ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଦେଶ ପାଇଁ ଏକ ବ୍ୟାପକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିର୍ମାଣରେ ନିରନ୍ତର ଅଗ୍ରଗତି କରୁଛି। ଲୋକମାନଙ୍କର ଏବିଏଚ୍‌ଏ ଆକାଉଂଟ ସହିତ ୪ କୋଟିରୁ ଅଧିକ ଡିଜିଟାଲ୍ ସ୍ୱାସ୍ଥ୍ୟ ରେକର୍ଡ ଯୋଡି ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି। ୨୯ କୋଟିରୁ ଅଧିକ ନାଗରିକ ଏପର୍ଯ୍ୟନ୍ତ ସେମାନଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟସ (ଏବିଏଚ୍‌ଏ) ଖୋଲିଛନ୍ତି।

Advertisment

ନାଗରିକମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ସେମାନଙ୍କର ଏବିଏଚ୍‌ଏ ଆକାଉଂଟ ସହିତ ଡିଜିଟାଲ୍ ଭାବେ ସଂଯୁକ୍ତ ହେବା ଦ୍ବାରା ସେମାନେ ନିଜର ସୁବିଧା ଅନୁଯାୟୀ ଏହି ରେକର୍ଡ ଦେଖିପାରିବେ ଏବଂ ପରିଚାଳନା କରିବାରେ ସମର୍ଥ ହେବେ। ଏହା ନାଗରିକମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କ ମଧ୍ୟରେ ଏକ ବ୍ୟାପକ ଚିକିତ୍ସା ଇତିହାସ ସୃଷ୍ଟି କରିବାକୁ ସକ୍ଷମ। ଏଥିସହ ନାଗରିକମାନେ ଡିଜିଟାଲ୍ ଭାବରେ ଏବିଡିଏମ୍ ପଞ୍ଜୀକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କ ସହିତ ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ରେକର୍ଡ ମଧ୍ୟ ବାଂଟିପାରିବେ।

ସ୍ୱାସ୍ଥ୍ୟ ରେକର୍ଡକୁ ଡିଜିଟାଲୀକରଣ କରିବାରେ ଏବିଡିଏମ୍‌ର ଭୂମିକା ବିଷୟରେ ବର୍ଣ୍ଣନା କରି ଏନ୍‌ଏଚ୍‌ଏର ସିଇଓ ଡ. ଆର୍‌ଏସ୍ ଶର୍ମା କହିଛନ୍ତି - ଏବିଡିଏମ୍ ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ, ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବିଭିନ୍ନ ହିତାଧିକାରୀଙ୍କ ସହ ମିଳିତଭାବରେ କାର୍ଯ୍ୟ କରୁଛି ଯାହାଦ୍ୱାରା ଡିଜିଟାଲ୍ ସ୍ୱାସ୍ଥ୍ୟସେବାର ଲାଭ ଅଧିକରୁ ଅଧିକ ନାଗରିକଙ୍କୁ ମିଳିପାରିବ। ନାଗରିକ ସ୍ୱାସ୍ଥ୍ୟ ରେକର୍ଡଗୁଡିକର ଡିଜିଟାଲୀକରଣକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆମେ ଅନେକ ସ୍ୱାସ୍ଥ୍ୟ ସୁବିଧା ଯଥା ହସ୍ପିଟାଲ୍‌, କ୍ଲିନିକ୍‌, ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ଇତ୍ୟାଦି ନିମନ୍ତେ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛୁ।

ରାଜ୍ୟ ସରକାରଙ୍କ ସହଯୋଗରେ ଏବିଏଚ୍‌ଏ ସହିତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡଗୁଡିକର ଏହି ଡିଜିଟାଲ୍ ସଂଯୋଗ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ବ୍ୟାପକ ଭାବରେ ଚାଲିଛି। ଏବିଏଚ୍‌ଏ ସହିତ ସଂଯୁକ୍ତ ସ୍ୱାସ୍ଥ୍ୟ ରେକର୍ଡରେ ଅଗ୍ରଣୀ ଯୋଗଦାନକାରୀମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର, ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ (ଆର୍‌ସିଏଚ୍‌) ଯୋଜନା, ଇ-ହସ୍ପିଟାଲ ଏବଂ କୋଇନ୍ ଅନ୍ତର୍ଭୁକ୍ତ ବୋଲି ଶର୍ମା କହିଥିଲେ।