ଅଯୋଧ୍ୟା ଶୁଣାଣି ଶେଷ ପର୍ଯ୍ୟାୟରେ, ଉଭୟ ପକ୍ଷର ଦଲିଲ୍‌ ଉପସ୍ଥାପନ ସରିଲା

ଶୁଣାଣିର ଶେଷ ତାରିଖ ନଭେମ୍ବର ୧୭, ସୁନି ୱକଫ ବୋର୍ଡ ଅଧ୍ୟକ୍ଷଙ୍କୁ ପୁଲିସ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ : ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲାରେ ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବା ସମ୍ଭାବନା ଥିବାରୁ ଏହାର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ହୋଇଛି। ଆଜି ମୁସ୍‌ଲିମ ପକ୍ଷର ଦଲିଲ୍‌ ଉପସ୍ଥାପନ ଶେଷ ହୋଇଛି। ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷରୁ ଦଲିଲ ଉପସ୍ଥାପନ ସରିଥିବାରୁ ଏବେ ଶୁଣାଣି ପ୍ରକ୍ରିୟା ତ୍ବରାନ୍ବିତ ହେବ। ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ୧୪୪ ଧାରା ଜାରି ହୋଇଛି ଏବଂ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା କହିଛନ୍ତି, ଅଯୋଧ୍ୟାର ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅଯୋଧ୍ୟା ଗସ୍ତ କରୁଥିବା ଲୋକମାନଙ୍କ ସୁରକ୍ଷାକୁ ନଜରରେ ରଖି ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ ମଧ୍ୟ ଅଣାଯିବ ବୋଲି ସେ କହିଛନ୍ତି। ଅଯୋଧ୍ୟାରେ ଡ୍ରୋନ୍‌ ବ୍ୟବହାର ଏବଂ ଫିଲ୍ମ ସୁଟିଂ ଉପରେ ମଧ୍ୟ କଟକଣା ଲାଗିଛି। ଜିଲ୍ଲା ଅଧିକାରୀଙ୍କ ବିନା ଅନୁମତିରେ ଅଯୋଧ୍ୟାରେ ବାଣ କିଣାବିକା ହୋଇପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ଶୁଣାଣି ପ୍ରକ୍ରିୟା ଅକ୍ଟୋବର ୧୭ରେ ଶେଷ ହେବାକୁ ଥିବାରୁ ଏହାକୁ ସ୍ବାଗତ କରି ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହାନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି, ଏବେ ଶୁଭ ମୁହୂର୍ତ୍ତ ଆସିଯାଇଛି। ରାମାୟଣ ମେଳା ପୂର୍ବରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବା ଆଶା ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମନ୍ଦିର ନିର୍ମାଣ କାର୍ଯ୍ୟାଳାରେ ଦେଶର ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଆଜି ମୁସ୍‌ଲିମ ପକ୍ଷଙ୍କୁ କହିଛନ୍ତି ଯେ ପୂର୍ବ ନିର୍ଦ୍ଧାରିତ ସମୟସୀମା ଭିତରେ ହିଁ ଶୁଣାଣି ହେବ। ୧୫ ଏବଂ ୧୬ ଅକ୍ଟୋବରରେ ହିନ୍ଦୁ ପକ୍ଷଙ୍କୁ ଜବାବୀ ଦଲିଲ ଉପସ୍ଥାପନ କରିବାକୁ ସୁଯୋଗ ମିଳିବ। ଆଜି ସୁନି ୱକଫ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁକିଙ୍କୁ ପୁଲିସ ସୁରକ୍ଷା ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର