ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିମନ୍ତ୍ରଣ ତାଲିକାରେ ଦେଶର ବହୁ ମାନଗଣ୍ୟ ବ୍ୟକ୍ତିଙ୍କ ସହ ଅନେକ ବଲିଉଡ୍ ତାରକା ବି ସାମିଲ୍ ଅଛନ୍ତି। ତାଲିକାରେ ୩ ହଜାର ଭିଭିଆଇପି ନିମନ୍ତ୍ରିତଙ୍କ ସମେତ ମୋଟ୍ ୭ ହଜାର ଲୋକଙ୍କ ନାମ ରହିଛି।
ଏଥିରେ 'ରାମାୟଣ'ରେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଦେବୀ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ଅତିଥି ତାଲିକାରେ ନାହିଁ।
୨୦୨୪ ମସିହା ଜାନୁଆରି ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି। କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ଚଳଚ୍ଚିତ୍ର ତାରକା ଅମିତାଭ ବଚ୍ଚନ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ପ୍ରାୟ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି।
ଅକ୍ଷୟ କୁମାର, ଆଶା ଭୋଁସଲେଙ୍କୁ ମଧ୍ୟ ଏହି ସମାରୋହ ପାଇଁ ନିମନ୍ତ୍ରଣ ପଠାଯାଇଛି। ସମୟ ଏବଂ ତାରିଖ ବିଷୟରେ ଧାର୍ଯ୍ୟ କରାଯାଇ ଆସନ୍ତା ଜାନୁଆରି ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ମନ୍ଦିରରେ ରାମଲଲ୍ଲାଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ହେବ।
ଆରଏସଏସ ମୁଖ୍ୟ ମୋହନ ଭଗବତ, ଯୋଗ ଗୁରୁ ରାମଦେବ, ଶିଳ୍ପପତି ରତନ ଟାଟା, ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ଏଥିରେ ଭାଗ ନେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି।