ମୁମ୍ବାଇ: ମହାରାଷ୍ଟ୍ରର ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ରବିବାର ଉତ୍ତରପ୍ରଦେଶର ବାହରାଇଚରୁ ଗିରଫ କରାଯାଇଥିଲା। ଗିରଫ ପରେ ସେ ଅନେକ ଅଜଣା ତଥ୍ୟ ପ୍ରକାଶ କରିଛି | ପଚରାଉଚରା ବେଳେ ଅଭିଯୁକ୍ତ ହତ୍ୟାକାଣ୍ଡ ପରେ କ'ଣ କରିଥିଲା, ତାହା ପୁଲିସକୁ ଜଣାଇଛି | ଏହା ମଧ୍ୟ କହିଛି ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ, ବାବା ସିଦ୍ଦିକି ଓ ତାଙ୍କ ପୁଅ ଜିଶାନ୍ ସିଦ୍ଦିକିଙ୍କ ମଧ୍ୟରୁ ଯିଏ ଆଗ ଅଫିସ ବାହାରକୁ ଆସିବା ତାକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା |

Advertisment

ଅକ୍ଟୋବର ୧୨ରେ ମୁମ୍ବାଇରେ ଥିବା ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକଙ୍କୁ ହତ୍ୟା କରିଥିଲେ ହରିୟାଣାର ବାସିନ୍ଦା ଗୁରନେଲ ସିଂ, ଉତ୍ତରପ୍ରଦେଶର ଧର୍ମରାଜ କଶ୍ୟପ ଓ ଶିବ କୁମାର। ଏହି ଘଟଣା ପରେ ଗୁରନେଲ ସିଂ ଏବଂ ଧର୍ମରାଜ କଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ଖସି ପଳାଇଥିଲା ଶିବ କୁମାର | କିଭଳି ସେ ଖସି ପଳାଇବାକୁ ସଫଳ ହେଲା ତାହା ପୁଲିସକୁ ଜଣାଇଥିଲା ଶିବ | ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଶିବ କୁମାର ସ୍ବୀକାର କରିଛି ଯେ, ଗୁଳି ମାରିବା ପରେ ଯେତେବେଳେ ବାବା ସିଦ୍ଦିକିଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେତେବେଳେ ପଛେ ପଛେ ଯାଇଥିଲା ଶିବ। ମୃତ୍ୟୁ ନିଶ୍ଚିତ କରିବା ପାଇଁ ହସ୍ପିଟାଲରେ ଜଗି ରହିଥିଲା ମୁଖ୍ୟ ଅଭିଯୁକ୍ତ। ୩୦ମିନିଟ ରହିବା ପରେ ସିଦ୍ଦିକିଙ୍କ ଅବସ୍ଥା ଗୁରୁତର ବୋଲି ଶୁଣି ସେ ସେଠାରୁ ଅଭିଯୁକ୍ତ ଚାଲିଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୨ରେ ରାତି ୯ଟା ସମୟରେ ମୁମ୍ବାଇର ବାନ୍ଦ୍ରାଠାରେ ୬୬ବର୍ଷିୟ ସିଦ୍ଦିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଛାତିରେ ଦୁଇଟି ଗୁଳି ବାଜିବାରୁ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।