ଅଯୋଧ୍ୟା ରାୟ : କେନ୍ଦ୍ର ସରକାରଙ୍କ ଅଧିଗୃହୀତ ଜମିରୁ ୫ଏକର ଦାବି କଲେ ମୁସ୍‌ଲିମ ନେତା

ଅଯୋଧ୍ୟା : ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା‌ ରାୟ ଅନୁଯାୟୀ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ମସଜିଦ୍‌ ନିର୍ମାଣ ପାଇଁ ମୁସଲିମ୍‌ ପକ୍ଷଙ୍କୁ ଅଯୋଧ୍ୟା‌ରେ ୫ ଏକର ଜମି ମିଳିବ। କିନ୍ତୁ ଅଯୋଧ୍ୟା ବିବାଦର ଜଣେ ପ୍ରମୁଖ ଆବେଦନକାରୀ ଇକବଲ୍‌ ଅନ୍‌ସାରୀଙ୍କ ସମେତ ଅନ୍ୟ ସ୍ଥାନୀୟ ମୁସଲିମ୍‌ ନେତାମାନେ ଦାବି କରିଛନ୍ତି ଯେ ଏହି ୫ ଏକର ଜମି ଅଯୋଧ୍ୟାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଅଧିଗୃହୀତ ୬୭ ଏକର ଜମିରୁ ହିଁ ମିଳିବା ଉଚିତ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ୧୯୯୧ରେ ଅଯୋଧ୍ୟାର ବିବାଦୀୟ ଜମି ସହ ସମୁଦାୟ ୬୭ ଏକର ଜମି ଅଧିଗ୍ରହଣ କରିଥିଲେ।

ଅନ୍‌ସାରି କହିଛନ୍ତି, ଯଦି ସେମାନେ ଆମକୁ ଜମି ଦେବାକୁ ଚାହୁଛନ୍ତି, ତେବେ ତାହା ଆମ ଇଚ୍ଛାରେ ହେବ ଏବଂ ତାହା ବି ୬୭ ଏକର ଜମି ମଧ୍ୟରେ ରହିବା ଆବଶ୍ୟକ । ଏହା କାର୍ଯ୍ୟକାରୀ ନହେଲେ ଆମେ ଜମି ପ୍ରତ୍ୟାଖ୍ୟାନ କରିବୁ ବୋଲି ସେ କହିଛନ୍ତି। ସ୍ଥାନୀୟ ମୌଲାନା ଜଲାଲ୍‌ ଅସ୍‌ରଫ୍‌ କହିଛନ୍ତି, ମୁସଲିମ୍‌ ସଂପ୍ରଦାୟ ନିଜେ ଜମି କିଣି ମସଜିଦ୍‌ ନିର୍ମାଣ କରିପାରିବେ ଏବଂ ସରକାରଙ୍କ ଉପରେ ଏଥିପାଇଁ ନିର୍ଭର କରୁନାହାନ୍ତି। ଜଲାଲ୍‌ କହିଛନ୍ତି, ଯଦି କୋର୍ଟ କିମ୍ବା ସରକାର ଆମକୁ ସନ୍ତୁଷ୍ଟ କରିବାକୁ ଚାହୁଛନ୍ତି ତେବେ ଏହି ୫ ଏକର ଜମି ସରକାରଙ୍କ ଅଧିକୃତ ୬୭ ଏକର ମଧ୍ୟରେ ରହିବା ଉଚିତ୍‌। କାରଣ ସେହି ଅଞ୍ଚଳରେ ଅନେକ ସମାଧି ଏବଂ ଦର୍ଘା ରହିଛି। ସେହିପରି ଅଯୋଧ୍ୟା ମାମଲାରେ ମୁସଲିମ୍‌ ପକ୍ଷରୁ ଅନ୍ୟଜଣେ ଆବେଦନକାରୀ ହାଜି ମେହବୁବ୍‌ କହିଛନ୍ତି, ଆମେ ଏହି ଲଲିପପ୍‌ ଗ୍ରହଣ କରିବୁ ନାହିଁ। ସେମାନେ ଆମକୁ ସ୍ପଷ୍ଟ କରିବା ଉଚିତ୍‌ ଯେ କେଉଁଠି ସେମାନେ ଆମକୁ ଜମି ଦେବାକୁ ଚାହାନ୍ତି। ସେହିପରି ଅଯୋଧ୍ୟା ପୌର ନିଗମର ‌କର୍ପୋରେଟର ହାଜି ଅସଦ ଅହମଦ କହିଛନ୍ତି, ଆମେ ସରକାରୀ ସହାୟତା ଆବଶ୍ୟକ କରୁନାହୁଁ। ଯଦି ସରକାର କିମ୍ବା କୋର୍ଟ ଜମି ଦେବାକୁ ଚାହୁଛନ୍ତି ତେବେ ୬୭ ଏକର ଅଞ୍ଚଳ ମଧ୍ୟରେ ଦିଅନ୍ତୁ। ଜମାତ ଉଲେମା ହିନ୍ଦ୍‌ର ଅଯୋଧ୍ୟା ଅଧ୍ୟକ୍ଷ ମୌଲାନା ବଦାହ ଖାନ୍‌ କହିଛନ୍ତି, ମୁସଲିମ୍‌ଙ୍କ ପକ୍ଷରୁ ବାବ୍ରି ମସଜିଦ୍‌ ପାଇଁ ମାମଲା ଲଢ଼ାଯାଇଥିଲା , ଅନ୍ୟ କୌଣସି ଜମି ପାଇଁ ନୁ‌ହେଁ। ଜମି ପାଇଁ ବିଭିନ୍ନ ମୁସଲିମ ନେତାମାନେ ଏଭଳି ଦାବି ରଖିଥିବା ବେଳେ ଅନ୍ୟପକ୍ଷରେ ଜମି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ନଭେମ୍ବର ୨୬ ତାରିଖରେ ଉତ୍ତରପ୍ରଦେଶ ସୁନ୍ନି ୱାକଫ୍‌ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇଛି।

ସମ୍ବନ୍ଧିତ ଖବର