ଅଯୋଧ୍ୟା: ରାମଲଲାଙ୍କ ପୂଜା କରିବାରେ ନିୟୋଜିତ ପୂଜାରୀ ଓ ସେବକଙ୍କ ପାଇଁ ଖୁସି ଖବର। ପୂର୍ବରୁ ପୂଜାରୀ ଓ ସେବକଙ୍କୁ କମ ଦରମା ମିଳୁଥିବା ଦେଇ ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସେମାନଙ୍କ ଦରମା ବଢ଼ାଇଛନ୍ତି। ମନ୍ଦିର ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନିଲ ମିଶ୍ରା କହିଛନ୍ତି ଯେ ରାମଲଲାଙ୍କ ସେବାରେ ନିୟୋଜିତ ପୂଜାରୀଙ୍କୁ ସମ୍ମାନଜନକ ଦରମା ମିଳିବା ଉଚିତ ବୋଲି ଧ୍ୟାନରେ ରଖି ତାଙ୍କ ଦରମା ପ୍ରତିବର୍ଷ ବୃଦ୍ଧି ପାଇଥାଏ। ସେହି ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ତାଙ୍କର ଦରମା ବୃଦ୍ଧି ପାଇଛି।

Advertisment

ସେ କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ମାସକୁ ୧୫ହଜାର ଟଙ୍କା ବଦଳରେ ୨୫ହଜାର ଟଙ୍କା ଦରମା ମିଳିବ। ସେହିଭଳି ସେବକଙ୍କୁ ୮ହଜାର ଟଙ୍କା ବଦଳରେ ୧୫,୦୦୦ ଟଙ୍କା ଦରମା ମିଳିବ। ମୁଖ୍ୟ ପୂଜାରୀଙ୍କ ସହ ଜଡ଼ିତ ସହକାରୀ ପୂଜାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି। ସହକାରୀ ପୂଜାରୀ ବର୍ତ୍ତମାନ ପର୍ଯ୍ୟନ୍ତ ମାସିକ ୧୫ହଜାର ଟଙ୍କା ପାଉଥିଲେ, ଯାହା ବର୍ତ୍ତମାନ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଡକ୍ଟର ମିଶ୍ରା କହିଛନ୍ତି ଯେ ଦରମା ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯାଇଛି, ଯାହା କର୍ମଚାରୀଙ୍କ ଦରମାକୁ ପର୍ଯ୍ୟାୟକ୍ରମେ ସମୀକ୍ଷା କରିଥାଏ। ଦରମା ବଢ଼ିବା ପରେ ପୂଜାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ଚଳିତ ମାସରୁ ବର୍ଦ୍ଧିତ ଦରମା ମିଳିବ ବୋଲି ସେ କହିଛନ୍ତି।