ମାଡ୍ୟାମ୍‌ ତୁସାଦ ମ୍ୟୁଜିୟମ୍ ଦ୍ୱାରା ନିର୍ମିତ ନିଜର ମହମ ପ୍ରତିମୂର୍ତ୍ତି ପାଇଁ ଗେରୁଆ ପରିଧାନ ଓ ଜୋତା ପ୍ରଦାନ କରିବେ ଯୋଗଗୁରୁ ବାବା ରାମଦେବ

ନୂଆଦିଲ୍ଲୀ: ମାଡ୍ୟାମ୍‌ ତୁସାଦ ମ୍ୟୁଜିୟମ୍ ମହମ ପ୍ରତିମୂର୍ତ୍ତି ଗ୍ୟାଲେରିରେ ସ୍ଥାନ ପାଇବେ ଯୋଗଗୁରୁ ବାବା ରାମଦେବ। ତେବେ, ମାଡ୍ୟାମ୍‌ ତୁସାଦ ମ୍ୟୁଜିୟମ୍ ଦ୍ୱାରା ନିର୍ମିତ ମହମ ପ୍ରତିମୂର୍ତ୍ତି ପାଇଁ ବାବା ରାମଦେବ ତାଙ୍କୁ ଯୋଗାଇ ଦେବେ ତାଙ୍କର ଗେରୁଆ ପରିଧାନ ଓ ଗୋଟିଏ ହଳ ଜୋତା।

ବାବା ରାମଦେବ ଏବେ ତାଙ୍କର ଏହି ମହମ ପ୍ରତିମୂର୍ତ୍ତି ପାଇଁ ଲଣ୍ଡନରେ ରହି ତାଙ୍କ ଶରୀରର ମାପ ଦେଉଛନ୍ତି। ‘ବୃକ୍ଷାସନ’ ଭଙ୍ଗୀରେ ନିର୍ମିତ ହେବ ବାବା ରାମଦେବଙ୍କର ଏହି ମହମ ପ୍ରତିମୂର୍ତ୍ତି। ସେଥିପାଇଁ ମାଡ୍ୟାମ ତୁସାଦ ମ୍ୟୁଜିୟମର କୁଶଳୀ କଳାକାରମାନେ ଯୋଗଗୁରୁ ବାବା ରାମଦେବଙ୍କ ଶରୀରର ପ୍ରାୟ ୨୦୦ରୁ ଅଧିକ ମାପ ନେବା ସହ ବିଭିନ୍ନ କୋଣରୁ ଶତାଧିକ  ଫଟୋ ଉଠାଉଛନ୍ତି, ଯେପରିକି ମହମ ପ୍ରତିମୂର୍ତ୍ତିଟି ଅବିକଳ ବାବା ରାମଦେବଙ୍କ ନକଲ ବୋଲି ପ୍ରତୀୟମାନ ହେବ।


ଯୋଗଗୁରୁ ବାବା ରାମଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋର ମହମ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ମାଡ୍ୟାମ ତୁସାଦ ମୋତେ ଚୟନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ମୋର ବିଶ୍ୱାସ ରହିଛି, ନିର୍ମାଣ ହେବାକୁ ଯାଉଥିବା ମୋର ଏହି ପ୍ରତିମୂର୍ତ୍ତିଟି ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ ଭଲ ଲାଗିବ। ମୋର ଏହି ମହମ ପ୍ରତିମୂର୍ତ୍ତିର ସଂପୂର୍ଣ୍ଣ ଏବଂ ଚୂଡ଼ାନ୍ତ ରୂପ ଦେଖିବାକୁ ମୁଁ ମଧ୍ୟ ବ୍ୟାକୁଳ।

ସମ୍ବନ୍ଧିତ ଖବର