ଲକ୍ଷ୍ନୌ: ଅଯୋଧ୍ୟା ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ପ୍ରଥମ ବୈଦିକ ସ୍ଥାୟୀ ସହର। ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ ବୈଦିକ ସ୍ଥାୟୀ ସହର ସୂଚକାଙ୍କ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ଦିଲ୍ଲୀର ଏକ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ବଢୁଥିବା ଆବଶ୍ୟକତାକୁ ପରିଚାଳନା କରିବା ସହିତ ସ୍ଥାୟୀ ଅଭ୍ୟାସ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେବା ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେବ।

Advertisment

ଯୋଗୀ ସରକାର ସ୍ଥାୟୀ ପଦକ୍ଷେପ ମାଧ୍ୟମରେ ସହରର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଚଳିତ ମାସ ପ୍ରାରମ୍ଭରେ ଏକ ସ୍ୱତନ୍ତ୍ର ବୋର୍ଡ (ଅଯୋଧ୍ୟା ଧାମ ତୀର୍ଥ ବିକାଶ ପରିଷଦ) ଗଠନ କରିଛନ୍ତି। ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ବାୟୁ, ଜଳ ଏବଂ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏକ ଘରୋଇ କମ୍ପାନି ଦ୍ୱାରା ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ମହାନଗର ନିଗମକୁ ଡାଟା ଆନାଲିଟିକ୍ସ ସମାଧାନ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ଆସନ୍ତା ବର୍ଷ ଜାନୁଆରିରୁ ଭକ୍ତଙ୍କ ପାଇଁ ରାମ ମନ୍ଦିର ଦ୍ୱାର ଖୋଲିବା ପରେ ମନ୍ଦିର ସହରକୁ ଦୈନିକ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏନ୍‌ସିଆର୍‌ସ୍ଥିତ ଘରୋଇ କମ୍ପାନି ଆରାହାସ ଟେକ୍ନୋଲୋଜିଜ୍‌ ପ୍ରାଇଭେଟ ଲିମିଟେଡ୍ ଜିଓସ୍ପାଟିଆଲ ଆଇଟି ଏବଂ ଏଆଇ ଆଧାରିତ ପ୍ଲାଟଫର୍ମ ବିକଶିତ କରିବା ପାଇଁ ଜଣାଶୁଣା।

ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ବିଶାଲ ସିଂହ କହିଛନ୍ତି ଯେ ପ୍ଲାଟଫର୍ମର ରିଅଲ ଟାଇମ୍ ମେଟ୍ରିକ୍ସ କର୍ତ୍ତୃପକ୍ଷଙ୍କୁ ବେଞ୍ଚମାର୍କ ସ୍ଥିର କରିବା, ରଣନୀତି ପ୍ରସ୍ତୁତ କରିବା, ନୀତି ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ପ୍ଲାଟଫର୍ମ ମାଧ୍ୟମରେ ବିକଶିତ ହେଉଥିବା ପ୍ରକଳ୍ପଗୁଡ଼ିକର ସାମଗ୍ରିକ ଅଗ୍ରଗତି ଉପରେ ନଜର ରଖିବାକୁ କ୍ଷମତା ପ୍ରଦାନ କରିବ। ଅଯୋଧ୍ୟା-ଫୈଜାବାଦ ଟ୍ୱିନ୍ ସିଟିର ଆନୁମାନିକ ଜନସଂଖ୍ୟା ବର୍ତ୍ତମାନ ପ୍ରାୟ ୨୪.୭ ଲକ୍ଷ ଥିବା ବେଳେ ଦୈନିକ ଅତି କମ୍‌ରେ ୩୫,୦୦୦ରୁ ୫୦,୦୦୦ ପର୍ଯ୍ୟଟକ ସହରକୁ ଆସନ୍ତି। ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଦୈନିକ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବାରୁ ବିଭିନ୍ନ ଜ୍ଞାନକୌଶଳ ମାଧ୍ୟମରେ ସହରକୁ ଆତ୍ମନିର୍ଭରଶୀଳ କରିବା ଏବଂ ମନ୍ଦିର ସହରକୁ ବୈଦିକ ସହରରେ ପରିଣତ କରିବାର ଚିନ୍ତାଧାରାକୁ ସାକାର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି।