ରାୟ ପ୍ରକାଶ ପୂର୍ବରୁ ସଶସ୍ତ୍ର ବାହିନୀର ସୁରକ୍ଷା ବଳୟ ମଧ୍ୟରେ ସମଗ୍ର ଅଯୋଧ୍ୟା; ୧୫୩ କମ୍ପାନି ମୁତୟନ, ସମସ୍ତ ପ୍ରବେଶ ପଥ ସିଲ୍‌…

ଆଗାମୀ ୨୩ ଦିନ ମଧ୍ୟରେ ଯେ କୌଣସି ମୂହୁର୍ତ୍ତରେ ପ୍ରକାଶ ପାଇପାରେ ରାୟ

ଲକ୍ଷ୍ନୌ/ ନୂଆଦିଲ୍ଲୀ: ବହୁଚର୍ଚ୍ଚିତ, ବହୁ ବିବାଦୀୟ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଓ ସ୍ପର୍ଶକାତର ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ସମ୍ବାଧିନକ ଖଣ୍ଡପୀଠରେ ଗତ ବୁଧବାର ଶେଷ ହୋଇଯାଇଛି। ଏବଂ ରାୟ ସଂରକ୍ଷିତ ରହିଛି। ବର୍ତ୍ତମାନ ତମାମ ବିଶ୍ୱର ନଜର ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ରହିଥିବା ବେଳେ ଆସନ୍ତା ୨୩ ଦିନ ମଧ୍ୟରେ, ନଭେମ୍ବର ୧୭ ପୂର୍ବରୁ ଯେ କୌଣସି ଦିନ ଏହି ମାମଲାର ରାୟ ପ୍ରକାଶ ପାଇବ। କାରଣ, ଏହି ମାମଲାର ଶୁଣାଣି କାଳରେ ସମ୍ବାଧିନକ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି।

News Nation

ତେବେ, ଏହି ମାମଲାର ସମ୍ବେଦନଶୀଳତା ଓ ସ୍ପର୍ଶକାତରତାକୁ ଦୃଷ୍ଟିରେ ରଖି ରାୟ ପ୍ରକାଶ ପରେ କାଳେ ରାଜ୍ୟରେ ବିଶେଷ କରି ଅଯୋଧ୍ୟାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିନେଇ ଉଭୟ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ରାଜ୍ୟ ସରକାର ବେଶ ଆଶଂକିତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏବେ ଠାରୁ ଉଭୟ ସରକାର ମିଳିତ ଭାବେ ଗ୍ରହଣ କରୁଥିବା ସତର୍କତା ମୂଳକ ପ୍ରତିଷେଧମୂଳକ ବ୍ୟବସ୍ଥା ସବୁକୁ ଦେଖିବା ପରେ ଏହା ବେଶ ସ୍ପଷ୍ଟ ହୋଇଯାଇଛି।

News Nation

ପୂର୍ବରୁ ଉତ୍ତରପ୍ରଦେଶ ସରକାର ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଅଯୋଧ୍ୟାରେ ୧୪୪ ଧାରା ଜାରି କରିଥିବା ବେଳେ ବୁଧବାର ଠାରୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟିକୁ ବାତିଲ କରି ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ୧୫୩ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କୁ ନେଇ ଅଯୋଧ୍ୟାରେ ମୁତୟନ କରାଇବା ସହ ସମଗ୍ର ଅଯୋଧ୍ୟାକୁ ସୁରକ୍ଷା ବାହିନୀର ଦୁର୍ଗ ମଧ୍ୟରେ ବନ୍ଦୀ କରି ଦେଇଛନ୍ତି। ଅଯୋଧ୍ୟାରେ ମୁତୟନ ହୋଇଥିବା ୧୫୩ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ମଧ୍ୟରେ ଅଛନ୍ତି ସିଆରପିଏଫ୍‌, ରାପିଡ୍‌ ଆକସନ୍‌ ଫୋର୍ସ ଠାରୁ ଆରମ୍ଭ କରି ଆହୁରି ବହୁ ସଶସ୍ତ୍ର ବାହିନୀ।

ଏଥିସହ ଆଜିଠାରୁ ଅଯୋଧ୍ୟାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି ଦିଆଯିବା ସହ କୌଣସି ଅଜ୍ଞାତ ଓ ସନ୍ଦିଗ୍ଧ ବ୍ୟକ୍ତିକୁ ଅଯୋଧ୍ୟା ମଧ୍ୟକୁ ଛଡ଼ାଯାଉ ନାହିଁ। ସମସ୍ତଙ୍କର ପରିଚୟ ପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ଆରମ୍ଭ କରିଛି ସୁରକ୍ଷା ବାହିନୀ।

ସମ୍ବନ୍ଧିତ ଖବର