ମୁମ୍ବାଇ: ନିକଟରେ ହତ୍ୟାର ଶିକାର ହୋଇଥିବା ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ସଂକ୍ରାନ୍ତରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏକ ଚାଞ୍ଚଲ୍ୟକର ଦାବି କରିଛି। ଗ୍ୟାଙ୍ଗ୍‌ର ଜଣେ ଗିରଫ ସଦସ୍ୟ ବାବା ସିଦ୍ଦିକଙ୍କର ଦାଉଦ ସହ ସମ୍ପୃକ୍ତି ଥିଲା ବୋଲି କହିଛି। ଉତ୍ତରପ୍ରଦେଶରେ ଏକ ଏନ୍‌କାଉଣ୍ଟରରେ ଗୁଳିମାଡ଼ର ଶିକାର ହୋଇଥିବା ଯରଫ୍‌ ରାଜୁ (୨୬) କହିଛି ଯେ ଭାରତର ମୋଷ୍ଟ୍‌ ୱାଣ୍ଟେଡ ଅପରାଧୀ ଏବଂ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଦାଉଦ୍‌  ଇବ୍ରାହିମ ସହ ବାବା ସିଦ୍ଦିକଙ୍କର ଘନିଷ୍ଠ ସଂପର୍କ ଥିଲା।  

Advertisment

ଲରେନ୍ସ ବିଷ୍ଣୋଇ-ହାସିମ୍‌  ବାବା ଗ୍ୟାଙ୍ଗ୍‌ ସହ ରାଜୁ ଜଡ଼ିତ। ତେବେ ତା’ର ବାବା ସିଦ୍ଦିକ ହତ୍ୟା‌କାଣ୍ଡରେ କୌଣସି ସମ୍ପୃକ୍ତି ନଥିବା ସେ କହିଛି।  ଦିଲ୍ଲୀର ଗ୍ରେଟର କୈଳାସରେ ଜଣେ ଜିମ୍‌ ମାଲିକ ନାଦିର୍‌ ଶାହଙ୍କୁ ହତ୍ୟା କରିବା ଘଟଣାରେ ତା’ ବିରୋଧରେ ବିଚାରଣା ଚାଲିଛି।  ରାଜୁ ଦାବି କରିଛି ଯେ ବାବା ସିଦ୍ଦିକ ନାନା ଆପରାଧିକ କାର୍ଯ୍ୟରେ ସଂପୃକ୍ତ ଥିବାରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏମ୍‌ସିଓସିଏ (ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ) ଅଧୀନରେ ତାଙ୍କ ବିରୋଧରେ ମାମଲା ଥିଲା। ଦାଉଦ ସହ ସେ ସଂପର୍କରେ ଥିଲେ।  ଏଭଳି ବ୍ୟକ୍ତିଙ୍କ ସହ ଏମିତି କିଛି ଘଟଣା ଘଟିବା ନିଶ୍ଚିତ ବୋଲି ରାଜୁ କହିଛି।