟରେ ସୁନ୍ନି ୱାକଫ୍ ବୋର୍ଡକୁ ଏକ ତୃତୀୟାଂଶ ଜାଗା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁସଲିମ ପକ୍ଷରୁ ସୁନ୍ନି ୱାକଫ୍ ବୋର୍ଡ ଏକ ମୁଖ୍ୟ ଦାବିଦାର ରହିଥିଲା। ରାୟ ପ୍ରକାଶ ପାଇବା ପରେ ସୁନ୍ନି ୱାକଫ୍‌ ବୋର୍ଡ ଏହାକୁ ସ୍ବାଗତ କରିଛି ଏବଂ ଏହାକୁ ଚାଲେଞ୍ଜ କରି କୌଣସି ରିଭ୍ୟୁ ପିଟିସନ ଦାଖଲ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

ରାମ ଲାଲାଙ୍କୁ ମିଳିଲା ବିବାଦୀୟ ଜମି
ଅଯୋଧ୍ୟାର ବିବାଦୀୟ ଜମିର ଉପଯୁକ୍ତ ମାଲିକ ହେଉଛନ୍ତି ଦେବତା ରାମ ଲାଲା। ତେଣୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ଏକ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଟ୍ରଷ୍ଟ ଏହି ଜମି ଏବଂ ଜମିରେ ହେବାକୁ ଥିବା ନିର୍ମାଣର ପରିଚାଳନା କରିବ। ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ ହେବ। ୨.୭୭ ଏକରର ବିବାଦୀୟ ଜମିକୁ ଉକ୍ତ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ। ଏଥିସହିତ ଏକ ଟ୍ରଷ୍ଟି ବୋର୍ଡ ଗଠନ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋପାଳ ସିଂହ ବିଶାରଦଙ୍କୁ ପୂଜା ଅଧିକାର
ନିମ୍ନ ଅଦାଲତରେ ମାମଲା ରୁଜୁ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ଗୋପାଳ ସିଂହ ବିଶାରଦ। ସେ ‘ରାମ ଲାଲା’ଙ୍କର ଜଣେ ଭକ୍ତ। ବିବାଦୀୟ ସ୍ଥଳରେ ହିନ୍ଦୁମାନଙ୍କୁ ପୂଜା ଅଧିକାର ପ୍ରଦାନ ଲାଗି ସେ ଆବେଦନ କରିଥିଲେ। ସୁପ୍ରିମ କୋର୍ଟ ଶ୍ରୀ ବିଶାରଦଙ୍କୁ ପୂଜା ଅଧିକାର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର