ନୂଆଦିଲ୍ଲୀ: ଗତ ଗୁରୁବାର ଅହମଦାବାଦରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସାରା ଦେଶରେ ଭୟର ବାତାବରଣ ରହିଛି। ଲୋକେ ବିମାନରେ ଯାତ୍ରା କରିବାକୁ ଡରୁଥିବା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ୨୦୨୫ବର୍ଷଟି ଦୂରସ୍ଥାନ ଯାତ୍ରା ପାଇଁ ଅନୁକୂଳ ନୁହେଁ। ଏବର୍ଷ ଅନେକ ବଡ଼ ବଡ଼ ଦୁର୍ଘଟଣା ଦେଖିବ ବିଶ୍ବ। ଏଭଳି ଅନେକ ଦାବି ମଧ୍ୟରେ ଏକ ଭବିଷ୍ୟବାଣୀ ଶୁଣି ସମସ୍ତଙ୍କ ଛାତିରେ ଛନକା ପଶିଛି। ଜୁଲାଇ ୫ରେ ଭୂକମ୍ପ ହେବା ସହ ସୁନାମି ଆସିବ ବୋଲି ଭବିଷ୍ୟବାଣୀ କରାଯାଇଛି।

Advertisment

ଜଣେ ରହସ୍ୟମୟ ଜାପାନୀ ମଙ୍ଗା କଳାକାର ରୟୋ ତାତସୁକି (ଯାହାଙ୍କୁ ସୋସିଆଲ ମିଡିଆରେ 'ନୂତନ ବାବା ବେଙ୍ଗା' ବୋଲି କୁହାଯାଉଛି) ଭବିଷ୍ୟବାଣୀ କରିଛନ୍ତି ଯେ, ଜୁଲାଇ ୫, ୨୦୨୫ରେ ଜାପାନରେ ଏକ ବଡ଼ ସୁନାମି କିମ୍ବା ଭୂମିକମ୍ପ ଆସିପାରେ। ତାଙ୍କର କମିକ୍ ସିରିଜ୍ 'ଦି ଫ୍ୟୁଚର ଆଇ ସ'ରେ ଏହି ଦାବି ସାରା ବିଶ୍ୱରେ, ବିଶେଷକରି ଜାପାନକୁ ଯାତ୍ରା କରିବାର ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି।

ରୟୋ ତାତସୁକିଙ୍କ ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ନିଆଯାଉଛି କାରଣ ସେ ୨୦୧୧ର ବିନାଶକାରୀ ଟୋହୋକୁ ଭୂମିକମ୍ପ ଏବଂ ସୁନାମିର ପୂର୍ବାନୁମାନ କରିଥିଲେ। ସେହି ଦୁଃଖଦ ଘଟଣାରେ ୧୮ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଫୁକୁସିମା ପରମାଣୁ କେନ୍ଦ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହା ସହ ସେ ୧୯୯୫ କୋବେ ଭୂମିକମ୍ପ, ୨୦୨୦ରେ କରୋନା ମହାମାରୀ ଓ ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ।

ରୟୋଙ୍କ ପୂର୍ବାନୁମାନ ଯୋଗୁଁ, ଜୁଲାଇ ମାସର ଜାପାନକୁ ବିମାନ ବୁକିଂ ୮୩% ହ୍ରାସ ପାଇଛି। ହଂକଂରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୫୦% ପର୍ଯ୍ୟନ୍ତ ହ୍ରାସ ପାଉଛି। ଅନେକ ଯାତ୍ରୀ ଏପ୍ରିଲ-ମେ’ ଛୁଟି ପାଇଁ କରାଯାଇଥିବା ବୁକିଂକୁ ମଧ୍ୟ ବାତିଲ କରିଛନ୍ତି।

ମିଆଗି ପ୍ରଦେଶର ରାଜ୍ୟପାଳ ଯୋଶିହିରୋ ମୁରାଇ କହିଛନ୍ତି, "ଏହି ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭିତ୍ତିହୀନ। ବୈଜ୍ଞାନିକଙ୍କ ଅନୁଯାୟୀ କୌଣସି ଭୂମିକମ୍ପ କିମ୍ବା ସୁନାମିର ପୂର୍ବାନୁମାନ କରାଯାଇପାରିବ ନାହିଁ। ଲୋକମାନେ ଜାପାନ ଯାତ୍ରା କରିବାକୁ ଦ୍ୱନ୍ଦ୍ୱରେ ପଡ଼ିବା ଏବଂ ଭୟଭୀତ ହେବା ଉଚିତ୍ ନୁହେଁ।"