ଆଗାମୀ ୧୦ ଦିନ ଭିତରେ ନିଜର ନୂଆ ଦଳ ଘୋଷଣା କରିବେ ଆଜାଦ

ଶ୍ରୀନଗର: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଆଗାମୀ ୧୦ ଦିନ ଭିତରେ ନିଜର ନୂଆ ଦଳ ବାବଦରେ ଘୋଷଣା କରିବେ | ଆଜି ଜମ୍ମୁକଶ୍ମୀରରେ ବାରମୁଲାରେ ଏକ ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ଦଳ ଘୋଷଣା କରିବେ। ଗତ ତିନିବର୍ଷ ମଧ୍ୟରେ ଜମ୍ମୁକଶ୍ମୀରରେ ଅନେକ ଘଟଣା ଘଟିଛି। ଗୁଲାବ ନବୀ ଆଜାଦ କହିଛନ୍ତି ଯେ ମୋଗଲମାନେ ୮୦୦ ବର୍ଷ ଶାସନ କରିଥିଲେ ଏବଂ ବ୍ରିଟିଶମାନେ ୩୦୦ ବର୍ଷ ଶାସନ କରିଥିଲେ, କିନ୍ତୁ ଜମ୍ମୁକଶ୍ମୀରରେ ହଜାର ହଜାର ଶାସକ ଏବଂ ଆକ୍ରମଣକାରୀ ଅଛନ୍ତି। ସମସ୍ତେ ଜମ୍ମୁକଶ୍ମୀରକୁ ଲୁଟ୍ କରିଛନ୍ତି ଏବଂ ସ୍ୱାଧୀନତା ପରେ ଜମ୍ମୁକଶ୍ମୀର ଏକ ଆଭ୍ୟନ୍ତରୀଣ ରାଜନୀତିର ଶିକାର ହୋଇଛି।

ସୂଚନା ଥାଉ କି ଯେ ଆଜାଦ ତିନି ଦିନ ଧରି ୩୦୦ରୁ ଅଧିକ ପ୍ରତିନିଧୀଙ୍କୁ ଭେଟିଛନ୍ତି। ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଜମ୍ମୁ ଲୋକଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବେ। ଜମ୍ମୁକଶ୍ମୀରବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ସେ ଏକ ନୂତନ ଦଳ ଗଠନ କରିବାକୁ ଯାଉଛନ୍ତି ଏବଂ ଜମ୍ମୁକଶ୍ମୀରର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ଜନସାଧାରଣଙ୍କ ସହ ପରାମର୍ଶ ପରେ ହିଁ ଦଳର ନାମ ରଖାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଜମ୍ମୁକଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇ ଆଣିବା ଏବଂ ସ୍ଥାନୀୟ ଲୋକଙ୍କ ଚାକିରୀ ତଥା ଜମି ଅଧିକାରକୁ ସୁରକ୍ଷା ଦେବା ପାଇଁ ତାଙ୍କ ଦଳ କାର୍ଯ୍ୟ କରିବ | ଉଲ୍ଲେଖ ଥାଉ କି ଅଗଷ୍ଟ ୨୬ ତାରିଖରେ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର