ହାଥରସ: ସୂରଜପାଲ ସିଂହ ଓରଫ ଭୋଲେ ବାବାଙ୍କ ସହ ଜଡ଼ିତ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜକୁ କର୍ତ୍ତୃପକ୍ଷ ଜବତ କରିଛନ୍ତି। ଦାନ ନିଅନ୍ତିନି ବୋଲି ଦାବି କରିବା ସତ୍ତ୍ୱେ ବାବା ୨୪ଟି ବିଳାସପୂର୍ଣ୍ଣ ଆଶ୍ରମର ତଦାରଖ କରନ୍ତି, ବିଳାସପୂର୍ଣ୍ଣ କାର୍ ଚଳାନ୍ତି ଓ ଏକ ଘରୋଇ ସୁରକ୍ଷା ବଳ ନିୟୋଜିତ କରିଛନ୍ତି। ମୈନପୁରୀରେ ଥିବା ଏକ ‘ପଞ୍ଚତାରକା’ ଆଶ୍ରମ ସମେତ ବିପୁଳ ସମ୍ପତ୍ତିର କିଛି ଅଂଶର ଦସ୍ତାବିଜ ଅଧିକାରୀମାନେ ଜବତ କରିଛନ୍ତି। ହାଥରସରେ ବାବାଙ୍କ ସତ୍ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଏଫ୍ଆଇଆର୍ରେ ତାଙ୍କ ନାଁ ନାହିଁ। ଏହି ଘଟଣା ପରଠାରୁ ସେ ନିଖୋଜ ଅଛନ୍ତି ଏବଂ ମୈନପୁରୀସ୍ଥିତ ତାଙ୍କ ଆଶ୍ରମ ବାହାରେ ୫୦ରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ଦୁଇ ବର୍ଷ ଧରି ଭୋଲେ ବାବା ମୈନପୁରୀର ଏକ ବିଳାସପୂର୍ଣ୍ଣ ଆଶ୍ରମରେ ରହୁଥିଲେ, ଯାହା ୨୧ ବିଘା (୬.୯୪ ଏକର) ଜମି ଉପରେ ଅବସ୍ଥିତ। ଆଶ୍ରମରେ ସେ ଓ ତାଙ୍କ ପତ୍ନୀଙ୍କ ପାଇଁ ଛଅଟି ବଡ଼ କୋଠରି ସଂରକ୍ଷିତ ଅଛି ଏବଂ ବିନା ଅନୁମତିରେ କେହି ପ୍ରବେଶ କରିପାରନ୍ତି ନାହିଁ। ମୁଖ୍ୟଦ୍ୱାରରେ ଏହାର ନିର୍ମାଣ ପାଇଁ ଦାନ କରିଥିବା ୨୦୦ ଜଣଙ୍କ ନାମ ତାଲିକା ଦିଆଯାଇଛି, ଯେଉଁଥିରେ ସର୍ବାଧିକ ଦାନ ୨.୫ ଲକ୍ଷ ଟଙ୍କା ଏବଂ ସର୍ବନିମ୍ନ ୧୦,୦୦୦ ଟଙ୍କା ରହିଛି। ଜମିକୁ ମିଶାଇ ଆଶ୍ରମର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଏହି ଆଶ୍ରମ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏବଂ ଭୋଲେ ବାବାଙ୍କ ଘନିଷ୍ଠ ଲୋକମାନେ ଦାବି କରନ୍ତି ଯେ ତାଙ୍କର ୨୪ଟି ଆଶ୍ରମ ଏବଂ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅଛି। ବାବା ପ୍ରାୟତଃ ଟାଇ ଓ ଷ୍ଟାଇଲିସ୍ ଚଷମା ସହିତ ଧଳା ଥ୍ରି-ପିସ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳେ। ୨୦ଟି ଗାଡ଼ିର ଗାଡ଼ିମାଳା ଏବଂ ରୟାଲ ଏନଫିଲ୍ଡ ବୁଲେଟ୍ ଆରୋହୀ କଳା ୟୁନିଫର୍ମ ପିନ୍ଧା ୧୫ କମାଣ୍ଡୋଙ୍କ ସହ ସେ ଶୋଭାଯାତ୍ରାରେ ଆସନ୍ତି। କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଦେବା ଓ ତାଙ୍କ ପାଇଁ ରାସ୍ତା ସଫା କରିବା କାମ କରନ୍ତି। ତାଙ୍କ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ହାଲୁକା ଗୋଲାପି ପୋଷାକ ପିନ୍ଧି ଲାଠି ଧରି ତାଙ୍କୁ ସୁରୁଖୁରୁରେ ଯିବା ପାଇଁ ରାସ୍ତାରେ ରଣନୀତିଗତ ଭାବେ ମୁତୟନ ହୋଇଥାନ୍ତି। ସେମାନେ ଏହା ମଧ୍ୟ ସୁନିଶ୍ଚିତ କରନ୍ତି ଯେ କେହି ଏହି କାର୍ଯ୍ୟକ୍ରମର ଭିଡିଓ କିମ୍ବା ଫଟୋ ଯେପରି ନ ଉଠାଇବେ। ଭୋଲେ ବାବା ନିଜେ ଏକ ଧଳା ଟୟୋଟା ଫର୍ଚୁନରରେ ଯାତ୍ରା କରନ୍ତି, ଯେଉଁଥିରେ ଧଳା ସିଟ୍ କଭର ଲଗାଯାଇଥାଏ, ଯାହା ଉଭୟ ବିଳାସ ଓ ଆଧ୍ୟାତ୍ମିକ ଅଧିକାରର ପ୍ରତୀକ।
