ନାଗରା ଶୈଳୀରେ ନିର୍ମିତ ହେବ ଅଯୋଧ୍ୟା ରାମ ମନ୍ଦିର

ପ୍ରଧାନମନ୍ତ୍ରୀ ଭୂମି ପୂଜନ ପାଇଁ ପୂର୍ବାହ୍ନ ୧୧ଟା ୧୫ରେ ଅଯୋଧ୍ୟା ପହଞ୍ଚିବେ

ଲକ୍ଷ୍ନୌ : ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଶିଳ୍ପଶାସ୍ତ୍ର ଅନୁମୋଦିତ ‘ନାଗରା’ ଶୈଳୀରେ ନିର୍ମିତ ହେବ। ମନ୍ଦିରରେ ୫ ଗମ୍ବୁଜ ବିଶିଷ୍ଟ ମଣ୍ଡପ (ଗର୍ଭଗୃହ, କୁଡୁମଣ୍ଡପ, ନୃତ୍ୟମଣ୍ଡପ, ରଙ୍ଗମଣ୍ଡପ, ପ୍ରାର୍ଥନା ମଣ୍ଡପ) ଏବଂ ଗୋଟିଏ ‘ଶିଖର’ ରହିବ। ମନ୍ଦିରର ଉଚ୍ଚତା ୧୬୧ ଫୁଟ ହେବ। ସାଢେ ତିନି ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ତିନି ମହଲାବିଶିଷ୍ଟ ମନ୍ଦିର ସମ୍ପୂର୍ଣ୍ଣ ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମିତ ହେଉଛି। ମନ୍ଦିରର ମୂଳ ନକ୍ସା ଅନୁସାରେ ଏହା ତିନିମହଲା ଏବଂ ତିନି ଗମ୍ବୁଜବିଶିଷ୍ଟ ହେବାର ଥିଲା ବୋଲି ମନ୍ଦିରର ମୁଖ୍ୟ ଶିଳ୍ପୀ ଚନ୍ଦ୍ରକାନ୍ତଭାଇ ସୋମ୍‌ପୁରାଙ୍କ ପୁତ୍ର ଆଶିଷ ସୋମ୍‌ପୁରା କହିଛନ୍ତି।

କିନ୍ତୁ ନୂଆ ନକ୍ସା ଅନୁସାରେ ଏହା ୫ ଗମ୍ବୁଜବିଶିଷ୍ଟ ହେବ। ପୂର୍ବର ତିନି ଗମ୍ବୁଜ ସମେତ ଏଥିରେ ରଙ୍ଗମଣ୍ଡପ ଏବଂ ପ୍ରାର୍ଥନା ମଣ୍ଡପ ଯୋଗ କରାଯାଇଛି। ଅପରପକ୍ଷେ, ମୂଳ ମନ୍ଦିର ନକ୍ସାରେ ୨୧୨ ସ୍ତମ୍ଭ (ପିଲାର) ନିର୍ମାଣ ହେବାକୁ ଥିବାବେଳେ ପରିବର୍ତ୍ତିତ ନକ୍ସାରେ ୩୬୦ ସ୍ତମ୍ଭ ରହିବ ବୋଲି ଶିଳ୍ପୀ ‌ଆଶିଷ କହିଛନ୍ତି। ଅଗଷ୍ଟ ୫ ତାରିଖରେ ମନ୍ଦିର ନିର୍ମାଣ ପାଇଁ ଭୂପି ପୂଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସମଗ୍ର ସହରରେ ଏଥିପାଇଁ ସାଜସଜ୍ଜା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପୂର୍ବାହ୍ନ ୧୧ଟା ୧୫ରେ ଅଯୋଧ୍ୟା ପହଞ୍ଚିବେ। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୫ ଜଣ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର