୪୪ ଦେଶରେ ଠାବ ହୋଇଛି ବି.୧. ୬୧୭ ଭୂତାଣୁ: ‘ହୁ’

‘ଭାରତୀୟ ପ୍ରଜାତି’ ଆଖ୍ୟାକୁ କେନ୍ଦ୍ର ସରକାରଙ୍କ ବିରୋଧ

ଜେନେଭା(ସ୍ବିଜରଲ୍ୟାଣ୍ଡ): ଭାରତରେ ଆତଙ୍କ ସୃଷ୍ଟି କରିଥିବା ରୂପାନ୍ତରିତ କରୋନାଭୂତାଣୁ ବି.୧.୬୧୭ ବିଶ୍ବର ଅନ୍ୟ ୪୪ଟି ଦେଶରେ ମଧ୍ୟ ଠାବ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମ୍ପ୍ରତି ଭାରତରେ ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ବିସ୍ଫୋରକ ସ୍ଥିତି ପାଇଁ ଦାୟୀ ଥିବା ବି.୧.୬୧୭ ନାମକ ଏହି ପ୍ରଜାତିର କରୋନାଭୂତାଣୁ ଅନ୍ୟ ୪୪ଟି ଦେଶରୁ ସଂଗୃହୀତ ୪,୫୦୦ରୁ ଅଧିକ ନମୁନାରେ ରହିଥିବା ଜଣାଯାଇଛି। ଭାରତ ବାହାରେ ବ୍ରିଟେନ୍‌ ହିଁ ଏହି ପ୍ରଜାତି ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି।

ମୂଳ ଭୂତାଣୁଠାରୁ ଏହା ଅଧିକ କ୍ଷିପ୍ର ଏବଂ ସଂକ୍ରମଣଶୀଳ ରହିଛି। ସେଥିପାଇଁ ଏହି ପ୍ରଜାତିକୁ ‘ହୁ’ ଅନ୍ୟତମ ଅଧିକ ସଂକ୍ରମଣଶୀଳ ବ୍ରିଟେନ୍‌ ପ୍ରଜାତି, ବ୍ରାଜିଲ୍‌ ପ୍ରଜାତି ଓ ଦକ୍ଷିଣ ଆଫ୍ରିକୀୟ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ସହ ତାଲିକାଭୁକ୍ତ କରିଛି। ତେବେ ଏହି ପ୍ରଜାତିର ଭୂତାଣୁକୁ ବିଦେଶୀ ଗଣମାଧ୍ୟମ ଭାରତୀୟ ପ୍ରଜାତି ଆଖ୍ୟା ଦେଇ ଏହା ‘ହୁ’ର ବୟାନ ବୋଲି ଉଲ୍ଲେଖ କରୁଥିବାରୁ ଭାରତ ଏହାର ବିରୋଧ କରିଛି। ‘ହୁ’ କେଉଁଠି ବି ଏହାକୁ ଭାରତୀୟ ପ୍ରଜାତି ବୋଲି କହିନଥିବା ସରକାର କହିଛନ୍ତି।

ସମ୍ବନ୍ଧିତ ଖବର