ବାବ୍ରି ମସଜିଦ-ରାମ ଜନ୍ମଭୂମି ବିବାଦ ୧୯୯୨: କରସେବକଙ୍କ ଦ୍ବାରା ବାବ୍ରି ମସଜିଦ୍‌ ଧୂଳିସାତ୍

୧୯୯୦ ଆଡଭାନୀଙ୍କ ରଥଯାତ୍ରାରୁ ୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍‌ଜିଦ୍ ଭଙ୍ଗ ଯାଏ ଦୀର୍ଘ ଅଢ଼େଇ ବର୍ଷ ଥିଲା ବାବ୍ରି ମସଜିଦ-ରାମ ଜନ୍ମଭୂମି ବିବାଦର ଇତିହାସରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ। ‌୧୯୯୦ ବେଳକୁ ଉତ୍ତର ପ୍ରଦେଶରେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଥାଆନ୍ତି କଲ୍ୟାଣ ସିଂହ। ତେଣୁ ସୋମନାଥ ମନ୍ଦିରରୁ ଆରମ୍ଭ ହୋଇଥିବା ଆଡଭାନୀଙ୍କ ରଥଯାତ୍ରାକୁ ଅଯୋଧ୍ୟାରେ ସ୍ବାଗତ କରିବା ପାଇଁ ସେ ଉତ୍ସୁକ ଥାଆନ୍ତି। ତେବେ ବିହାରରେ ଲାଲୁ ସରକାର ରଥଯାତ୍ରାକୁ ଅଟକାଇଦେବା ସହ ଆଡଭାନୀଙ୍କୁ ଗିରଫ କରିଦେବା ପରେ ବିଜେପି ଓ ହିନ୍ଦୁ ସଂଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟାଶୀଳ ‌ହୋଇ ପଡ଼ନ୍ତି। ସାରା ଦେଶରେ କରସେବକମାନଙ୍କୁ ଅଯୋଧ୍ୟା ନିଆଯାଇ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ଲାଗି ଆହ୍ବାନ ଦିଅନ୍ତି। ଆଉ ବିବାଦୀୟ ସ୍ଥଳରେ ପ୍ରବେଶ ପାଇଁ କଲ୍ୟାଣ ସିଂହ ପଦକ୍ଷେପ ନେବା ସହ କରସେବକଙ୍କ ଉପରକୁ ଗୋଟିଏ ବି ଗୁଳି ଫୁଟିବ ନାହିଁ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଜୁଲାଇରେ ଅନେକ ସଂଖ୍ୟ‌ାରେ କରସେବକ ବିବାଦୀୟ ସ୍ଥଳରେ ଏକତ୍ରିତ ହୋଇ ମନ୍ଦିର ପାଇଁ କାର୍ଯ୍ୟ ଆରମ୍ଭ କରିଦିଅନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହା ବନ୍ଦ ହୋଇଯାଏ। ବାବ୍ରି ମସଜିଦ୍‌ ଆକ୍ସନ୍‌ କମିଟି ଏବଂ ଭିଏଚ୍‌ପି ନେତାମାନଙ୍କ ମଧ୍ୟରେ ଗୃହମନ୍ତ୍ରୀଙ୍କ ଉପସ୍ଥିତି‌ରେ ବୈଠକ ଆରମ୍ଭ ହୁଏ। ଅକ୍ଟୋବର ୩୦ରେ ଭିଏଚ୍‌ପିର ଧର୍ମ ସଂସଦ ଦିଲ୍ଲୀରେ ଘୋଷଣା କରନ୍ତି ‌ଯେ କଥାବାର୍ତ୍ତା ବିଫଳ ‌ହେଲା। କେନ୍ଦ୍ର ସରକାର ଏହି ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ନିଷ୍ପତ୍ତି ନେଲାବେଳେ ରାଜ୍ୟ ସରକାର ବିବାଦୀୟ ଢାଞ୍ଚା ଭଙ୍ଗ ପାଇଁ ନିଷ୍ପତ୍ତି ନିଅନ୍ତି। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚେ। ସୁପ୍ରିମକୋର୍ଟ ରାଜ୍ୟ‌‌ରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ରାଜ୍ୟ ସରକାରକୁ ଦାୟୀ କରନ୍ତି। ଏସବୁ ସତ୍ତ୍ବେ ୧୯୯୨ ଡିସେମ୍ବର ମାସରେ ଅଯୋଧ୍ୟାରେ ଲକ୍ଷ ଲକ୍ଷ କରସେବକଙ୍କ ସମାଗମ ଘଟେ। ଆଉ ୬ ଡିସେମ୍ବରରେ ପ୍ରାୟ ୨ ଲକ୍ଷ କରସେବକ ବାବ୍ରି ମସଜିଦ୍‌ ଉପରେ ଚଢ଼ି ପୂରା ଢ‌ାଞ୍ଚାକୁ ଧୂଳିସାତ କରିଦିଅନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୁଏ ସାମ୍ପ୍ରଦାୟିକ ଉତ୍ତେଜନା। ବାବ୍ରି ମସଜିଦ୍‌ ଧ୍ବଂସ ପରେ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି ହୁଏ। ଦଙ୍ଗାରେ ପ୍ରାୟ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ହିନ୍ଦୁମାନଙ୍କ ବିରୋଧରେ ମଧ୍ୟ ପାକିସ୍ତାନ ଏବଂ ବାଂଲାଦେଶରେ ହିଂସା ଉପୁଜିଥିଲା। ଅନ୍ୟପକ୍ଷରେ ଡିସେମ୍ବର ୧୬ ତାରିଖରେ ଏହି ମାମଲାର ତଦନ୍ତ ଲାଗି ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ନିର୍ଦ୍ଦେଶରେ କେନ୍ଦ୍ରର କଂଗ୍ରେସ ସରକାର ଜଷ୍ଟିସ୍‌ ଲିବ୍ରହାନ୍‌ କମିସନ ଗଠନ କରନ୍ତି। ୩ ମାସ ପରେ କମିସନ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ତଦନ୍ତ ଆରମ୍ଭ କରନ୍ତି।

ସମ୍ବନ୍ଧିତ ଖବର