ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ପରେ ୭୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ନ୍ୟାୟିକ ବିବାଦର ଅନ୍ତ ଘଟିଛି।
ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଛନ୍ତି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାମଲାରେ ନିର୍ମୋହି ଆଖଡ଼ାର ଦାବିକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେବା ସହ ରାମଲଲା ବିରାଜମାନ ଏବଂ ସୁନ୍ନି ୱକଫ୍ ବୋର୍ଡକୁ ହିଁ ପକ୍ଷ ଭାବେ ଗ୍ରହଣ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଦ୍ବାରା ବିବାଦୀୟ ଜମିକୁ ୩ ପକ୍ଷଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟିବା ରାୟକୁ ମଧ୍ୟ ଖାରଜ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ଏହି ରାୟ ଯୁକ୍ତିଯୁକ୍ତ ନ ଥିଲା। ଏହା ସହିତ ସୁପ୍ରିମ୍ କୋର୍ଟ ରାମଲଲା ବିରାଜମାନ ତଥା ରାମ ଜନ୍ମଭୂମି ନ୍ୟାସ ସପକ୍ଷରେ ରାୟ ଶୁଣାଇଛନ୍ତି। ବିବାଦୀୟ ସ୍ଥଳରେ ହିଁ ମନ୍ଦିର ନିର୍ମାଣ ହେବ ଏବଂ ଏହି ଜମିକୁ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରାଯିବ। ଏଥିପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରଷ୍ଟରେ ନିର୍ମୋହି ଆଖଡ଼ାକୁ ମଧ୍ୟ ପ୍ରତିନିଧିତ୍ବ ଦେବାକୁ କୁହାଯାଇଛି। ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ନ ହେବା ପର୍ଯ୍ୟନ୍ତ ଏହି ଜମି କେନ୍ଦ୍ର ସରକାରଙ୍କ ମାଲିକାନାରେ ରହିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି।
ବିବାଦୀୟ ଜମି ରାମଲାଲା ବିରାଜମାନକୁ ହସ୍ତାନ୍ତର ହେବ
ବାବ୍ରି ମସ୍ଜିଦ୍ ଧ୍ବଂସ ଆଇନର ଉଲ୍ଲଂଘନ ଥିଲା
ସମ୍ବିଧାନ ପୀଠର ୫ ବିଚାରପତିଙ୍କ ସର୍ବସମ୍ମତ ରାୟ
ଏହା ସହିତ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ଉପଯୁକ୍ତ ସ୍ଥାନରେ ୫ ଏକର ଜମି ଦେବାଲାଗି କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ କୁହାଯାଇଛି। ମୁସ୍ଲିମ ପକ୍ଷକୁ ମସ୍ଜିଦ୍ ନିର୍ମାଣ ଦିଆଯିବାକୁ ଥିବା ୫ ଏକର ଜମି ବାବଦରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସରକାର ଅଯୋଧ୍ୟାରେ ଅଧିଗ୍ରହଣ କରିଥିବା ଜମିରୁ ୫ ଏକର କିମ୍ବା ଅଯୋଧ୍ୟା ସହର ଭିତରେ ଅନ୍ୟ କୌଣସି ପ୍ରମୁଖ ସ୍ଥାନରେ ମଧ୍ୟ ୫ ଏକର ଜମି ପ୍ରଦାନ କରିପାରିବେ। ଅଯୋଧ୍ୟାରେ କେନ୍ଦ୍ର ସରକାରଙ୍କ ନିକଟରେ ଏବେ ୬୭ ଏକର ଜମି ରହିଛି।
ପ୍ରଧାନ ବିଚାରପତି ରାୟ ଶୁଣାଇ କହିଛନ୍ତି ଯେ ଜମିର ଅଧିକାର କେବଳ ଆସ୍ଥା ଦ୍ବାରା ପ୍ରତିପାଦିତ ହୁଏ ନାହିଁ। ପ୍ରତ୍ୟେକ ଧର୍ମର ଲୋକଙ୍କୁ ସମ୍ବିଧାନରେ ସମାନ ସମ୍ମାନ ପ୍ରଦାନ କରାଯାଇଛି ଏବଂ ଏହି ରାୟ ଦେଶର ସମ୍ବିଧାନ ଆଧାରରେ କରାଯାଇଛି। ୧୯୯୨ରେ ବାବ୍ରି ମସ୍ଜିଦ୍ ଧ୍ବଂସ କରାଯିବାକୁ ଆଇନର ଉଲ୍ଲଂଘନ ବୋଲି ସମ୍ବିଧାନ ପୀଠ କହିଛନ୍ତି। ୪୯୦ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ଏହି ମସଜିଦରୁ ଏକ ସଂପ୍ରଦାୟକୁ ବଞ୍ଚିତ କରାଯାାଇଥିଲା। ୧୯୪୯ ଏବଂ ୧୯୯୨ରେ ଏହି ସଂପ୍ରଦାୟ ପ୍ରତି ଅନ୍ୟାୟ ହୋଇଥିଲା ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଳେଖ କରିଛନ୍ତି। ୧୯୪୯ରେ ମସଜିଦ ଭିତରେ ମୂର୍ତି ରଖାଯାଇଥିଲା।
େକାର୍ଟ କହିଛନ୍ତି ଯେ ଅଯାଧ୍ୟାରେ ଭବବାନ ରାମ ଜନ୍ମ ହୋଇଥିଲେ ଏହାକୁ ନେଇ ଦ୍ବିମତ ନାହିଁ। କିନ୍ତୁ ଯେଉଁ ସ୍ଥାନରେ ମସଜିଦ ଥିଲା ସେହିଠାରେ ହିଁ ରାମ ଜନ୍ମ ହୋଇଥିଲେ ବୋଲି ପ୍ରମାଣ ନାହିଁ। ମସଜିଦ ସଂପର୍କରେ କୋର୍ଟ କହିଛନ୍ତି ଯେ ଏହା ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା। ସେଠାରେ ଆଉ ଗୋଟିଏ ନିର୍ମାଣ ଥିଲା। କିନ୍ତୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବାର ପ୍ରମାଣ ନାହିଁ।
ଏହି ଅବସରରେ ସୁପ୍ରିମ କୋର୍ଟ ତିନି ମଧ୍ୟସ୍ଥି ଜଷ୍ଟିସ୍ କଲିଫୁଲ୍ଲା, ଶ୍ରୀରାମ ପଞ୍ଚୁ ଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ମଧ୍ୟସ୍ଥିମାନେ ଏହି ବିବାଦର ସମାଧାନର ବେଶ୍ ନିକଟତର ହୋଇ ପାରିଥିଲେ ବୋଲି ସୁପ୍ରିମ୍ କୋର୍ଟ କହିଥିଲେ।
ହିନ୍ଦୁ ପକ୍ଷର ଓକିଲ ଭାବେ କେ. ପରାଶରନ୍, ସିଏସ୍ ବୈଦ୍ୟନାଥନ୍, ବରୁଣ କୁମାର ସିହ୍ନା ଏବଂ ସୁନ୍ନିୱାକଫ୍ ବୋର୍ଡର ଓକିଲ ଭାବେ ରାଜୀବ ଧାୱନ୍, ଜାଫରୟାବ୍ ଜିଲାନି ଏହି ମାମଲାକୁ ପରିଚାଳନା କରିଥିଲେ।