ଜୟପୁର: ପୃଥିବୀକୁ ଆସୁ ଆସୁ ନିଜ ମାତାପିତାଙ୍କଠାରୁ ଅଲଗା ହୋଇଯାଇଥିଲେ ଦୁଇ ଶିଶୁ। ୧୦ଦିନ ପରେ ଡିଏନଏ ପରୀକ୍ଷ‌ା ଦ୍ବାରା ହେଲା ମିିଳନ। ରାଜସ୍ଥାନର ଜୟପୁରରେ ଥିବା ମହିଳା ହସପିଟାଲର କର୍ମଚାରୀଙ୍କ ଅବହେଳା ହେତୁ ଦୁଇ ନବଜାତ ଶିଶୁଙ୍କୁ ୧୦ଦିନ ପାଇଁ ସେମାନଙ୍କ ମାତାପିତାଙ୍କଠାରୁ ଅଲଗା ହେବାକୁ ପଡିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ନବଜାତଙ୍କ ଜନ୍ମ ପରେ କର୍ମଚାରୀଙ୍କ ଅବହେଳା ହେତୁ ନବଜାତ ଶିଶୁମାନେ ଅଦଳବଦଳ ହୋଇଯାଇଥିଲେ। ପ୍ରକୃତ ମାତାପିତାଙ୍କ ପାଖକୁ ନବଜାତଙ୍କୁ ଫେରାଇ ଆଣିବା ପାଇଁ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଶେଷରେ ୧୦ଦିନ ‌ପରେ ଡିଏନ୍ଏ ପରୀକ୍ଷା ରିପୋର୍ଟ ଆସିବାରୁ ନବଜାତମାନେ ନିଜ ନିଜର ପରିବାର ପାଖକୁ ଫେରିଥିବା ଜଣାପଡ଼ିଛି।

Advertisment

ନାମ ଗୋପନ ରଖିବା ସର୍ତ୍ତରେ ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି, ଆମେ ଏହି ଘଟଣାରେ ପୁଲିସର ସାହାଯ୍ୟ ନେଇଥିଲୁ। ପୁଲିସ ସହାୟତାରେ ଡାକ୍ତରଖାନା ପ୍ରଶାସନ ପ୍ରଥମେ ଉଭୟ ଶିଶୁଙ୍କ ଜୈବିକ ପିତାମାତାଙ୍କୁ ଖୋଜିବା ପାଇଁ ଡିଏନ୍ଏ ପରୀକ୍ଷା କର‌ାଯାଇଥିଲା। ଏବେ ଉଭୟ ଶିଶୁ ନିଜ ଜୈବିକ ପିତାମାତାଙ୍କ ପାଖକୁ ଫେରିଛନ୍ତି। ସେପ୍ଟେମ୍ବର ୧ରେ ନିଶା ନାମକ ଜଣେ ମହିଳା ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ରେଶମା ନାମକ ଜଣେ ମହିଳା ମଧ୍ୟ ଏକ ଶିଶୁୁକନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ରେଶମାଙ୍କ ଝିଅ ନିଶାଙ୍କୁ ଦିଆଯାଇଥିଲା ଏବଂ ନିଶାଙ୍କ ପୁଅ ରେଶମାଙ୍କୁ ଦିଆଯାଇଥିଲା। ପରେ ଭୁଲ ଜଣାପଡ଼ିବାରୁୁ ଡିଏନଏ ପରୀକ୍ଷା କରାଯାଇ ଭୁଲକୁ ସୁଧାରିଥିଲେ ଡାକ୍ତରଖାନା ପ୍ରଶାସନ।