ବାବାଙ୍କ ମୁଖ୍ୟ ସେବାଦାର ଗିରଫ, କୋର୍ଟରେ ମାମଲା ରୁଜୁ
ନୂଆଦିଲ୍ଲୀ : ହାଥ୍ରସ ସତ୍ସଙ୍ଗ ସ୍ଥଳରେ ଦଳାଚକଟା ହୋଇ ୧୨୧ ଲୋକଙ୍କର ମୃତ୍ୟୁ ଘଟଣା ପରଠାରୁ ଫେରାର୍ ଥିବା ଭୋଲେ ବାବା ଆଜି ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସି ପୀଡ଼ିତଙ୍କୁ ସହାୟତା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକର ଯିଏ କି ସତ୍ସଙ୍ଗର ମୁଖ୍ୟ ସଂଚାଳକ ତଥା ବାବାଙ୍କ ମୁଖ୍ୟ ସେବାଦାର ଥିଲେ ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ମଧୁକରଙ୍କ ବିରୋଧରେ ଉତ୍ତରପ୍ରଦେଶ ପୁଲିସ ହାଥ୍ରସରେ ଏତଲା ରୁଜୁ କରିଥିଲା। ତାଙ୍କୁ ଧରାଇ ଦେବାପାଇଁ ପୁଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ମଧୁକର ଗିରଫ ହେବା ସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।
ଆଜି ଭିଡିଓ ବାର୍ତ୍ତା ଜାରି କରି ଭୋଲେ ବାବା କହିଛନ୍ତି, ‘ଭଗବାନ ଆମକୁ ଏହି କଷ୍ଟ ସହିବାପାଇଁ ଶକ୍ତି ଦିଅନ୍ତୁ। ସରକାର ଏବଂ ପ୍ରଶାସନ ଉପରେ ଦୟାକରି ବିଶ୍ବାସ ରଖନ୍ତୁ। ମୋର ବିଶ୍ବାସ ଅଛି ଯେ ଯିଏ ବି ଏଭଳି ସ୍ଥିତି ସୃଷ୍ଟି କରିଛି ତାକୁ ଆଦୌ ଛଡ଼ାଯିବ ନାହିଁ। ମୋ ଆଇନଜୀବୀ ଏପି ସିଂହଙ୍କ ମାଧ୍ୟମରେ ମୁଁ ଆଶ୍ରମ ପରିଚାଳନା କମିଟି ସଦସ୍ୟଙ୍କୁ ମୃତାହତଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ରହିବାପାଇଁ ଅନୁରୋଧ କରିଛି ଏବଂ ସେମାନଙ୍କୁ ଦୀର୍ଘକାଳୀନ ସହଯୋଗ କରିବାପାଇଁ କହିଛି। ଘଟଣା ପାଇଁ ମୁଁ ଖୁବ୍ ବିଷାଦରେ ଅଛି।’ ଅନ୍ୟପକ୍ଷେ ଭୋଲେ ବାବା ତଥା ସୁରଜ ପାଲ୍ ସିଂହଙ୍କ ବିରୋଧରେ ଆଜି ପ୍ରଥମ ମାମଲା ରୁଜୁ ହୋଇଛି। ପାଟନା ସିଜେଏମ୍ କୋର୍ଟରେ ଆଜି ଏହି ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳାଚକଟା ଘଟଣାରେ ପ୍ରାରମ୍ଭିକ ଏସ୍ଆଇଟି ରିପୋର୍ଟ ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ଆଗ୍ରା ଜୋନ୍ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅନୁପମ କୁଳଶ୍ରେଷ୍ଠଙ୍କ ଦ୍ବାରା ଏହି ରିପୋର୍ଟ ଦାଖଲ ହୋଇଥିଲା। ୩ ଜଣିଆ ଏସ୍ଆଇଟି ଏଯାବତ ଏହି ମାମଲାରେ ୧୨୦ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିସହ ରାଜ୍ୟ ସରକାର ମଧ୍ୟ ଏକ ୩ ଜଣିଆ ନ୍ୟାୟିକ କମିସନ ଗଠନ କରିଛନ୍ତି।