ନୂଆଦିଲ୍ଲୀ: ନବବର୍ଷ ୨୦୨୨ ପାଇଁ ଅନେକ ଜ୍ୟୋତିଷି ଏବଂ ଭବିଷ୍ୟବକ୍ତାମାନଙ୍କ ଭବିଷ୍ୟବାଣୀ ପ୍ରସାରିତ ହେଉଥିବା ବେଳେ ପ୍ରସିଦ୍ଧ ରହସ୍ୟମୟୀ ଦୃଷ୍ଟିହୀନା ଭାନ୍ଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାନ୍ଗା ମଧ୍ୟ କିଛି ଭବିଷ୍ୟବାଣୀ ଶୁଣାଇ ଯାଇଛନ୍ତି। ୧୯୯୬ରେ ସ୍ବର୍ଗବାସ ଘଟିଥିବା ଭାନ୍ଗାଙ୍କର କେତେକ ଭବିଷ୍ୟବାଣୀ ‘ଆଷ୍ଟ୍ରୋଫେମ୍ ଡଟ୍ କଅମ୍’ ପ୍ରକାଶ କରିଛି।
କଥିତ ଅଛି ବାଳୁତ କାଳରୁ ଦୃଷ୍ଟିଶକ୍ତି ହରାଇଥିବା ଏହି ରହସ୍ୟମୟୀ ବୁଲ୍ଗେରିଆବାସିନୀ କରିଥିବା ଭବିଷ୍ୟବାଣୀ ମଧ୍ୟରୁ କେତେକ ସତ୍ୟ ହୋଇଥିବା କଥା ଲୋକେ କହନ୍ତି।
୨୦୨୨ ପାଇଁ ବାବା ଭାନ୍ଗା କରିଥିବା ଭବିଷ୍ୟବାଣୀର ଗୋଟିଏ ହେଉଛି ଜଳ ସଙ୍କଟ। ନଦୀ ପ୍ରଦୂଷଣ ଯୋଗୁଁ ଆସନ୍ତା ବର୍ଷ ଜଳକଷ୍ଟ ପଡ଼ିବ। ନୂତନ ଉତ୍ସରୁ ପାଣି ପାଇବା ପାଇଁ ଅନେକେ ଉପାୟ କରିବେ।
୨୦୨୨ରେ ପଙ୍ଗପାଳ ଆକ୍ରମଣ ହେବ ବୋଲି ମଧ୍ୟ ସେ କହିଯାଇଛନ୍ତି। ତାଙ୍କ କହିବା କଥା ଯେ, ତାପମାତ୍ରା ୫୦ ଡିଗ୍ରି ସେଲିସିୟସ୍ ଯାଏଁ ବୃଦ୍ଧି ପାଇବା ପରେ ପଙ୍ଗପାଳ ଫସଲ ଓ କ୍ଷେତରେ ଆକ୍ରମଣ କରିବା ଯୋଗୁଁ ଅନାହାର ପଡ଼ିବ।
ଏଲିଅନ୍ମାନେ ପୃଥିବୀ ଆକ୍ରମଣ କରିବେ ବୋଲି ମଧ୍ୟ ସେ କହିଯାଇଛନ୍ତି। ଏଲିଅନ୍ମାନେ ପୃଥିବୀ ପ୍ରତି ‘ଔମୁଆମୁଆ’ ନାମରେ ଗୋଟାଏ ଗ୍ରହାଣୁ ନିକ୍ଷେପ କରିବେ।
ଏହାଛଡ଼ା, ଏଯାବତ୍ ତୁଷାରରେ ଜମାଟ ବାନ୍ଧି ରହିଥିବା ଗୋଟାଏ ନୂଆ ମାରାତ୍ମକ ଭୂତାଣୁ ସାଇବେରିଆରୁ ଆବିଷ୍କାର ହେବ ବୋଲି ସେ କହିଯାଇଛନ୍ତି।
୨୦୨୨ରେ ଅଷ୍ଟ୍ରେଲିଆ ସମେତ କେତେକ ଏସୀୟ ରାଷ୍ଟ୍ରରେ ବନ୍ୟା ପ୍ଳାବନ ହେବ ବୋଲି ମଧ୍ୟ ବାବା ଭନ୍ଗା ସତର୍କ କରାଇଯାଇଛନ୍ତି।
ସେ ଆହୁରି ମଧ୍ୟ କହିଯାଇଛନ୍ତି ଯେ, ଲୋକେ ଅଧିକ ସମୟ ସେମାନଙ୍କ ଫୋନ୍ ଏବଂ ଗ୍ୟାଜେଟ୍ ଆଦିରେ ଅନ୍ଲାଇନ୍ରେ ମଗ୍ନ ରହିବା ହେତୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବ। କାରଣ, କଳ୍ପନା ଓ ବାସ୍ତବତା ମଧ୍ୟରେ ଫରକ ଜାଣି ନ ପାରି ସେମାନଙ୍କର ମତିଭ୍ରମ ଘଟିବ।