ଲକ୍ଷ୍ନୌ : ବରିଷ୍ଠ ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଆଜମ୍‌ ଖାନ୍‌ ଆଜି ସୀତାପୁର ଜେଲ୍‌ରୁ ମୁକୁଳିଛନ୍ତି।  ଏକାଧିକ ଅପରାଧିକ ମାମଲାରେ ପାଖାପାଖି ୨୩ ମାସ ଜେଲ୍‌ରେ ରହିବାପରେ ‌ସେ ବାହାରିଛନ୍ତି। ଶହ ଶହ ସଂଖ୍ୟାରେ  ଦଳୀୟ କର୍ମୀ ଏବଂ ସମର୍ଥକମାନେ ଜେଲ୍‌ ବାହାରେ ତାଙ୍କୁ ସ୍ବାଗତ କରିଥିଲେ। ଆଜମ୍‌ ଖାନ୍‌ ଜେଲ୍‌ରୁ ମୁକୁଳିବା ପରେ ସିଧାସଳଖ ରାମପୁର ଅଭିମୁଖେ ଯାଇଥିଲେ। ତେବେ ସେ ଗଣମାଧ୍ୟମକୁ କୌଣସି ଟିପ୍ପଣୀ ଦେଇନାହାନ୍ତି।  ୭୭ ବର୍ଷୀୟ ଖାନ୍‌ ଜେଲ୍‌ରୁ ମୁକୁଳିବା ଆଜି ପ୍ରାୟ ୨ ଘଣ୍ଟା‌ ବିଳମ୍ବ ହୋଇଥିଲା। କିଛି ପୁରୁଣା ମାମଲାରେ କେତେକ ଔପଚାରିକତା ପୂରଣ ହୋଇନଥିବାରୁ ଖାନ୍‌ଙ୍କର ଜେଲ୍‌ରୁ ମୁକୁଳିବା ବିଳମ୍ବ ହୋଇଥିଲା।  

Advertisment

ଖାନ୍‌ଙ୍କ ବିରୋଧରେ ଥିବା ଶେଷ ମାମଲାରେ ରାମପୁର କୋର୍ଟ ତାଙ୍କୁ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେବାପରେ ସେ ମୁକୁଳିଛନ୍ତି। ଶେଷ ମାମଲା ଯେଉଁଥିରେ ତାଙ୍କୁ ଜାମିନ ମିଳିଛି ତାହା ୨୦୨୦ରେ ରାମପୁରର ସିଭିଲ ଲାଇନ୍ସ ଥାନାରେ ରୁଜୁ ହୋଇଥିଲା। ଠକେଇ ଏବଂ ଅନ୍ୟ ଅପରାଧ ଏହି ମାମଲା ସହ‌ ଜଡ଼ିତ।  ମଙ୍ଗଳବାର ସକାଳେ ସୀତାପୁର ଜେଲ୍‌ ବାହାରେ ଆଜମ୍‌ ଖାନ୍‌ଙ୍କ ପୁଅ, ସହଯୋଗୀ, ସମ୍ପର୍କୀୟ, ବନ୍ଧୁ ଏବଂ ଦଳୀୟ କର୍ମୀ ରୁଣ୍ଡ ହୋଇଥିଲେ।  ଭିଡ଼ ନିୟନ୍ତ୍ରଣ ପାଇଁ ଜେଲ୍‌ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।