ରାମ ହେଉ କି ରହିମ୍‌, ଭାରତ ଭକ୍ତିର ସମୟ ଆସିଛି : ମୋଦୀ

ନ୍ୟାୟିକ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଜାଣିଲା ଆମ ଗଣତନ୍ତ୍ର କେତେ ଶକ୍ତିଶାଳୀ

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ର କେତେ ଶକ୍ତିଶାଳୀ ତାହା ଅଯୋଧ୍ୟା ରାୟ ପ୍ରମାଣ କରିଛି। ଆଜିର ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥା କେତେ ସୁଦୃଢ ତାହା ସମଗ୍ର ବିଶ୍ବ ଜାଣିବାକୁ ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବହୁ ଚର୍ଚ୍ଚିତ, ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ ସମଗ୍ର ଦେଶ ଏହାକୁ ଯେଉଁଭଳି ଭାବେ ଗ୍ରହଣ କରିଛି ତାହା ଭାରତୀୟ ସାମାଜିକ ବ୍ୟବସ୍ଥାର ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ରାୟ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ଏକ ବିଳମ୍ବିତ ନ୍ୟାୟିକ ପ୍ରକିୟାର ଅନ୍ତ ଘଟାଇଛି। ସୁପ୍ରିମ୍‌ କୋର୍ଟ ଅଯୋଧ୍ୟା ରାୟ ପ୍ରକାଶ କରି ଦୃଢ ଇଛାଶକ୍ତିର ପରିଚୟ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ରାୟ ଆମ ସମସ୍ତଙ୍କ ପାଇଁଏକ ନୂତନ ସୂର୍ଯ୍ୟୋଦୟ ଆଣିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଭାରତୀୟ ନ୍ୟାୟିକ ଇତହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ବର୍ଲିନ୍‌ ପ୍ରାଚୀର ଭାଙ୍ଗିବା ଭଳି ଘଟଣା ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଦେଶରେ ଘୃଣା, ହିଂସା ଓ ବିଦ୍ବେଷର ସ୍ଥାନ ନାହିଁ। ଏହା ଏହି ରାୟ ଦ୍ବାରା ପ୍ରମାଣିତ ହୋଇଛି ବୋଲି ମୋଦୀ କହିଛନ୍ତି। ଆମେ ଏବେ ଭବିଷ୍ୟତ ଆଡ଼କୁ ଦୃଷ୍ଟିପାତ କରିବାକୁ ହେବ। ନୂଆ ଭାରତରେ ଅନେକ ଲକ୍ଷ୍ୟ ପୂରଣ କରିବାକୁ ହେବ। ଏବେ ଦେଶର ପ୍ରତ୍ୟେକ ନାଗରିକଙ୍କ ଉପରେ ଦେଶ ନିର୍ମାଣର ଦାୟିତ୍ବ ବଢ଼ିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଯୋଧ୍ୟା ରାୟକୁ ସବୁ ପକ୍ଷ ଖୋଲା ହୃଦୟରେ ସ୍ବାଗତ କରିବା ଏକ ବହୁତ ବଡ଼ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ବିବିଧତା ମଧ୍ୟରେ ଦେଶର ଏକତାକୁ ସାବ୍ୟସ୍ତ କରିଛି ଏବଂ ସମସ୍ତଙ୍କୁ ମିଳିମିଶି ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମ ଭକ୍ତି ହେଉ ବା ରହିମ୍‌ ଭକ୍ତି, ବର୍ତ୍ତମାନ ଭାରତ ଭକ୍ତିର ସମୟ। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟକୁ କାହାର ବିଜୟ କିମ୍ବା କାହାର ପରାଜୟ ଦୃଷ୍ଟିରେ ଦେଖିବା‌ ଉଚିତ ନୁହେଁ। ଦେଶବାସୀ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ଆଜିର ଏହି ରାୟ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପ୍ରତି ୧୩୦ କୋଟି ଜନସାଧାରଣଙ୍କ ବିଶ୍ବାସକୁ ଅଧିକ ମଜବୁତ୍‌ କରିଛି। ସୁପ୍ରିମ୍‌ କୋର୍ଟ ପ୍ରଦାନ କରିଥିବା ଆଜିର ରାୟ ଅତି ଗୁରୁତ୍ବପୂର୍ଣ୍ଣ। ପ୍ରତି ପକ୍ଷ ନିଜ ନିଜର ଦଲିଲ୍‌, ଦସ୍ତାବିଜ୍‌ ଉପସ୍ଥାପନ କରିବାକୁ କୋର୍ଟ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି। ଏହା ପରେ କୋର୍ଟ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏଭଳି ଏକ ପୁରୁଣା ମାମଲାର ରାୟ ଶୁଣାଇଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର