ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଜାରି ହେଲା ନକ୍ସା: ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ମସଜିଦ, ହସ୍ପିଟାଲ ଓ ମ୍ୟୁଜିୟମ୍

ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଆସିଲା ପ୍ରଥମ ଝଲକ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନକ୍ସା ବା ଡିଜାଇନ ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ମସଜିଦ ନକ୍ସାର ଫାଷ୍ଟ ଲୁକ ଜାରି କରାଯାଇଛି । ସୁନ୍ନି ସେଂଟ୍ରାଲ ୱାକଫ ବୋର୍ଡ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠନ କରିଛି । ସେହି ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାର ଧନ୍ନିପୁରରେ ହେବାକୁ ଥିବା ମସଜିଦର ନକ୍ସା ଜାରି କରାଯାଇଛି । ନକ୍ସା ଦେଖିବା ପରେ ଅନୁମାନ କରିହେଉଛି, ବିଶ୍ୱର ବଛା ବଛା ଆକର୍ଷଣୀୟ ମସଜିଦ ମଧ୍ୟରେ ଏହା ପରିଗଣିତ ହେବ । ଏହି ଭବ୍ୟ ମସଜିଦ ନିର୍ମାଣ କାମ ଜାନୁୟାରି ୨୬ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଶନିବାର ଲକ୍ଷ୍ନୌରେ ଆୟୋଜିତ ଆଇଆଇସିଏଫ ଟ୍ରଷ୍ଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭବ୍ୟ ମସଜିଦର ନକ୍ସାକୁ ସାର୍ବଜନୀନ କରିଛନ୍ତି ବାସ୍ତୁବିଦ ତଥା ମସଜିଦର ଡିଜାଇନର ପ୍ରଫେସର ଏସ୍ ଏମ୍ ଅଖତର । ମସଜିଦର ଶିଳାନ୍ୟାସ କିଏ କରିବେ । ନିର୍ମାଣ ପ୍ରକ୍ରିୟା କିପରି ଆଗକୁ ବଢିବ । ମସଜିଦର ନାମ କ’ଣ ରଖାଯିବ ଏସବୁ ପ୍ରସଙ୍ଗରେ ବୋର୍ଡ ମୋହର ମାରିଥିବା ଜଣାପଡିଛି । ତେବେ ସେସବୁ ସମୟ ଆସିଲେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଟ୍ରଷ୍ଟ ଅଧ୍ୟକ୍ଷ ମୌଲାନା ଜୁଫର ଫାରୁକି । ମସଜିଦ ପରିସରରେ ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସାର୍ବଜନିନ ଭୋଜନାଳୟ, ଆଧୁନିକ ପୁସ୍ତକାଳୟ, ପ୍ରକାଶନ ଗୃହ ଓ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନର ପ୍ରବକ୍ତା ଅତହୁର ହୁସେନ କହିଛନ୍ତି, ୫ ଏକର ଜମିରେ ୩୫ଶହ ବର୍ଗଫୁଟର ଦ୍ୱିତଳ ପ୍ରାସାଦ ମସଜିଦ ନିର୍ମାଣ କରାଯିବ ।

ଯେଉଁଥିରେ ଥରକରେ ୨ହଜାରରୁ ଅଧିକ ଲୋକ ନମାଜ ପାଠ କରିପାରିବେ ଓ ମହିଳାଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ସେହିପରି ୨୪ ହଜାର ୧୫୦ ବର୍ଗଫୁଟର ଜାଗାରେ ୪ ମହଲା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ । ଯେଉଁଥିରେ ଅତିକମରେ ୩ଶହ ଶଯ୍ୟା ରହିବ । ସୁନ୍ନୀ ସେଂଟ୍ରାଲ ୱାକଫ ବୋର୍ଡର ସୂଚନା ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମିଳିଥିବା ୫ ଏକର ଜମିରେ ମସଜିଦ ନିର୍ମାଣ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ନକ୍ସା ବି ତିଆରି କରାଯାଇଛି । ଏବେ ଶିଳାନ୍ୟାସର ଔପଚାରିକତା ପରେ ମସଜିଦ ସମେତ ଅନ୍ୟ ଭବନର ନିର୍ମାଣ କାମ ଆରମ୍ଭ କରାଯିବ ।

ସମ୍ବନ୍ଧିତ ଖବର