କଂଗ୍ରେସରେ ଆଜାଦଙ୍କ ୫ ଦଶନ୍ଧିର ଲମ୍ବା ଯାତ୍ରା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ସହ ସମସ୍ତ ଦଳୀୟ ପଦବିରୁ ଇସ୍ତଫା ଦେଇଛନ୍ତି। ଜମ୍ମୁ କାଶ୍ମୀରରେ ସାଂଗଠନିକ ପଦରୁ ଇସ୍ତଫା ଦେବାର କିଛି ଦିନ ପ‌ରେ ଆଜାଦ ଏଭଳି ପଦକ୍ଷେପ କଂଗ୍ରେସ ପାଇଁ ବହୁତ ବଡ଼ ଝଟ୍‌କା ହୋଇଛି। ଆଜାଦ ୧୯୭୦ ଦଶକରେ ଜମ୍ମୁ କାଶ୍ମୀରରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ଆଜାଦ ତାଙ୍କ ଛାତ୍ର ଜୀବନରୁ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ମୌଲାନା ଅବଦୁଲ କଲାମ ଆଜାଦ, ସୁଭ‌ାଷ ଚନ୍ଦ୍ର ବୋଷ ଏବଂ ଅନ୍ୟ ରାଜନେତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇଥିଲେ। କାଶ୍ମୀର ବିଶ୍ବବିଦ୍ୟାଳୟରୁ ପିଜି ଶେଷ କରିବାପରେ ଆଜାଦ ୧୯୭୩ରୁ ୧୯୭୫ ମଧ୍ୟରେ କଂଗ୍ରେସରେ ବ୍ଲକ୍‌ ସାଧାରଣ ସଂପାଦକ ଭା‌ମେ କାମ କରିଥିଲେ। ୧୯୭୫-୭୬ରେ ଆଜାଦ ଜମ୍ମୁ କାଶ୍ମୀର ଯୁବ କଂଗ୍ରେସର ସଭାପତି ଦାୟିତ୍ବ ନେଇଥିଲେ। ବରିଷ୍ଠ କଂଗ୍ରେସ ନେତା ଆଜାଦ ୧୯୭୭ରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ହେଲେ। ଏହି ସମୟରେ ସେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏବଂ ନେତାମାନଙ୍କ ସହ ଜେଲ୍‌ ଯାଇଥିଲେ। ଗୁଲାମ ନବୀ ଆଜାଦ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗିରଫ ବିରୋଧରେ ଏକ ଆନ୍ଦୋଳନ ରୢାଲିର ନେତୃତ୍ବ ନେଇଥିଲେ। ଏଥିପାଇଁ ୨୦ ଡିସେମ୍ବର ୧୯୭୮ରୁ ଜାନୁଆରି ୧୯୭୯ ପର୍ଯ୍ୟନ୍ତ ତିହାର ଜେଲ୍‌ରେ ଥିଲେ।

୧୯୮୦ରେ ଆଜାଦ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଦାୟିତ୍ବରେ ରହିଲେ। ୧୯୮୦ ଦଶକର ମଧ୍ୟଭାଗରୁ ସେ ଏଆଇସିସିର ସାଧାରଣ ସଚିବ ହେଲେ। ବରିଷ୍ଠ କଂଗ୍ରେସ ନେତା ଆଜାଦ ୧୯୮୨ରୁ ୨୦୧୪ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ତିନି ବର୍ଷ ପାଇଁ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। । ଆଜାଦ ମଧ୍ୟ ପ୍ରାୟ ୪ ଦଶନ୍ଧି ଧରି ସିଡବ୍ଲ୍ୟୁସି ( କଂଗ୍ରେସ କାର୍ଯ୍ୟକାରିଣୀ କମିଟି)ର ସଦସ୍ୟ ଥିଲେ। ଆଜାଦ ୭ ବର୍ଷ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରେ ରହିଥିଲେ।

ସମ୍ବନ୍ଧିତ ଖବର