ସୁପ୍ରିମ କୋର୍ଟରେ ଅଯୋଧ୍ୟା ଶୁଣାଣି : ଏପାଖ ସେପାଖ

ନୂଆଦିଲ୍ଲୀ (ନଇମ୍ ଅଖତାର) : ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ବେ‌ାଚ୍ଚ ଅଦାଲତଙ୍କ ଏହି ରାୟ ପ‌ରେ ୭୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ନ୍ୟାୟିକ ବିବାଦର ଅନ୍ତ ଘଟିଛି।

କୋର୍ଟ ରୁମ୍‌ରେ ଅସମ୍ଭାଳ ଭିଡ଼
୪୦ ଦିନର ମାରାଥନ ଶୁଣାଣି ପରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଆଜି ୪୫ ମିନିଟରେ ଶୁଣାଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ। ପ୍ରଧାନ ବିଚାରପତିଙ୍କର କୋର୍ଟ ନଂ. ୧ ଉପରେ ଆଜି ସାରା ବିଶ୍ବର ନଜର ରହିଥିବାବେଳେ କୋର୍ଟ ରୁମରେ ଐତିହାସିକ ରାୟକୁ ଶୁଣିବା ପାଇଁ ପାଖାପାଖି ୧ହଜାର ଓକିଲ ଓ ସାମ୍ବାଦିକ ପହଞ୍ଚିଥିଲେ। କୋର୍ଟ ଭିତରେ କ୍ଷମତା ପ୍ରାୟ ଶହେ ଜଣଙ୍କ ପାଇଁ ଥିଲାବେଳେ ପ୍ରବେଶ କରିଥିଲେ ପାଖାପାଖି ୪ ଶହ ଜଣ। ଦଳାଚକଟା ସ୍ଥିତି ଉପୁଜିବା ଆଶଙ୍କା କରି ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ କୋର୍ଟର ତିନିଟି ପ୍ରବେଶ ଦ୍ବାର ଏକାବେଳେ ଖୋଲା ଯାଇଥିଲା। ସୁରକ୍ଷା କର୍ମୀ ଭିଡ଼ ସମ୍ଭାଳିବାକୁ ନାକେଦମ୍‌ ହୋଇଯାଇଥିଲେ। ଠିକ୍ ସାଢ଼େ ୧୦ଟା ବେଳେ ପ୍ରଧାନ ବିଚାରପତି ଗୋଗଇଙ୍କ ସମେତ ୫ ଜଣ ବିଚାରପତି କୋର୍ଟ ରୁମରେ ପ୍ରବେଶ କଲେ। ପ୍ରଧାନ ବିଚାରପତି କୋର୍ଟରେ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିବା ସହିତ ସହଯୋଗୀ ବିଚାରପତିଙ୍କର ରାୟର ନକଲ ଉପରେ ଦସ୍ତଖତ ନେବା ପରେ ଐତିହାସିକ ପଢ଼ି ରାୟ ଶୁଣାଇଲେ।

ମହନ୍ତଙ୍କୁ ପାଛୋଟି ଆଣିଲେ ଓକିଲ
ରାୟ ଶୁଣାଣି ବେଳେ ମହନ୍ତ ଧର୍ମ ଦାସ କୋର୍ଟ ରୁମରେ ଉପସ୍ଥିତ ଥଲେ। ଶୁଣାଣି ଶେଷ ପରେ ଯେତେବେଳେ ମହନ୍ତ ଧର୍ମ ଦାସ କୋର୍ଟ ରୁମରୁ ବାହାରିଲେ ପ୍ରଥମେ ସେ ବିଜୟ ସୂଚକ ଦୁଇଟି ଅଙ୍ଗୁଳି ଦେଖାଇ ନିଜର ଖୁସି ବ୍ୟକ୍ତ କରିଥିଲେ। ତା’ ପରେ ହଠାତ୍ କୋର୍ଟ ପରିସରର ବାତାବରଣ ବଦଳିଗଲା। ଓକିଲମାନେ ବହୁ ସଂଖ୍ୟାରେ ମହନ୍ତ ଧର୍ମ ଦାସଙ୍କ ସହିତ ଜୟ ଶ୍ରୀରାମ ସ୍ଲୋଗାନ୍‌ ଦେଇ ତାଙ୍କୁ ସୁପ୍ରିମ କୋର୍ଟ ଲନ୍‌କୁ ପାଛୋଟି ଆଣିବା ସହ ତାଙ୍କ ସହ ସେଲ୍‌ଫି ନେଇଥିଲେ। ମିଡିଆ କର୍ମୀମାନେ ଧର୍ମ ଦାସଙ୍କୁ ଏଭଳି ଘେରି ଯାଇଥିଲେ ଯେ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହା ସତ୍ତ୍ବେ ତାଙ୍କର ଉତ୍ସାହ କମିନଥିଲା।

ଐତିହାସିକ ମୁହୂର୍ତ୍ତକୁ ସ୍ମରଣ କରିବାକୁ ଫଟୋ ଓ ସେଲ୍‌ଫି
ସୁପ୍ରିମ କୋର୍ଟରେ ଆଜି ଅଯୋଧ୍ୟା ରାୟ ପ୍ରକାଶ ପାଇଁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। କଟକଣା ଯୋଗୁଁ କୋର୍ଟ ପରିସରରେ ସାଧାରଣ ଲୋକଙ୍କର ବିଶେଷ ଭିଡ଼ ନ ଥିଲା। ତେବେ ମାମଲାରେ ଜଡ଼ିତ ବ୍ୟକ୍ତି ବିଶେଷ, ଓକିଲ ଓ ସାମ୍ବାଦିକମାନେ ବହୁ ସଂଖ୍ୟାରେ ସୁପ୍ରିମକୋର୍ଟ ଲନ୍‌ରେ ଉପସ୍ଥିତ ଥିଲେ। ଏଭଳି ଏକ ରାୟର ସାକ୍ଷୀ ପାଲଟିବା ପାଇଁ ସେମାନେ ଉତ୍ସାହର ସହ ସର୍ବୋଚ୍ଚ ନ୍ୟାୟାଳୟର ପୃଷ୍ଠଭୂମିରେ ଫଟୋ ଓ ସେଲ୍‌ଫି ନେଉଥିବା ଦେଖା ଯାଇଥିଲା। ପ୍ରଧାନ ବିଚାରପତିଙ୍କ କୋର୍ଟ ସମୁଖରେ ମଧ୍ୟ ଓକିଲମାନେ ଫଟୋ ଓ ସେଲ୍‌ଫି ନେଇଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ସବୁ ରେକର୍ଡ ଭାଙ୍ଗିଲା
ଅଯୋଧ୍ୟା ରାୟର ଖବରକୁ ଟିକିନିଖି ଭାବେ ଜନସାଧରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କର ପ୍ରବଳ ଭିଡ଼ ସୁପ୍ରିମକୋର୍ଟର ଲନ୍‌ରେ ଦେଖିବାକୁ ମିଳିଥିଲା। ଭୋର୍‌ ୫ଟାରୁ ସାମ୍ବାଦିକମାନେ ସୁପ୍ରିମକୋର୍ଟରେ ପହଞ୍ଚିବା ଆରମ୍ଭ କରିଥିଲେ। ବିଭିନ୍ନ ଚ୍ୟାନେଲ ଦ୍ବାରା ସୁପ୍ରିମକୋର୍ଟ ପରିସରରୁ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ରାୟକୁ କଭର କରିବା ପାଇଁ ୫୦୦ ଟିଭି କ୍ୟାମେରା ଓ ୨୦୦ ଫଟୋଗ୍ରାଫର ଏକତ୍ରିତ ହୋଇଥିଲେ। ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ପରିସରରେ ସିଧା ପ୍ରସାରଣ ପାଇଁ କ୍ରେନ୍‌ର ଉପଯୋଗ କରାଯିବା ସହିତ ଅତ୍ୟାଧୁନିକ ଟେକ୍ନୋଲଜିର ସହାୟତା ମଧ୍ୟ ନିଆଯାଇଥିଲା। ବ୍ରେକିଂ ନ୍ୟୁଜ୍ ପାଇଁ ବିଭିନ୍ନ ଚ୍ୟାନେଲର ପ୍ରତିଦ୍ବନ୍ଦ୍ବିତା ମଧ୍ୟ ବଢ଼ିଯାଇଥିଲା। ମାମଲାରେ ପକ୍ଷଭୁକ୍ତ ଥିବା ପକ୍ଷମାନଙ୍କ ଦ୍ବାରା ରାୟ ପରେ ପ୍ରତିକ୍ରିୟା ଦେବା ପାଇଁ ସାମ୍ବାଦିକମାନଙ୍କୁ ନିରାଶ କରା ଯାଇନଥିଲା।

କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ
ରାୟ ଶୁଣାଯିବା ପୂର୍ବରୁ ସୁପ୍ରିକୋର୍ଟ ପରିସରରେ ଓ ସୁପ୍ରିମକୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍, ସିଆରପିଏଫ୍ ଏବଂ ରାଜସ୍ଥାନ ଆର୍ମଡ୍ ପୋଲିସ୍ ଫୋର୍ସ ସୁରକ୍ଷାର ଦାୟିତ୍ବରେ ଥିଲେ। ପ୍ରଥମ ଥର ପାଇଁ ଦିଲ୍ଲୀ ପୋଲିସର ସୁରକ୍ଷା କର୍ମୀମାନେ କୋର୍ଟ ନଂ ୧ ସମ୍ମୁଖରେ ସୁରକ୍ଷା ଯାଞ୍ଚ କରିଥିଲେ। ଓକିଲ ଓ ସାମ୍ବାଦିକମାନଙ୍କୁ କୋର୍ଟ ରୁମ୍‌କୁ ପ୍ରବେଶ ପାଇଁ ତ୍ରିସ୍ତରୀୟ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥିଲା। କୋର୍ଟ ରୁମ-୧ ସମ୍ମୁଖରେ ଦିଲ୍ଲୀ ପୋଲିସର କମାଣ୍ଡୋମାନଙ୍କୁ ମୁତୟନ କରାଯାଇଥିଲା। ଦିଲ୍ଲୀରେ ଓକିଲ ଓ ପୋଲିସଙ୍କ ମଧ୍ୟରେ ବିବାଦ ଲାଗି ଲାଗି ରହିଥିବା ବେଳେ ସୁପ୍ରିମକୋର୍ଟର ସୁରକ୍ଷା ବନ୍ଦୋବସ୍ତକୁ ନେଇ ଦିଲ୍ଲୀ ପୋଲିସ ପ୍ରଶଂସା ସାଉଁଟିଥିଲା।

ଦେଢ଼ ଘଣ୍ଟା ଭିତରେ ଵେବସାଇଟ୍‌ରେ ଅପଲୋଡ୍ ହେଲା ରାୟ
ରାୟ ଶୁଣାଇବାର ଦେଢ଼ ଘଣ୍ଟା ପରେ ସୁପ୍ରିମକୋର୍ଟର ୱେବ୍‌ସାଇଟରେ ରାୟକୁ ଅପଲୋଡ କରାଯାଇ ସାର୍ବଜନୀନ କରାଯାଇଥିଲା। ଫଳରେ ୧୦୪୫ ପୃଷ୍ଠାର ଏହି ରାୟକୁ ସମସ୍ତେ ପାଇ ପାରିଥିଲେ। ଅଯୋଧ୍ୟା ଜମି ବିବାଦ ମାମଲାରେ ୨୦୧୦ ସେପ୍ଟେମ୍ବରରେ ଆହ୍ଲାବାଦ ହାଇକୋର୍ଟର ରାୟ ୧୦ହଜାର ପୃଷ୍ଠାର ଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟର ୧୦୪୫ ପୃଷ୍ଠାର ଆଯୋଧ୍ୟା ରାୟ ମାତ୍ର ୨୩ ଦିନରେ ପ୍ରକାଶିତ ହେଲା।

ସମ୍ବନ୍ଧିତ ଖବର