ନୀତି ଆୟୋଗ ପୁସ୍ତକରେ ଓଡ଼ିଶାର ଆୟୁଷ ଚିକିତ୍ସା

ନୂଆଦିଲ୍ଲୀ : କରୋନା ଚିକିତ୍ସା ପାଇଁ ଭାରତରେ ‘ଆୟୁଷ’ର ଉପଯୋଗକୁ ନେଇ ନୀତି ଆୟୋଗ ଦ୍ବାରା ପ୍ରସ୍ତୁତ ପୁସ୍ତକରେ ଓଡ଼ିଶା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆଜି ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଛି।

ପୁସ୍ତକରେ ଉଲ୍ଲେଖ କରାଯାଇଛି, କରୋନା ସମୟରେ ଓଡ଼ିଶାର ସମସ୍ତ ୩୦ ଜିଲ୍ଲା‌ରେ ଆୟୁଷ ଔଷଧ ବଣ୍ଟନ କରାଯାଇଥିଲା। ଓଡ଼ିଶା ସରକାର ଆୟୁଷ ଚିକିତ୍ସା ସଂକ୍ରାନ୍ତ ଭାରତ ସରକ‌ାରଙ୍କ ମାର୍ଗଦର୍ଶିକା, ଆଦେଶ ଓ ପରାମର୍ଶକୁ ପାଳନ କରିବା ସହିତ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ପାଇଁ ‘ମୋ ବିଚ୍‌ ଯୋଗ’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥି ପାଇଁ ୧୦୦ ଜଣ ଯୋଗ ପ୍ରଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶାରେ କରୋନାର ଦୁଇଟି ଲହରରେ କୋଭିଡ କେୟାର‌ ସେଣ୍ଟର ଏବଂ କ୍ବାରେଣ୍ଟାଇନ ସେଣ୍ଟରମାନଙ୍କରେ ୬୯୩ କର୍ମଚାରୀ, ୯୩ ସ୍ନାତକୋତ୍ତର ଛାତ୍ରମାନଙ୍କୁ ନିୟୋଜିତ କରାଯାଇଥିଲା। ଆୟୁଷ ଡାକ୍ତରମାନଙ୍କୁ ରାଜ୍ୟର ୩୦ଟି ଜିଲ୍ଲା ହସ୍ପିଟାଲରେ ସର୍ଭେଲାନ୍‌ସ, କଣ୍ଟାକ୍ଟ ଟ୍ରେସିଂ ଏବଂ ଚିକିତ୍ସା ପାଇଁ ମୁତୟନ କରାଯାଇଥିଲା।

ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ, ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପା‌ଥି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ରାଉରକେଲାସ୍ଥିତ ଉତ୍କଳମଣି ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସମ୍ବଲପୁର ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପାଥି ଆଣ୍ଡ ରିସର୍ଚ କେନ୍ଦ୍ରକୁ କରୋନା ବେଳେ ବ୍ୟବହାର କରାଯାଇଥିଲା। ଭୁବନେଶ୍ବରସ୍ଥିତ ରାଜ୍ୟ ଆୟୁର୍ବେଦ ଫାର୍ମାସିକୁ ସଂଶମଣି ବଟି ପ୍ରସ୍ତୁତ ପାଇଁ ୧୮ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ପ୍ରସ୍ତୁତ କରାଯିବା ପରେ ଏହାକୁ ଓଡ଼ିଶାର ଆୟୁର୍ବେଦ ହସ୍ପିଟାଲ ଓ ଡିସପେନସରିରେ ବଣ୍ଟନ କରାଯାଇଥିଲା। ଏକାଧିକ ଜିଲ୍ଲା ହୋମିଓପାଥି ମେଡିକାଲ ଅଫିସରମାନଙ୍କୁ ଜନସାଧାରଣଙ୍କୁ ଇମ୍ୟୁନିଟି ବୁଷ୍ଟର ଆର୍ସିନିକମ ଆଲବମ-୩୦ ବଣ୍ଟନ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଥିଲା।

ଭୁବନେଶ୍ବରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ସଂଲଗ୍ନ ମିନି ଫାର୍ମାସି ଦ୍ବାରା ଇମ୍ୟୁନିଟି ବୁଷ୍ଟର ଆର୍ସିନିକମ ଆଲବମ -୩୦ ଉତ୍ପାଦନ କରାଯାଇ ଏହାକୁ ବଣ୍ଟନ କରାଯାଇଥିଲା। ନୀତି ଆୟୋଗ ଦ୍ବାରା ପ୍ରକାଶିତ ଏହି ପୁସ୍ତକରେ ଓଡିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ଆୟୁଷ ଚିକିତ୍ସାର ଉପଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର