ନୂଆଦିଲ୍ଲୀ: ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ତମ ପ୍ରତିଷ୍ଠା ଦିବସରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଯାଇଛି। ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଲାଲକିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ କଂଗ୍ରେସକୁ ତୀବ୍ର ଭର୍ତ୍ସନା କରିଛନ୍ତି। ‌େସ କହିଛନ୍ତି, ସ୍ବାଧୀନତା ପରେ ଯଦି ଦେଶକୁ ପଟେଲ୍‌ ଓ ନେତାଜୀଙ୍କ ଭଳି ସୁପୁତ୍ର ମିଳିଥାନ୍ତେ, ତେବେ ଦେଶରେ ପରିସ୍ଥିତି ଭିନ୍ନ ହୋଇଥାଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ। ନେତାଜୀ ଓ ପଟେଲ୍‌ଙ୍କ ନେତୃତ୍ବରେ ଅଖଣ୍ଡ ଭାରତ ସୃଷ୍ଟି ହୋଇପାରିଥିଲା। ହେଲେ ଏବେ କେବଳ ଗୋଟିଏ ପରିବାର (ଗାନ୍ଧୀ ପରିବାର)କୁ ଗୁରୁତ୍ବ ଦିଆଯାଇ ରାଷ୍ଟ୍ର ଗଠନରେ ପଟେଲ୍‌ ଓ ନେତାଜୀଙ୍କ ଯୋଗଦାନକୁ ଅଣଦେଖା କରାଯାଉଛି। ସେମାନଙ୍କୁ ଭୁଲିଯିବାକୁ ପ୍ରୟାସ କରାଯାଉଛି। ବିଜେପିକୁ ଟାର୍ଗେଟ୍‌ କରି କଂଗ୍ରେସ କହିଛି ଯେ ବିଜେପି ନିକଟରେ କୌଣସି ପୂର୍ବଗରିମା ନାହିଁ। ଏହି ଅଭାବବୋଧରେ ବିଜେପି ନିଜକୁ ପାଣି ବିନା ମାଛ ଭଳି ଭାବୁଛି। ଦେଶର ସ୍ବାଧୀନତା ସଂଗ୍ରାମରେ ବିଜେପିର କୌଣସି ପ୍ରକାର ଯୋଗଦାନ ନାହିଁ। ପଟେଲ୍‌ ଓ ନେତାଜୀଙ୍କ ଉଦାହରଣ ଦେଇ ଦଳ ନିଜକୁ ମହାନ୍‌ ବନେଇବାକୁ ଉଦ୍ୟମ କରୁଛି। କଂଗ୍ରେସର ଅଭିଷେକ ମନୁ ସିଙ୍ଘଭି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି, ନେତାଜୀଙ୍କ ସମ୍ମାନରେ କଂଗ୍ରେସ ଅନେକ କାର୍ଯ୍ୟ କରିଛି, ଯାହାକୁ ବିଜେପି ଗଣିପାରିବ ନାହିଁ। ଏଥିପାଇଁ ମୋଦୀଙ୍କୁ ଇତିହାସ ପଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସିଙ୍ଘ୍‌ଭି ମୋଦୀଙ୍କୁ ଟା‌େର୍ଗଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଭଳି ଏକ ଉଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇ ମଧ୍ୟ ଏଭଳି ଶୁଭ ଅବସରରେ ରାଜନୀତି କରିବା ଶୋଭା ପାଉନାହିଁ। ଅନ୍ତତଃ ଆଜି ଦିନରେ ରାଜନୀତି କରିବା ଉଚିତ ନଥିଲା। କିନ୍ତୁ ମୋଦୀ ୨୪ ଘଣ୍ଟା କେବଳ ରାଜନୀତି ମଧ୍ୟରେ ବୁଡ଼ିରହୁଛନ୍ତି। ସେ କେବେ ପଟେଲ୍‌ଙ୍କୁ ରାଜନୀତିକୁ ଭିଡୁଛନ୍ତି ତ କେବେ ନେତାଜୀଙ୍କୁ ନେଇ ରାଜନୀତି କରୁଛନ୍ତି। ସେ କହିଛନ୍ତି ଯେ ନେତାଜୀଙ୍କ ସମ୍ପୂର୍ଣ୍ଣ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ ହୋଇଥିଲା ଏବଂ ଶେଷରେ ‌େସ କଂଗ୍ରେସର ଶୀର୍ଷରେ ପହଞ୍ଚିଥିଲେ। ସିଙ୍ଘ୍‌ଭି ଆହୁରି କହିଛନ୍ତି ଯେ ୧୯୩୮ରେ ନେତାଜୀ ରାଷ୍ଟ୍ରୀୟ ଯୋଜନା କମିଟି ଗଠନ କରିଥିଲେ। ସ୍ବାଧୀନତା ପରେ ଏହାକୁ ଯୋଜନା ଆୟୋଗ କରାଯାଇଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯାହାକୁ ସ୍ଥାପନ କରିଥିଲେ, ଆଜି ତାକୁ ଧ୍ବଂସ କରିଦେଇ ମୋଦୀ ସରକାର ନୀତି ଆୟୋଗ ଗଠନ କରିଛନ୍ତି। ଏଭଳି କରି ମୋଦୀ ସରକାର ନେତାଜୀଙ୍କୁ ଅସମ୍ମାନ କରିନାହାନ୍ତି କି ବୋଲି ସିଙ୍ଘ୍‌ଭି ପ୍ରଶ୍ନ କରିଛନ୍ତି।