ସୁପ୍ରିମକୋର୍ଟରେ ପହଞ୍ଚିଲେ ରାମଦେବ, ନିଜ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ କଲେ ଦାବି

ନୂଆଦିଲ୍ଲୀ: ଏଲୋପାଥି ବନାମ ଆୟୁର୍ବେଦିକ ଯୁଦ୍ଧରେ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ବାବା ରାମଦେବ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି।

ରାମଦେବ ନିଜ ଆବେଦନରେ କହିଛନ୍ତି, ଆଇଏମଏ ପାଟନା ଓ ରାୟପୁର ଦ୍ବାରା ରୁଜୁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରି ଦିଆଯାଉ।

ଗତ କିଛିଦିନ ତଳେ ଛତିଶଗଡ଼ର ରାୟପୁରରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। କରୋନା ଚିକିତ୍ସା ପାଇଁ ଦିଆଯାଉଥିବା ଏଲୋପାଥି ଔଷଧକୁ ନେଇ ଭୁଲ ଖବର ପ୍ରଘଟ କରିବା ଅଭିଯୋଗରେ ରାମଦେବଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା। ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ଛତିଶଗଡ଼ ୟୁନିଟ ଏଫଆଇଆର କରିଥିଲା।

योगगुरु बाबा रामदेव (फाइल फोटो)

ରାୟପୁର ଏସଏସପି ଅଜୟ ଯାଦବଙ୍କ କହିବାନୁସାରେ, ରାମଦେବଙ୍କ ବିରୋଧରେ ଧାରା ୧୮୮, ୨୬୯ ଓ ୫୦୪ରେ ମାମଲା ରୁଜୁ ହୋଇଛି।

ରାମଦେବ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ କହିଥିଲେ, ମୁଁ ମୋ ମନ୍ତବ୍ୟକୁ ଫେରାଇ ନେବା ସହିତ କ୍ଷମା ମଧ୍ୟ ମାଗିସାରିଛି। ମହାମାରୀରେ ଯେଉଁ କରୋନା ଯୋଦ୍ଧାମାନେ ପ୍ରାଣ ହରାଇଛନ୍ତି ସମସ୍ତଙ୍କୁ ମୁଁ ମୋର ସମ୍ମାନ ଜଣାଉଛି। ଆଇଏମଏର ଖରାପ ମନୋଭାବ ଯୋଗୁ ଏହି ପ୍ରସଙ୍ଗ ଅତିରଂଜିତ ହୋଇଛି। ଏପରିକି  ୯୦ ପ୍ରତିଶତ କରୋନା ରୋଗୀ ଘରେ ରହି ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଯୋଗ କରିବା ଦ୍ବାରା ଭଲ ହୋଇପାରୁଛନ୍ତି ବୋଲି ମତ ଦେଉଥିବା ବେଳେ ଆୟୁର୍ବେଦକୁ ଛଦ୍ମବିଜ୍ଞାନ କୁହାଯାଉଛି। ଯୋଗକୁ କାହିଁକି ଅପମାନିତ କରାଯାଉଛି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏହା ଏଲୋପାଥି ବନାମ ଆୟୁର୍ବେଦ ନୁହେଁ। ମୁଁ ଡ୍ରଗ ମାଫିଆଙ୍କ ବିରୋଧରେ କହିଛି। ମୁଁ ଏଲୋପାଥିକୁ ଏକ ବିଜ୍ଞାନଭାବେ ଗ୍ରହଣ କରେ ବୋଲି ରାମଦେବ କହିଛନ୍ତି।

 

ସମ୍ବନ୍ଧିତ ଖବର