ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକି ହତ୍ୟା ମାମଲାରେ ଧର୍ମରାଜ କଶ୍ୟପ ଓରଫ ରକି ନାମ ଜଣେ ଅଭିଯୁକ୍ତ ଧରାପଡ଼ିଛି। ଧର୍ମରାଜ ଯଦି ଅପରାଧ ଦୁନିଆରେ ପାଦ ରଖି ନଥାଆନ୍ତା ତେବେ ଆଜି ସେ ଜଣେ ଡାକ୍ତର ହୋଇଥାଆନ୍ତା ବୋଲି ଅଭିଯୁକ୍ତ ପରିବାର ସଦସ୍ୟ ଦାବି କରି କହିଛନ୍ତି।
ଧର୍ମରାଜର ବ୍ୟକ୍ତିଗତ ଜୀବନ କଥା ଆଲୋଚନା କରି ଭାଇ ଅନୁରାଗ କଶ୍ୟପ କହିଛନ୍ତି, ଧର୍ମରାଜର ପ୍ରାରମ୍ଭିକ ଜୀବନ ବହୁତ ଭଲ ଥିଲା। ସେ ଭଲ ପାଠ ବି ବଢ଼ୁଥିଲା। ଗାଁର ସୁନା ପୁଅ ହୋଇ ରହିଥିଲା। କାହାରି ସହିତ ଯୁକ୍ତିତର୍କ କରେ ନାହିଁ । ଯିଏ ଯାହା କହିଲା ମୁଣ୍ଡପାତି ସହି ଯାଉଥିଲା। ସବୁବେଳେ ନିଜ ପାଠପଢ଼ାରେ ସେ ବ୍ୟସ୍ତ ରହୁଥିଲା। ମ୍ୟାଟ୍ରିକ ପରୀକ୍ଷାରେ ୭୮ପ୍ରତିଶତ ନମ୍ବର ରଖି ଧର୍ମରାଜ ଉତ୍ତୀର୍ଣ୍ଣ ହୋଇଥିଲା।
ଏହାପରେ ଧର୍ମରାଜକୁ ପରିବାର ସଦସ୍ୟ ମେଡିକାଲ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ। ସେବି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। କିନ୍ତୁ କୌଣସି ଏକ ସମୟରେ ସେ ସୋସିଆଲ ମିଡିଆ ଜରିଆରେ ଗ୍ୟାଙ୍ଗଷ୍ଟାରରେ ସାମିଲ ହୋଇଯାଇଥିଲା। ଧର୍ମରାଜ ଯେତେବେଳେ ଡାକ୍ତରୀ ପ୍ରବେଶ ପାଇଁ ପରୀକ୍ଷାରେ ସାମିଲ ହୋଇ ନଥିଲା ମୁଁ ତାକୁ ଗାଳି କରିଥିଲା। ଏହାପରେ ସେ ପଡ଼ିଶାରେ ରହୁଥିବା ଶିବ କୁମାର ଗୌତମ ସହ ପୁନେ ଚାଲିଯାଇଥିଲା ସେଠାରେ ଧର୍ମରାଜ ଅପରାଧ ଦୁନିଆରେ ଅର୍ଥାତ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରେ ପାଦ ରଖିଥିବା ଖବର ପାଇଥିଲୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସମ୍ପ୍ରତି ସେ ବାବା ସିଦ୍ଦିକି ହତ୍ୟା ଘଟଣାରେ ସାମିଲ ହୋଇ ଗିରଫ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ଆମ ପରିବାରର ଭୋକଶୋଷ ଉଡ଼ି ଯାଇଛି।
ଭାଇକୁ ଠିକ ରାସ୍ତାରେ ନେଇ ନପାରିବାର ଦୁଃଖ ମଲା ଯାଏଁ ମୋ ଭିତରେ ରହିଥିବ। ଭଗବାନଙ୍କୁ ପ୍ରାର୍ଥନା ଧର୍ମରାଜକୁ ଠିକ ରାସ୍ତାକୁ ନେଇ ଆସନ୍ତୁ। ତାକୁ ଭଲ ମଣିଷଟେ କରନ୍ତୁ। ସେ ଆମ ପାଖକୁ ଫେରି ଆସୁ।’