ନୂଆଦିଲ୍ଲୀ: ମସଜିଦରେ ନମାଜ ପାଠ ମାମଲାର ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ସୁପ୍ରିମକୋର୍ଟ ଏଥିସହ ୧୯୯୪ ମସିହାରେ ଦିଆଯାଇଥିବା ରାୟର (ଇସଲାମୀୟ ନୀତିନିୟମ ପାଳନ ଲାଗି ମସଜିଦ୍ ଅତ୍ୟାବଶ୍ୟକ ନୁହେଁ) ପୁନର୍ନବିଚାରରୁ ମଧ୍ୟ ଓହରି ଯାଇଛନ୍ତି। ଏଥିସହ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ମନ୍ଦିର, ମସଜିଦ୍ ଓ ଚର୍ଚର ସମାନ ଗୁରୁତ୍ୱ ରହିଛି। ୧୯୯୪ ମସିହାରେ ଦିଆଯାଇଥିବା ରାୟ କେବଳ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବିବାଦ ପ୍ରସଙ୍ଗରେ ଥିଲା, ବର୍ତମାନ ପରିସ୍ଥିତିରେ ଏହି ଦିଗରୁ ମାମଲାର ବିଚାର ପ୍ରାସଙ୍ଗିକ ନୁହେଁ।
ସୁପ୍ରିମ୍ କୋର୍ଟଙ୍କ ଆଜିର ଏହି ରାୟ ପରେ ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶୁଣାଣି ଆସନ୍ତା ଅକ୍ଟୋବର ୨୯ ତାରିଖ ଠାରୁ ସୁପ୍ରିମ୍ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠରେ ଆରମ୍ଭ ହେବ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମସଜିଦରେ ନମାଜ ପାଠ ମାମଲାର ( ୧୯୯୪ ମସିହାରେ ଦିଆଯାଇଥିବା ରାୟ ଇସଲାମୀୟ ନୀତିନିୟମ ପାଳନ ଲାଗି ମସଜିଦ୍ ଅତ୍ୟାବଶ୍ୟକ ନୁହେଁ) ପୁନର୍ନବିଚାର ପାଇଁ ଏକ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ରହିଛି ବୋଲି ଦର୍ଶାଇ କେତେକ ମୁସ୍ଲିମ୍ ସଂଗଠନ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟର ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ୍ ଅବଦୁଲ ନଜିରଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ତେବେ, ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ଜଷ୍ଟିସ୍ ଅଶୋକ ଭୂଷଣ ଏହି ରାୟରେ ଏକମତ ପ୍ରକାଶ କରିଥିବା ବେଳେ ଜଷ୍ଟିସ୍ ଏସ୍ ଅବଦୁଲ ନଜିର କିନ୍ତୁ ତାଙ୍କର ଦ୍ୱିମତ ପ୍ରକାଶ କରିଥିଲେ। ତେବେ ୨:୧ ବହୁମତରେ ସୁପ୍ରମ୍ କୋର୍ଟଙ୍କ ଏହି ରାୟ ଗୃହୀତ ହୋଇଯାଇଥିବା ଜାଣିବାକୁ ମିଳିଛି।