ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ, ମୋଦୀ ଓ ଶାହାଙ୍କୁ ଜଣାଇଲେ କୃତଜ୍ଞତା

ନୂଆଦିଲ୍ଲୀ: ଆଜି ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଗଣମାଧ୍ୟମ ସହ କଥା ହେବାବେଳେ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି, ‘ମୁଁ ମୋର ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ କରିଛି । ମୁଁ ପ୍ରଧାନମନ୍ତ୍ରୀ, ଦଳର ଅଧ୍ୟକ୍ଷ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି। ସେମାନେ ମୋ ଉପରେ ଭରସା କରିଥିଲେ | ମୁଁ ହୃଦୟରୁ ରାଜନୀତି ଛାଡିଥିଲି। ମୁଁ ଭାବିଲି ଯେ ଯଦି ମୁଁ ଦଳର କୌଣସି ଅଂଶ ନୁହେଁ, ତେବେ ମୁଁ ନିଜ ପାଇଁ କୌଣସି ଆସନ ରଖିବା ଉଚିତ୍ ନୁହେଁ’।

ସୂଚନା ଥାଉ କି ଯେ ବାବୁଲ ଟିଏମସିରେ ଯୋଗ ଦେଇଥିଲେ ଓ ଆଜି ଆନୁଷ୍ଠାନିକ ଭାବେ ବିଜେପି ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ‘କିଛି ମାସ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସିର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଭଳି ଥିଲେ । ରାଜନୀତି ବ୍ୟତୀତ ସେ ମୋର ଜଣେ ଭଲ ବନ୍ଧୁ ହୋଇଥିଲେ ବି ରାଜନୈତିକ ଦୃଷ୍ଟିରୁ ମୋ ବାବଦରେ ବହୁତ କଠୋର କଥା କହିବାକୁ ପଡିଥାଏ | କିନ୍ତୁ ସେ ତାଙ୍କ ପିତା ଏବଂ ଭାଇଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ପରାମର୍ଶ ଦେବା ଉଚିତ କାରଣ ସେମାନେ ଆଉ ଟିଏମସିର ଅଂଶ ନୁହଁନ୍ତି’।

ବାବୁଲ ସୁପ୍ରିୟୋ ପୂର୍ବରୁ ଅଗଷ୍ଟ ମାସରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହା ସ୍ପଷ୍ଟ କରିଥିଲେ ଯେ ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ | କିନ୍ତୁ ସେପ୍ଟେମ୍ବର ୧୮ରେ ସେ ଟିଏମସିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର