ୱାସିଂଟନ: ଇରାନର ଫୋର୍ଡୋ, ନାତାଞ୍ଜ ଓ ଇସ୍ଫାହାନ୍‌  ପରମାଣୁ ଘାଟି ଉପରେ ଆଜି ଆକ୍ରମଣ କରିବା ପାଇଁ  ଆମେରିକା ଏହାର ସବୁଠାରୁ ଶକ୍ତିଶାଳୀ ବି-୨ ଷ୍ଟେଲ୍ଥ ବୋମାବର୍ଷୀ ବିମାନ ବ୍ୟବହାର କରିଥିଲା।
ମିସୁରୀରୁ ଉଡ଼ାଣ ଆରମ୍ଭ କରି ବି-୨ ବୋମାବର୍ଷୀ ବିମାନ ଇରାନରେ ଆଣବିକ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଯିବା ଓ ପ୍ରତ୍ୟାବର୍ତ୍ତନ  କରିବାପାଇଁ  ମୋଟ ୩୭ ଘଣ୍ଟା ଯାତ୍ରା କରିଥିଲା।  ଏହି ମିସନ ପାଇଁ ମଝି ଆକାଶରେ ଅନେକ ଥର ଇନ୍ଧନ ଭର୍ତ୍ତି କରିବାକୁ ପଡ଼ିଥିଲା।   ପ୍ରାୟ ୨ ବିଲିୟନ ଡଲାର ମୂଲ୍ୟର ଏହି ଅତ୍ୟାଧୁନିକ ଜେଟ୍ ମିସୁରୀ ଏୟାରବେସ୍‌ରୁ ଇରାନ୍ ଏବଂ ପରେ ଆମେରିକାକୁ ଫେରିବା ପାଇଁ ପ୍ରାୟ ୧୧,୪୦୦ କିଲୋମିଟର ଅତିକ୍ରମ କରିଥିଲା।  ଆମେରିକୀୟ ବିମାନଗୁଡ଼ିକ ସୁରକ୍ଷିତ ଭାବେ ଫେରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିସନର ସଫଳତା ସଂପର୍କରେ ଘୋଷଣା କରିଥିଲେ। ଏହି ଅପରେସନ ସମୟରେ ଫୋର୍ଡୋ ଉପରେ ଆକ୍ରମଣରେ ୬ଟି ବଙ୍କର-ବଷ୍ଟର ବୋମା ବ୍ୟବହାର କରାଯାଇଥିବା ବେଳେ ଅନ୍ୟ ଦୁଇଟି ପରମାଣୁ ସ୍ଥଳକୁ ଟାର୍ଗେଟ କରି ୩୦ଟି ଟମହାକ୍‌ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଆମେରିକାର ଅପରେସନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି,  ଇରାନର ପ୍ରମୁଖ ପରମାଣୁ କେନ୍ଦ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ଏବଂ ଯଦି ଇରାନ ଶାନ୍ତି ପ୍ରତିଷ୍ଠା କରିବାରେ ସହଯୋଗ ନକରେ ତେବେ ଭବିଷ୍ୟତରେ ପୁଣି ବଡ଼ଧରଣର ଆକ୍ରମଣ କରାଯିବ। ସୂଚନାଯୋଗ୍ୟ, ବି-୨ ଷ୍ଟେଲ୍ଥ ବୋମାବର୍ଷକ ହେଉଛି ଆମେରିକା ବାୟୁସେନାର ମେରୁଦଣ୍ଡ ଏବଂ ଏହା ବିଶ୍ୱର ସବୁଠାରୁ ସମର୍ଥ ଯୁଦ୍ଧବିମାନ।  ଏହି ବିମାନ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେବାର କ୍ଷମତା ପାଇଁ ଜଣାଶୁଣା।