ଅଯୋଧ୍ୟା ରାୟ ଆଜି : ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି

କାହାର ହାରଜିତ୍‌ ନୁହେଁ: ପ୍ରଧାନମନ୍ତ୍ରୀ, ଶାନ୍ତି ଓ ସଦ୍‌ଭାବନା ରକ୍ଷା ଲାଗି ଆହ୍ବାନ

ଅଯୋଧ୍ୟାରେ ୧୪୪ ଧାରା, ସେନା ମୁତୟନ
ୟୁପି, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକରେ ସ୍କୁଲ୍‌, କଲେଜ ବନ୍ଦ
କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଉପରେ ନଜର
ସୋସିଆଲ ମିଡିଆରେ ବିଦ୍ବେଷପୂର୍ଣ୍ଣ ବାର୍ତ୍ତା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଶତାଧିକ ବର୍ଷର ପୁରୁଣା ଅଯୋଧ୍ୟା ରାମ ମନ୍ଦିର-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ନେଇ ଆସନ୍ତାକାଲି (ଶନିବାର) ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇବ। ଲଗାତାର ୪୦ ଦିନ ଧରି ସମ୍ବିଧାନ ପୀଠ ଏହି ମାମଲାର ମାରାଥନ ଶୁଣାଣି କରିଥିଲେ ଏବଂ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ। ଆସନ୍ତାକାଲି ଏହି ମାମଲାରେ କୋର୍ଟ ରାୟ ଶୁଣାଇବେ। ଶନିବାର ଛୁଟି ଦିନରେ ସୁପ୍ରିମ୍‌ କୋର୍ଟର ସମ୍ବିଧାନ ପୀଠ ବସିବ ଏବଂ ରାୟ ଘୋଷଣା କରାଯିବ। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ସମ୍ବିଧାନ ପୀଠ ରାୟ ପ୍ରକାଶ କରିବେ ବୋଲି ଆଜି ଘୋଷଣା କରାଯାଇଛି । ଏହି ସୂଚନା ମିଳିବା ପରେ ବିଭିନ୍ନ ମହଲରେ ରାୟକୁ ନେଇ ଉତ୍ସୁକତା ପ୍ରକାଶ ପାଇଥିବାବେଳେ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଅଯୋଧ୍ୟାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସେନା ମୁତୟନ କରାଯିବା ସହ ସହରରେ ୧୪୪ ଧାରା ଲାଗୁ ହୋଇଛି। କେବଳ ଅଯୋଧ୍ୟାରେ ଏବେ ପ୍ରାୟ ୧୫ ହଜାର ଯବାନ ମୁତୟନ ଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶ, ଜମ୍ମୁ-କଶ୍ମୀର, ଦିଲ୍ଲୀ, ମଧ୍ୟ ପ୍ରଦେଶ ଓ କର୍ଣ୍ଣା‌ଟକ ଆଦି ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ମଂଗଳବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। କେବଳ ସେତିକି ନୁହେଁ; ଏହି ପ୍ରସଙ୍ଗରେ ହ୍ବାଟସ୍‌ଆପ୍, ଟୁଇଟର, ଫେସ୍‌ବୁକ୍ ଆଦି ସୋସିଆଲ ମିଡିଆରେ କେହି ହିଂସା କିମ୍ବା ବିଦ୍ବେଷପୂର୍ଣ୍ଣ ବାର୍ତ୍ତା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଛି। ଏପରିକି ଆବଶ୍ୟକ ପଡ଼ିଲେ ସଂପୃକ୍ତ ବ୍ୟକ୍ତିବିଶେଷ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଅଯୋଧ୍ୟା ରାୟ ଆସିବା ପରିପ୍ରେକ୍ଷୀରେ ପୂର୍ବରୁ ପ୍ରଧାନ ବିଚାରପତି ରଂଜନ ଗୋଗଇ ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ଓ ଡିଜିପି ଓମ୍‌ ପ୍ରକାଶ ସିଂହଙ୍କ ଉପସ୍ଥିତିରେ ସୁରକ୍ଷା ସଂକ୍ରାନ୍ତ ସମୀକ୍ଷା କରିଥିଲେ। ଉଭୟ ଡିଜିପି ଓ ମୁଖ୍ୟ ସଚିବ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇଥିଲେ।

କାହାର ହାରଜିତ୍‌ ନୁହେଁ: ପ୍ରଧାନମନ୍ତ୍ରୀ, ଶାନ୍ତି ଓ ସଦ୍‌ଭାବନା ରକ୍ଷା ଲାଗି ଆହ୍ବାନ

ନୂଆଦିଲ୍ଲୀ : ଅଯୋଧ୍ୟା ରାୟ ଶନିବାର ଆସିବ ବୋଲି ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ୍‌ କରି ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି। ତିନିଟି ଟୁଇଟ୍‌ରେ ସେ ଲେଖିଛନ୍ତି ଯେ ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ଯେଉଁ ନିଷ୍ପତ୍ତି ଆସିବ ତାହା କାହାର ବିଜୟ କିମ୍ବା ପରାଜୟ ହେବ ନାହିଁ। ଏହି ନିଷ୍ପତ୍ତି ଭାରତର ଶାନ୍ତି, ଏକତା ଓ ସଦ୍‌ଭାବନାର ମହାନ ପରମ୍ପରାକୁ ଯେଭଳି ଅଧିକ ମଜବୁତ କରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି। ଦେଶର ନ୍ୟା‌ୟପାଳିକାର ମାନ-ସମ୍ମାନକୁ ଶୀର୍ଷରେ ରଖି ସମାଜର ସମସ୍ତ ପକ୍ଷ-ସାମାଜିକ, ସାଂସ୍କୃତିକ ସଂଗଠନଗୁଡ଼ିକ ଯେଉଁଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଲାଗି ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। କୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଆମକୁ ସେହିଭଳି ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ହେବ।

ସମ୍ବନ୍ଧିତ ଖବର