କ୍ଷମା ମାଗିଲେ ଆଜମ ଖାନ୍‌

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ବିଜେପି ସାଂସଦ ରମ‌ା ଦେବୀଙ୍କ ବି‌ରୋଧରେ ଦେଇଥିବା ଅଶାଳୀନ ଟିପ୍ପଣୀ ପାଇଁ ସବୁଆଡ଼ୁ କଡ଼ା ସମାଲୋଚନାର ଶିକାର ହେବାପରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି ଏବଂ ଲୋକସଭାରେ ରମା‌ ଦେବୀଙ୍କୁ କ୍ଷମା ମାଗିଛନ୍ତି। ଆଜମ ଖାନ୍‌ ଆଜି କହିଛନ୍ତି, ବ୍ୟବସ୍ଥାପିକା ପ୍ରକ୍ରିୟା ବିଷୟରେ ମୁଁ ଭଲଭାବେ ଜାଣିଛି। ଯଦି ମୋ କଥା କାହାକୁ କଷ୍ଟ ଦେଇଥାଏ ତେବେ ମୁଁ କ୍ଷମା ମାଗୁଛି । କିନ୍ତୁ ବିଜେପି ସାଂସଦ ରମା ଦେବୀ ଆଜମ ଖାନ୍‌ଙ୍କ କ୍ଷମାକୁ ଗ୍ରହଣ ନକରି କହିଛନ୍ତି, ଆଜମ ଖାନ୍‌ଙ୍କ ଟିପ୍ପଣୀ ଭାରତରେ ଉଭୟ ମହିଳା ଏବଂ ପୁରୁଷଙ୍କୁ ଖୁବ୍‌ ଆଘାତ ଦେଇଛି। ତାହା ସେ ବୁଝି ପାରିବେନି। ଆଜମ ଖାନ୍‌ ଜଣେ ସିରିୟଲ ଅଫେଣ୍ଡର ବୋଲି ରମା ଦେବୀ କହିଛନ୍ତି। ଏହି ସମୟରେ ସପା ସୁପ୍ରିମୋ ଅଖିଳେଶ ଯାଦବ ଆଜମ ଖାନ୍‌ଙ୍କୁ ସମର୍ଥନ କରିବାପାଇଁ ନିଜ ଆସନରୁ ଉଠି ଠିଆ ହେବା ସମୟରେ ରମା ଦେବୀ ଏହାର କଡ଼ା ବିରୋଧ କରିଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା‌ ହେଉଛି ଆଜମ ଖାନ୍‌ ଆଜି ଗୃହରେ ୨ ଥର କ୍ଷମା ମାଗିଛନ୍ତି। ଅଧା ସଦସ୍ୟ କହିଥିଲେ ଯେ ଆଜମ ଖାନ୍‌ କ’ଣ କହିଲେ ତାହା ସେମାନେ ଶୁଣିନାହାନ୍ତି। ପରେ ବାଚସ୍ପତିଙ୍କ ନିର୍ଦେଶରେ ଆଜମ ଖାନ୍‌ ପୁନର୍ବାର କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର