ବାବ୍ରି ମସଜିଦ-ରାମ ମନ୍ଦିର ବିବାଦ: ୧୫୨୮ରୁ ୨୦୧୯

୧୫୨୮: ମସଜିଦ୍‌ କାନ୍ଥରେ ଥିବା ଶିଳାଲେଖ ଅନୁଯାୟୀ ବାବରଙ୍କ ନିର୍ଦ୍ଦେଶରେ ମୀର୍‌ ବକିଙ୍କ ଦ୍ବାରା ବାବ୍ରି ମସଜିଦ୍‌ ନିର୍ମାଣ ହୋଇଥିଲା।
୧୬୧୧: ବ୍ରିଟିଶ ବ୍ୟବସାୟୀ ୱିଲିୟମ୍‌ ଫିଞ୍ଚ୍‌ଙ୍କ ତଥ୍ୟ ଅନୁଯାୟୀ ଏଠାରେ ରାମଙ୍କ ମହଲା ଥିଲା ଏବଂ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଏଠାକୁ ଆସୁଥିଲେ।
୧୭୧୭: ରାଜପୁତ ରାଜା ଜୟସିଂହ (ଦ୍ବିତୀୟ) ମସଜିଦ୍‌ର ଜମି କିଣିଲେ ଏବଂ ସେଠାରେ ମୂର୍ତ୍ତି ସ୍ଥାପନର ବ୍ୟବସ୍ଥା କରିଥିଲେ। ହିନ୍ଦୁମାନେ ମସଜିଦ୍‌ ବାହାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ପୂଜା ପାଇଲା।
୧୮୫୦: ହନୁମାନ ଗଢ଼ୀ ନିକଟସ୍ଥ ମସଜିଦ୍‌କୁ ନେଇ ମୁହାଁମୁହିଁ ହୋଇଥିଲେ ହିନ୍ଦୁ ମୁସଲମାନ। ଏହି ପ୍ରକ୍ରିୟାରେ ହିନ୍ଦୁମାନଙ୍କ ଦ୍ବାରା ବାବ୍ରି ମସଜିଦ୍‌ରେ ଆକ୍ରମଣ ହୋଇଥିଲା।
୧୮୫୩: ବାବ୍ରି ମସଜିଦ୍‌କୁ ନେଇ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ହୋଇଥିଲା ସାମ୍ପ୍ରଦାୟିକ ସଂଘର୍ଷ
୧୮୫୯: ବ୍ରିଟିଶ୍‌ ପ୍ରଶାସନ ବିବାଦୀୟସ୍ଥଳରେ ଏକ କାନ୍ଥ ବୁଲାଇଥିଲେ। ହିନ୍ଦୁ ଏବଂ ମୁସଲିମ୍‌ଙ୍କ ପୂଜାପାଇଁ ଭିନ୍ନ ସ୍ଥାନ ଦର୍ଶାଇଥିଲେ। ଏହି କାରଣ ପାଇଁ ଦୀର୍ଘ ବର୍ଷ ଧରି ବିବାଦ ରହି ଆସିଥିଲା।
୧୮୮୫: ମହନ୍ତ ରଘୁବୀର ଦାସ ମସଜିଦ୍‌ ନିକଟରେ ଥିବା ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ଫୈଜାବାଦ୍‌ ଜିଲ୍ଲା କୋର୍ଟରେ ଏକ ଆବେଦନ କରିଥି‌ଲେ, କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
୧୯୪୯: ମସଜିଦ୍‌ରେ ରାମସୀତାଙ୍କ ମୂର୍ତ୍ତି ସ୍ଥାପନ। ଉଭୟ ପାର୍ଶ୍ବରୁ ଦେୱାନୀ ମକଦ୍ଦମା ରୁଜୁ। ସରକାର ମସଜିଦ୍‌ ଗେଟ୍‌ରେ ତାଲା ପକାଇଦେଲେ।
୧୯୫୦: ଗୋପାଳ ସିଂହ ବିଶାରଦ ଏବଂ ପରମହଂସ ରାମଚନ୍ଦ୍ର ଦାସଙ୍କ ଦ୍ବାରା ରାମଲାଲାଙ୍କ ମୂର୍ତ୍ତି ପୂଜନ ପାଇଁ ଫୈଜାବାଦ୍‌ କୋର୍ଟରେ ମକଦ୍ଦମା ରୁଜୁ ।
୧୯୫୯ : ବିବାଦୀୟ ଜମି ମାଲିକାନା ପାଇଁ ନିର୍ମୋହି ଆଖଡ଼ାର ଆବେଦନ
୧୯୬୧: ଉତ୍ତରପ୍ରଦେଶ ସୁନ୍ନି ୱାକଫ୍‌ ବୋର୍ଡ ପକ୍ଷରୁ ବିବ‌ାଦୀୟ ଜମି ଅଧିକାର ପାଇଁ ଏବଂ ମସଜିଦ୍‌ରୁ ମୂର୍ତ୍ତି ହଟାଇବା ପାଇଁ ଆବେଦନ
୧୯୮୬: ୩୭ ବର୍ଷ ପରେ ମସଜିଦ୍‌ ଗେଟ୍‌ ଖୋଲିବା ସହ ହିନ୍ଦୁମାନଙ୍କୁ ମୂର୍ତ୍ତି ପୂଜନ ପାଇଁ ଫୈଜାବାଦ୍‌ ସେସନ୍ସ କୋର୍ଟର ଅନୁମତି। ବାବ୍ରି ମସଜିଦ୍‌ କାର୍ଯ୍ୟାନୁଷ୍ଠାନ କମିଟି ଗଠନ।
୧୯୮୯: ବିବାଦୀୟ ସ୍ଥାନ ନିକଟରେ ମନ୍ଦିର ନିର୍ମାଣ ପାଇଁ ଶିଳା ସ୍ଥାପନ ଲାଗି ବିଶ୍ବ ହିନ୍ଦୁ ପରିଷଦର ଘୋଷଣା। ଭିଏଚ୍‌ପି ପକ୍ଷରୁ ଗୃହମନ୍ତ୍ରୀ ଏସଏଚ୍‌ ବୁଟା ସିଂହ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିୱାରୀଙ୍କ ଉପସ୍ଥିତିରେ ବିବାଦୀୟ ସ୍ଥଳ ନିକଟରେ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଯିବାକୁ ବିରୋଧ କରି ଦେଶବ୍ୟପୀ ସଂଘର୍ଷ ।
୧୯୯୦: ବିବାଦୀୟସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ଅଧ୍ୟକ୍ଷ ଲାଲକୃଷ୍ଣ ଆଡଭାନୀଙ୍କ ଗୁଜରାଟର ସୋମନାଥ ମନ୍ଦିରରୁ ରଥଯାତ୍ରା ଆରମ୍ଭ। ଅଧାବାଟରେ ବିହାରରେ ଆଡଭାନୀ ଓ ଅନ୍ୟ ନେତୃବୃନ୍ଦ ଗିରଫ।
୧୯୯୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ସରକାରଙ୍କ ଦ୍ବାରା ୨.୭୭ ଏକର ଜମି ଅକ୍ତିଆର କରି ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟ୍‌କୁ ଲିଜ୍‌ ପ୍ରଦାନ।
୧୯୯୨: ଡିସେମ୍ବର ୬ତାରିଖରେ ପ୍ରାୟ ୨ ଲକ୍ଷ କରସେବକଙ୍କ ଦ୍ବାରା ବାବ୍ରି ମସଜିଦ୍‌ ଭଙ୍ଗା ଯିବା ପରେ ଦେଶବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗା। ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ ଲାଗି ଜଷ୍ଟିସ୍‌ ଲିବରହାନ୍‌ କମିସନ ଗଠନ।
୨୦୦୧: ବାବ୍ରି ମସଜିଦ୍‌ ଧ୍ବଂସ ବାର୍ଷିକୀରେ ଭିଏଚ୍‌ପି ପକ୍ଷରୁ ପୁଣି ଥରେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି ସାବ୍ୟସ୍ତ ଯୋଗୁଁ ଏହାକୁ ବିରୋଧ କରି ବିଶୃଙ୍ଖଳା।
୨୦୦୨: ୨୭ ଫେବ୍ରୁଆରିରେ ଗୁଜରାଟର ଗୋଧ୍ରାରେ ଏକ ଟ୍ରେନ୍‌ ଉପ‌ରେ ଆକ୍ରମଣ ଯୋଗୁଁ ୫୮ ଜଣ କରସେବକ ଜୀବନ୍ତ ଦଗ୍ଧ। ଏହାର ପ୍ରତିକ୍ରିୟାରେ ଗୁଜରାଟରେ ଭୟଙ୍କର ଦଙ୍ଗା। ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ।
୨୦୦୩: ଏଏସ୍‌ଆଇକୁ ସର୍ଭେ ରିପୋର୍ଟରେ ମସଜିଦ୍‌ ତଳେ ମନ୍ଦିର ଥିବା ପ୍ରମାଣ ଦିଆଯିବା ପରେ ମୁସଲିମ୍‌ ଗୋଷ୍ଠୀ ପକ୍ଷରୁ ଏହାର ବିରୋଧ।
୨୦୦୩: ପ୍ରମୁଖ ବିଜେପି ନେତାଙ୍କ ସମେତ ୭ ଜଣ ହିନ୍ଦୁ ନେତା ମସଜିଦ୍‌ ଭାଙ୍ଗିବାପାଇଁ ଉସୁକାଇଥିବାରୁ ସେମାନଙ୍କ ବିରୋଧରେ ବିଚାର ଆରମ୍ଭ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ।
୨୦୦୪: ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ଆଡଭାନୀଙ୍କ ଭୂମିକା ସଂକ୍ରାନ୍ତରେ କୋର୍ଟଙ୍କ ପୂର୍ବ ରାୟକୁ ସମୀକ୍ଷା କରିବା ପାଇଁ ଉତ୍ତରପ୍ରଦେଶ କୋର୍ଟଙ୍କ ନିର୍ଦ୍ଦେଶ।
୨୦୦୭: ଅଯୋଧ୍ୟ ଜମି ବିବାଦ ମାମଲାରେ ରିଭ୍ୟୁ ପିଟିସନ୍‌ ଗ୍ରହଣ ପାଇଁ ସୁପ୍ରିମକୋର୍ଟ ଅରାଜି।
୨୦୦୯: ଦୀର୍ଘ ୧୭ ବର୍ଷର ତଦନ୍ତ ପରେ ଲିବ୍ରହାନ୍‌ କମିସନ୍‌ଙ୍କ ରିପୋର୍ଟ ଦାଖଲ।
୨୦୧୦: ସେପ୍ଟେମ୍ବର ମାସରେ ଅଯୋଧ୍ୟା‌ ଜମି ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ। ଅଯୋଧ୍ୟ ଜମିକୁ ୩ ଭାଗରେ ବିଭକ୍ତ କରି ରାମଲଲା, ସୁନ୍ନି ୱାକଫ୍‌ ବୋର୍ଡ ଏବଂ ନିର୍ମୋହି ଆଖଡ଼ା ମଧ୍ୟରେ ବାଣ୍ଟିବା ପାଇଁ ନିର୍ଦ୍ଦେଶ। ଡିସେମ୍ବରରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ସୁନ୍ନି ୱାକଫ୍‌ ବୋର୍ଡ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ।
୨୦୧୧: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ।
୨୦୧୯: ଅଗଷ୍ଟ ୬ରେ ସୁପ୍ରିମ‌ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଦ୍ବାରା ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ। ୧୬ ଅକ୍ଟୋବରରେ ଶୁଣାଣି ଶେଷ ଏବଂ ରାୟ ସଂରକ୍ଷିତ। ୯ ନଭେମ୍ବରରେ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଦ୍ବାରା ଚୂଡ଼ାନ୍ତ ରାୟ ପ୍ରକାଶ।

ସମ୍ବନ୍ଧିତ ଖବର