ଅଯୋଧ୍ୟା ଜମି ବିବାଦ ମାମଲା: ବ୍ରିଟିସ୍‌ ଶାସନରେ ହିନ୍ଦୁ ପୂଜା ପାଇଁ ଆସୁଥିଲେ

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ସମ୍ବିଧାନ ପୀଠ ଆଜି ୧୦ମ ଦିବସର ଶୁଣାଣି କରିଛନ୍ତି। ଆବେଦନକାରୀ ଗୋପାଳ ସିଂହ ବିଶାରଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଂଜିତ କୁମାର ତାଙ୍କ ଯୁକ୍ତି ଉପସ୍ଥାପନ କରି କହିଥିଲେ ମୁଁ ଶ୍ରୀରାମଙ୍କ ଉପାସକ ଏବଂ ରାମ ଜନ୍ମଭୂମିରେ ମତେ ପୂଜା କରିବାର ଅଧିକାର ମିଳିବା ଉଚିତ। ସେ ୮୦ ବର୍ଷର ଅବ୍‌ଦୁଲ୍‌ ଗନିଙ୍କ ସାକ୍ଷ୍ୟ ପ୍ରସଙ୍ଗ ଉଠାଇ କହିଥିଲେ, ଗନିଙ୍କ ବୟାନ ଅନୁଯାୟୀ ବାବ୍‌ରି ମସ୍‌ଜିଦ୍‌ ରାମ ଜନ୍ମସ୍ଥାନରେ ହିଁ ନିର୍ମାଣ ହୋଇଥିଲା। ବ୍ରିଟିସ୍‌ ରାଜରେ ମସ୍‌ଜିଦରେ କାଁ ଭାଁ ନମାଜ ପାଠ ହେଉଥିଲା ଏବଂ ସେଠାକୁ ହିନ୍ଦୁମାନେ ମଧ୍ୟ ପୂଜା କରିବା ପାଇଁ ଆସୁଥିଲେ। ମସ୍‌ଜିଦ୍‌କୁ ଭାଙ୍ଗି ଦିଆଯିବା ପରେ ମୁସ୍‌ଲମାନ ସେଠାରେ ନମାଜ ପଢ଼ିବା ବନ୍ଦ କରିଦେଇଥିଲେ, କିନ୍ତୁ ହିନ୍ଦୁମାନେ ଜନ୍ମସ୍ଥାନରେ ପୂଜା ଜାରି ରଖିଥିଲେ। ଏହି ଯୁକ୍ତି ଉପରେ ପ୍ରଧାନ ବିଚାରପତି ରଂଜନ ଗୋଗଇ ପ୍ରଶ୍ନ କରିଥିଲେ ଯେ ଅବଦୁଲ ଗନିଙ୍କ ବୟାନ ରେକର୍ଡ କରାଯାଇଛି କି ନାହିଁ ଏବଂ ଏହି ବୟାନର ସତ୍ୟତା ଉପରେ ତାଙ୍କୁ ଜେରା ହୋଇଛି କି ନାହିଁ। ରଂଜିତ କୁମାର ଏହାର ଜବାବରେ କହିଥିଲେ ଯେ ଗନିଙ୍କ ଭଳି ଅନେକ ବ୍ୟକ୍ତି ରାମ ଜନ୍ମଭୂମି ସ୍ଥଳ ନେଇ ସେମାନଙ୍କ ମତ ରଖିଛନ୍ତି। ଏହା ପୂର୍ବରୁ ବୁଧବାର ରାମଲଲା ବିରାଜମାନର ଆଇନଜୀବୀ ସିଏସ୍‌ ବୈଦ୍ୟନାଥନ ତାଙ୍କ ଯୁକ୍ତି ରଖିଥିଲେ । ସେ କହିଥିଲେ ଯେ ବିବାଦୀୟ ଜମି ରାଜ ଜନ୍ମଭୂମି ଭାବେ ସମଗ୍ର ଦେଶ ଜାଣିଛି ଏବଂ ଏହି ସ୍ଥଳ ପ୍ରତି ଲୋକଙ୍କ ଆସ୍ଥାକୁ କେହି ଦୋହଲାଇ ପାରିବେ ନାହିଁ । ଏହି ସଂପତ୍ତି ଭଗବାନଙ୍କର ହୋଇଥିବାରୁ ଏହାକୁ କେହି ବଳପୂର୍ବକ ଅକ୍ତିଆର କରିପାରିବେ ନାହିଁ କି ଏହି ସମ୍ପତ୍ତିକୁ ଦଖଲ କରିବା ପାଇଁ ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର